ଛାତ୍ର ରାଜନୀତିରୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା ; ଏମିତି ଥିଲା ନବ ଦାସଙ୍କ ରାଜନୈତିକ କ୍ୟାରିୟର

ଭୁବନେଶ୍ବର,୨୯/୦୧: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଆଜି ପୁଲିସ୍ କର୍ମୀଙ୍କ ଗୁଳିମାଡ଼ରେ ନିହତ ହୋଇଛନ୍ତି ତ ଅନ୍ୟ ପଟେ ପଶ୍ଚିମ ଓଡ଼ିଶାର ରାଜନୀତିକ ଚିତ୍ର ଉପରେ ବି ଏକ କଳା ଛିଟା ପଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦିବଂଗତ ନବ କିଶେର ଦାସ ଝାରସୁଗୁଡ଼ାର ଜଣେ ପ୍ରଭାବଶାଳୀ ନେତା ଭାବେ ବେଶ୍ ପରିଚିତ। ନା କେବଳ ଝାରସୁଗୁଡ଼ା ବରଂ ରାଜ୍ୟରେ କ୍ଷମତାସୀନ ବିଜେଡ଼ି ସରକାରରେ ସାମିଲ ହେବା ପରଠାରୁ ସତେ ଯେମିତି ତାଙ୍କ ବିଭିନ୍ନ ମହଲରେ ବଢ଼ିଥିଲା ତାଙ୍କ ପତିଆରା। ରାଜନୀତି କ୍ଷେତ୍ରରେ ଅନେକ ପରିବର୍ତ୍ତନରେ ନବ ଦାସଙ୍କ ଭୁମିକା ଯେ, ମହତ୍ବପୁର୍ଣ୍ଣ ତାହା କାହାକୁ ବା ଅଛୋପା। ତେବେ ଓଡ଼ିଶା ରାଜନୀତିର ଦୃଶ୍ୟପଟରେ ଦିଗ୍ଗଜଙ୍କ ମଧ୍ୟରେ ଅନ୍ୟତମ ସାଜିଥିବା ନବ ଦାସଙ୍କର କିପରି ଥିଲା ପ୍ରତ୍ୟକ୍ଷ ରାଜନୈତିକ ଯାତ୍ରା ଆସନ୍ତୁ ଜାଣିବା।
୧୯୬୨ ଜାନୁୟାରୀ ୭ତାରିଖରେ ଝାରସୁଗୁଡ଼ା ସହରର ସରବାହାଲଠାରେ ଜନ୍ମିତ ନବ କିଶୋର ଦାସ ଛାତ୍ର ସମୟରୁ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିସାରିଥିଲେ। ୮୦ ଦଶକରେ ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ ପାଠ ପଢ଼ିବାବେଳେ ଛାତ୍ର ରାଜନୀତିରେ ସାମିଲ ହୋଇଥିବା ନବ ପରବର୍ତ୍ତୀ ସମୟରେ ଝାରସୁଗୁଡ଼ାର ରାଜନୀତିରେ ଧିରେ ଧିରେ ମୁଣ୍ଡ ଖେଳାଇବାକୁ ଲାଗିଥିଲେ। ତତକାଳୀନ ବିଧାୟକଙ୍କ ସଂସ୍ପର୍ଷରେ ସେ ଯଦିଓ ଆସିଥିଲେ କିନ୍ତୁ ଏତେ ସଫଳତା ପାଇପାରିନଥିଲେ। ପାରିବାରିକ ବ୍ୟବସାୟ ଓ ନିଜର ପାଠପଢ଼ା ଭିତରେ ସମନ୍ୱୟ ରକ୍ଷା କରି ନବ ରାଜନୀତିରେ ନିଜର ସଂଘର୍ଷ ଜାରି ରଖିଥିଲେ।
ଏହି ଖବର ମଧ୍ୟ ପଢ଼ନ୍ତୁ: ନବ ଦାସଙ୍କ ବିୟୋଗରେ ଟ୍ବିଟ ଜରିଆରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ; ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଜଣାଇଲେ ସମବେଦନା

ପରିବାରରେ ପାଂଚ ଭାଇଙ୍କ ମଧ୍ୟରେ ତୃତୀୟ ନବ ରାଜନୀତିକୁ ଭବିଷ୍ୟତ ବୋଲି ଭାବିନେଇ ସଂଘର୍ଷ ଜାରି ରଖିଲେ ଏବଂ କଂଗ୍ରେସରେ ସାମିଲ ହୋଇଥିଲେ। ପାଖାପାଖି ୧୦ ବର୍ଷରୁ ଅଧିକ ସମୟ ଧରି କଂଗ୍ରେସରେ ଯୋଡ଼ି ରହିବା ପରେ ୪୩ବର୍ଷ ବୟସରେ ସେ ୨୦୦୪ ମସିହାରେ ପ୍ରଥମଥର ପାଇଁ କଂଗ୍ରେସ ଟିକେଟରେ ଝାରସୁଗୁଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ନବଙ୍କୁ ମାତ୍ର ୧୧ହଜାର ଭୋଟ ବ୍ୟବଧାନରେ ହାରିବାକୁ ପଡ଼ିଥିଲା। ଆଉ ୨୦୦୯ ପରଠୁ ଆରମ୍ଭ ହୋଇଥିବା ନବଙ୍କ ନିର୍ବାଚନୀ ବିଜୟ ଯାତ୍ରା ବର୍ତ୍ତମାନ ପର୍ଯ୍ୟନ୍ତ କାଏମ ରହିଥିଲା। ବିଜେଡିର ଦବଦବା ଓ ଲୋକପ୍ରିୟତା ସତ୍ତ୍ୱେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ନବ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ ମସିହା ପୂର୍ବରୁ ନବ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିଲେ। ଆଉ ପଶ୍ଚିମ ଓଡ଼ିଶାରେ ବିଜେଡିର ପ୍ରମୁଖ ନେତା ପାଲଟି ଯାଇଥିଲେ।
ନବଙ୍କର ଟ୍ରାନ୍ସପୋର୍ଟିଂ ଓ ଖଣି ବ୍ୟବସାୟ, କୋଇଲା ବ୍ୟବସାୟ ଥିଲା। ବିଜେଡିକୁ ଆସିବା ପରେ ସେ ଖୁବଶୀଘ୍ର ଦଳରେ ନିଜର ପ୍ରଭାବ ବିସ୍ତାର କରିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ମଧ୍ୟ ପଶ୍ଚିମ ଓଡ଼ିଶାର କେତେକ ଆସନରେ ପ୍ରାର୍ଥୀ ମଧ୍ୟ ତାଙ୍କ ହିସାବରେ ଦେଇଥିବା ଚର୍ଚ୍ଚା ହୁଏ । ୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ନବଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଦାୟିତ୍ୱ ମିଳିଥିଲା। କିଛି ପାରିବାରିକ ସମସ୍ୟାକୁ ନେଇ ଗତ ସପ୍ତାହରେ ମହାରାଷ୍ଟ୍ରର ଅହମ୍ମଦାବାଦ ନଗର ଜିଲ୍ଲାର ଶନି ଶିଙ୍ଗନାପୁର ମନ୍ଦିରକୁ କୋଟିଏ ଟଙ୍କାର ସୁନା କଳସ ଦାନ କରି ସେ ପୁଣିଥରେ ଚର୍ଚ୍ଚାକୁ ଆସିଥିଲେ।