ନୂଆଦିଲ୍ଲୀ, ୧୩/୩ : ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୯ତମ ସଂସ୍କରଣ । ସମସ୍ତ ଦଳ ନିଜର ଅଭ୍ୟାସ ଆରମ୍ଭ କରି ଦେଲେଣି । କ୍ୟାମ୍ପରେ ଜଣକ ପରେ ଜଣେ ଖେଳାଳି ଯୋଗ ଦେଉଛନ୍ତି । ତେବେ ମ୍ୟାଚ୍ ପୂର୍ବରୁ କୋଲକାତାକୁ ଲାଗିଛି ଆଉ ଏକ ଝଟକା । ଚଳିତ ସିଜିନରୁ ବାଦ ପଡ଼ିଛନ୍ତି ହର୍ଷିତ ରାଣା । ଆହତ କାରଣରୁ ସେ ଚଳିତ ଆଇପିଏଲରେ ଖେଳିବେନି ବୋଲି ସୂଚନା ମିଳିଛି । ୨୦୨୬ ଟି-୨୦ ବିଶ୍ବକପ ଅଭ୍ୟାସ ସମୟରେ ସେ ଆହତ ହୋଇଛନ୍ତି । ଦକ୍ଷିଣଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚ ସମୟରେ ଆହତ ହୋଇଥିଲେ । ଯେଉଁ କାରଣରୁ ସେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲେ । ପରେ ଯଦିଓ ସେ ଅପରେସନ କରିଛନ୍ତି ତଥାପି ସୁସ୍ଥ ହୋଇନାହାନ୍ତି । ଯେଉଁ କାରଣରୁ ଆଇପିଏଲ ୨୦୨୬ରୁ ସେ ବାଦ୍ ପଡ଼ିଛନ୍ତି ।

କିଏ ଦେବ ଟଙ୍କା ?

ଏବେ ପ୍ରଶ୍ନ ଉଠିଛି କି, ଯଦି ସେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଖେଳିବେ ନାହିଁ ତାହେଲେ ଟଙ୍କା ପାଇବେ କି ନାହିଁ । ଏହାର ଉତ୍ତରରେ ହଁ ଆସିବ । କାରଣ ୨୦୧୧ ମସିହାରୁ ଏକ ନୂଆ ନିୟମ ଲାଗୁ ହୋଇଛି । ତାଙ୍କ କେକେଆର ନୁହେଁ ବିସିସିଆଇ ପ୍ରାପ୍ୟ ଦେବ । ଯଦି କୌଣସି ଖେଳାଳି BCCI ସେଣ୍ଟ୍ରାଲ କଣ୍ଟ୍ରାଣ୍ଟ ପାଇଛନ୍ତି ଆଉ ସେ ଆହତ ହୁଅନ୍ତି ତାହେଲେ ସେ ତାଙ୍କର ସମସ୍ତ ଦରମା ପାଇବେ । ବିସିସିଆଇ ଏହି ଦରମା ଦେବ । ପୂର୍ବରୁ ଦୀପକ ଚହର ଏବଂ ଋଷଭ ପନ୍ତ ଏହାର ଫାଇଦା ପାଇଛନ୍ତି ।

କେକେଆରକୁ ବୋଲର ଚିନ୍ତା

କୋଲକାତା ନାଇଟ ରାଇଡର୍ସ ଅକ୍ସନରେ ବାଂଲାଦେଶୀ ବୋଲର ମୁସ୍ତାଫିଜୁରଙ୍କୁ ଦଳରେ ସାମିଲ କରିଥିଲା । ବିବାଦ କାରଣରୁ ଦଳ ତାଙ୍କୁ ରିଲିଜ୍ କରିବାକୁ ବାଧ୍ୟ ହୋଇଥିଲା । ଜଣେ ଦକ୍ଷ ବୋଲର ଯିବାପରେ କେକେଆରର ଚିନ୍ତା ବଢ଼ିଥିବାବେଳେ ଟି-୨୦ ବିଶ୍ବକପ ସମୟରେ ପଥିରାନା ଆହତ ହୋଇଛନ୍ତି । ସେ କେବେ ଦଳକୁ ଫେରିବେ ଜଣାନାହିଁ । ଏବେ ହର୍ଷିତ ରାଣା ଆହତ ହେବା ପରେ କେକେଆର ବୋଲିଂ ଚିନ୍ତା ବଢ଼ିଛି । ସେପଟେ ଆମେ ଯଦି ହର୍ଷିତଙ୍କ ସମ୍ପର୍କରେ କହିବା ତାହେଲେ ସେ କୋଲକାତା ପକ୍ଷରୁ ୩୪ ମ୍ୟାଚରେ ୪୦ ଓ୍ବିକେଟ ଅକ୍ତିଆର କରିଛନ୍ତି । କେକେଆର ତାଙ୍କୁ ୪ କୋଟି ଟଙ୍କାରେ ଦଳରେ ରଖିଛି ।

ଏହାସହ ପଢ଼ନ୍ତୁ : ବିହାର ଉପମୁଖ୍ୟମନ୍ତ୍ରୀଙ୍କ ନାଁ କହି ନେଇଗଲେ ଗ୍ୟାସ୍ ସିଲିଣ୍ଡର