ବିବାହ ପାଇଁ ବିସିସିଆଇକୁ ଛୁଟି ମାଗିଲେ କେଏଲ୍ ରାହୁଲ, ଏହି ଦିନ ଆଥିଆଙ୍କ ସହ ପଡିବ ହାତଗଣ୍ଠି

ନୂଆଦିଲ୍ଲୀ ୦୧/୧୨: ଆଥିଆ ଶେଟ୍ଟୀ ଏବଂ କେଏଲ୍ ରାହୁଲ ଦୀର୍ଘ ଦିନ ଧରି ରିଲେସନସିପରେ ଅଛନ୍ତି। ଗତ କିଛି ଦିନ ହେବ ଉଭୟଙ୍କ ବିବାହ ବିଷୟରେ ମଧ୍ୟ ଆଲୋଚନା ହେଉଛି। କୁହାଯାଉଥିଲା ରାହୁଲ ଏବଂ ଆଥିଆଙ୍କ ପ୍ୟାରେଣ୍ଟସ୍ ମଧ୍ୟ ଏହି ବିବାହ ସମ୍ପର୍କରେ ସାକ୍ଷାତ କରିଛନ୍ତି। ବର୍ତ୍ତମାନ ରିପୋର୍ଟ ଅନୁଯାୟୀ, ରାହୁଲ ଆସନ୍ତା ମାସର ପ୍ରଥମ ସପ୍ତାହରେ ଆଥିଆଙ୍କୁ ବିବାହ କରିବେ। ଏଥିପାଇଁ ସେ ବିସିସିଆଇରୁ ଛୁଟି ନେଇଛନ୍ତି ଏବଂ ତାଙ୍କ ଛୁଟି ମଧ୍ୟ ଅନୁମୋଦନ କରାଯାଇଛି।ବାଂଲାଦେଶ ଟେଷ୍ଟ ସିରିଜ ପରେ ରାହୁଲ ବିସିସିଆଇରୁ ବ୍ରେକ୍ ମାଗିଛନ୍ତି।

ତେବେ କେଏଲ ରାହୁଲ ଶ୍ରୀଲଙ୍କା ବିପକ୍ଷରେ ଭାରତରେ ହେବାକୁ ଥିବା ତିନି ମ୍ୟାଚର ଟି -୨୦ ଏବଂ ୱାନ ଡେ ସିରିଜରେ ଖେଳି ପାରିବେ ନାହିଁ। ଇନସାଇଡ୍ ସ୍ପୋର୍ଟର ରିପୋର୍ଟ ଅନୁଯାୟୀ, ରାହୁଲ ଆଥିଆଙ୍କୁ ଜାନୁଆରୀ ୨୦୨୩ ର ପ୍ରଥମ ସପ୍ତାହରେ ବିବାହ କରିବେ।

ବିସିସିଆଇର ଜଣେ ଅଧିକାରୀ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ କେ.ଏଲ୍ ରାହୁଲ ତାଙ୍କ ବ୍ୟକ୍ତିଗତ କାମ ପାଇଁ ଛୁଟି ମାଗିଛନ୍ତି। ଅଧିକାରୀ ଏହା ମଧ୍ୟ କହିଛନ୍ତି, “ମୁଁ ଜାଣେ ନାହିଁ ସେ ବିବାହ କରୁଛନ୍ତି କି ନିର୍ବନ୍ଧ। କିନ୍ତୁ ତାଙ୍କର କିଛି ବ୍ୟକ୍ତିଗତ ପ୍ରତିଶୃତି ଅଛି। ମୁଁ କେବଳ ଏତିକି କହିପାରେ।”

ନିକଟରେ ସୁନୀଲ ଶେଟ୍ଟୀ ୱେବ୍ ସିରିଜ୍ ‘ଧାରାବୀ ବ୍ୟାଙ୍କ’ର ରିଲିଜ୍ ଇଭେଣ୍ଟରେ ଝିଅ ଆଥିଆ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲଙ୍କ ବିବାହକୁ ନିଶ୍ଚିତ କରିଥିଲେ। ଯେତେବେଳେ ଉଭୟଙ୍କ ବିବାହ ବିଷୟରେ ପଚରାଗଲା, ସୁନୀଲ କହିଥିଲେ ଯେ ଦୁହେଁ ଶୀଘ୍ର ବିବାହ କରିବେ।