ନୂଆଦିଲ୍ଲୀ : ଆମେରିକୀୟ ମହାକାଶ ଯାତ୍ରୀ ସୁନୀତା ୱିଲିୟମ୍ସ ୨୮୬ ଦିନର ଦୀର୍ଘ ମହାକାଶ ମିଶନ ପରେ , ଶେଷରେ ପୃଥିବୀକୁ ଫେରିଛନ୍ତି। କହି ରଖୁଛୁ କି, ସୁନୀତା ୱିଲିୟମ୍ସ ନିଜର ଏହି ମିଶନରେ କେବଳ ୮ ଦିନ ପାଇଁ ଯାଇଥିଲେ, କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବୋଇଂ ଷ୍ଟାରଲାଇନରରେ ଆସିଥିବା ସମସ୍ୟା ତାଙ୍କର ଏହି ମିଶନକୁ ୯ ମାସର ଲମ୍ୱା ଯାତ୍ରା କରି ଦେଲା। ଗୋଟେ ପଟେ ଯେଉଁଠି ପୂରା ଦୁନିଆ ସୁନୀତାଙ୍କ ଫେରିବାର ଉତ୍ସବ ପାଳୁଥିବା ବେଳେ , ଅନ୍ୟପଟେ ତାଙ୍କର ପରିବାର ମଧ୍ୟ ତାଙ୍କୁ ଫେରିବା ଦେଖି ଖୁବ୍‌ ଖୁସି। 

କହି ରଖୁଛୁ କି,  ଏହି ଖୁସି ପଛରେ ସୁନୀତାଙ୍କ ସ୍ୱାମୀ ମାଇକେଲ ଜେ. ୱିଲିୟମ୍ସଙ୍କର ବଡ଼ ହାତ ରହିଛି। ମାଇକେଲ ଯଦିଓ ଲାଇମଲାଇଟ୍‌ ଠାରୁ ଦୂରରେ ରହିବା ପସନ୍ଦ କରନ୍ତି, କିନ୍ତୁ ସର୍ବଦା ସୁନୀତାଙ୍କ ସପୋର୍ଟ ସିଷ୍ଟମ ଭାବେ ଜଣେ ପ୍ରମୁଖ ବ୍ୟକ୍ତି ଭାବେ ଠିଆ ହୋଇଛନ୍ତି। ଏବେ ଏତେ ସବୁ ସୂଚନା ପାଇବା ପରେ ନିଶ୍ଚୟ ଆପଣ ସୁନୀତା ୱିଲିୟମ୍ସଙ୍କ ସହ ବ୍ୟକ୍ତିଗତ ଜୀନବ ବିଷୟରେ ଜାଣିବାକୁ ଇତ୍ସୁକ ହେଉଥିବେ। 

ଏବେ ଆସନ୍ତୁ ଜାଣିବା ସ୍ୱାମୀ ମାଇକେଲ ଜେ. ୱିଲିୟମ୍ସଙ୍କ ସହ କେମିତି ସୁନୀତାଙ୍କ ଆରମ୍ଭ ହୋଇ ଥିଲା ଲଭ୍‌ ଷ୍ଟୋରୀ। ଶେଷରେ କେମିତି ପାଣ୍ଡ୍ୟାରୁ ୱିଲିୟମ୍ସ ହୋଇଗଲେ ସୁନୀତା ? କିଏ ସୁନୀତାଙ୍କ ପିତାମାତା ଓ ପିଲାମାନେ। କହି ରଖୁଛୁ କି, ସୁନୀତାଙ୍କ ଲଭ୍‌ ଷ୍ଟୋରୀ କୌଣସି ଫିଲ୍ମ କାହାଣୀ ଠାରୁ କମ୍‌ ନୁହେଁ।

କିଏ ସୁନୀତା ୱିଲିୟମ୍ସଙ୍କ ସ୍ୱାମୀ ମାଇକେଲ୍‌ ଜେ. ୱିଲିୟମ୍ସ ? 

ସୁନୀତା ୱିଲିୟମ୍ସଙ୍କ ସ୍ୱାମୀ ମାଇକେଲ ଜେ.ୱିଲିୟମ୍ସ ଜଣେ ଅବସରପ୍ରାପ୍ତ ଫେଡରାଲ ମାର୍ଶଲ। ସେ ପ୍ରଥମେ ଜଣେ ହେଲକପ୍ଟର ପାଇଲଟ ଥିଲେ ଏବଂ ଆମେରିକୀୟ ନୌସେନାରେ ଚାକିରି କରୁଥିଲେ। ମାଇକେଲ ଲାଇମଲାଇଟ୍ ଠାରୁ ଦୂରେଇ ରହିଥାନ୍ତି କିନ୍ତୁ ସୁନୀତାଙ୍କ କ୍ୟାରିୟର ଓ ମହାକାଶ ମିସନ ପାଇଁ ତାଙ୍କର ପ୍ରମୁଖ ଭୂମିକା ରହିଛି। ସର୍ବଦା ସେ ଜଣେ ଦୃଢ ସମର୍ଥକ ଭାବେ ଠିଆ ହୋଇଛନ୍ତି। ମାଇକେଲ୍‌ ଓ ସୁନୀତାଙ୍କ ପ୍ରଥମ ସାକ୍ଷାତ୍‌ ନୌସେନାରେ ହୋଇଥିଲା, ଯେଉଁଠି ଦୁହେଁ ହେଲିକପ୍ଟର ଚଲାଉ ଥିଲେ। ମାଇକେଲ ନିଜର ବ୍ୟକ୍ତିଗତ ଜୀବନକୁ ଲୋ-ପ୍ରୋଫାଇଲ ରଖନ୍ତି ଏବଂ ବର୍ତ୍ତମାନରେ ରିଟାୟର୍ଡ ଜୀବନ ବିତାଉଛନ୍ତି।

ସୁନୀତା ୱିଲିୟମ୍ସ ଓ ମାଇକେଲଙ୍କର ପ୍ରଥମ ସାକ୍ଷାତ୍‌ –

ସୁନୀତା ଓ ମାଇକେଲଙ୍କର ପ୍ରଥମ ସାକ୍ଷାତ୍‌ ୧୯୮୭ରେ ମେରିଲ୍ୟାଣ୍ଡର ଏନାପୋଲିସ୍‌ ସ୍ଥିତ ନୌସେନା ଏକାଦମୀରେ ହୋଇଥିଲା। ଏହି ସମୟରେ ସୁନୀତା ଓ ମାଇକେଲ ଦୁହେଁ ନିଜ ନିଜର କ୍ୟାରିୟରର ଆରମ୍ଭ କରୁଥିଲେ। ସୁନୀତା ନାସା ସହ ଜଡ଼ିତ ପ୍ରଥମେ ଜଣେ ହେଲିକପ୍ଟର ପାଇଲଟ ଥିଲେ, ମାଇକେଲ ଜଣେ ଅଭିଜ୍ଞ ହେଲିକପ୍ଟର ପାଇଲଟ ଭାବେ କାମ କରି ସାରିଥିଲେ। ଏହା ଏକ ଜିନିଷ ଥିଲା, ଯାହାକି ଦୁହିଁଙ୍କ ମଧ୍ୟରେ ନିବିଡ଼ ବନ୍ଧୁତାର ସୂତ୍ରପାତ କରାଇ ଥିଲା ଏବଂ ପରେ ଏହା ପ୍ରେମର ବଡ଼ କାରଣ ପାଲଟି ଗଲା। ଦୀର୍ଘ ଦିନ ଯାଏ ପରସ୍ପରକୁ ବୁଝିବା ପରେ, ସୁନୀତା ଓ ମାଇକେଲ ପରିବାର ଓ ନିକଟତମ ବନ୍ଧୁଙ୍କ ଉପସ୍ଥିତିରେ ୯୦ ଦଶକର ଶେଷରେ ବିବାହ କରିବାକୁ ନିଷ୍ପତ୍ତି ନେଲେ। ସୁନୀତା, ମାଇକେଲ ଜେ.ୱିଲୟମ୍ସଙ୍କୁ ବିବାହ କରିବା ପରେ ନିଜର ନାଁ ସୁନୀତା ଦୀପକ ପାଣ୍ଡ୍ୟାରୁ ବଦଳାଇ ସୁନୀତା ୱିଲିୟମ୍ସ ରଖିଲେ। 

କହି ରଖୁଛୁ କି,ସୁନୀତା ଓ ମାଇକେଲ ଗତ ୨୦ ବର୍ଷ ହେବ ଏକାଠି ଅଛନ୍ତି ଏବଂ ତାଙ୍କର କେହି ପିଲାପିଲି ନାହାନ୍ତି।

ସୁନୀତା ୱିଲିୟମ୍ସଙ୍କ ପିତାଙ୍କ ନାଁ ଡା. ଦୀପକ ପାଣ୍ଡ୍ୟା ଥିଲା, ଯିଏକି ପେଶାରେ ଜଣେ ନ୍ୟୁରୋଏନାଟୋମିଷ୍ଟ ଥିଲେ। ଡା. ଦୀପକଙ୍କ ଜନ୍ମ ଗୁଜରାଟର ମେହସାଣା ଜିଲ୍ଲାର ଝୁଲାସନ ଗାଁରେ ହୋଇଥିଲା , କିନ୍ତୁ ୧୯୫୮ରେ ମେଡିକାଲ ପଢିବାକୁ ଆମେରିକା ଚାଲି ଯାଇ ଥିଲେ। ୨୦୨୦ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ସୁନୀତାଙ୍କ ମାଆଙ୍କ କଥା ଯଦି କହିବା ତ , ତାଙ୍କର ମାଆ ମୂଳତଃ ଜଣେ ସ୍ଲୋଭେନିଆନ୍‌ ଥିଲେ। ସୁନୀତାଙ୍କ ପରିବାରରେ ଜଣେ ବଡ଼ ଭାଇ ଜୟ ଥମସ୍‌ ପାଣ୍ଡ୍ୟା ଓ ଜଣେ ବଡ଼ ଭଉଣୀ ଦୀନା ଆନନ୍ଦ ଅଛନ୍ତି। ସୁନୀତା ନିଜର ପିତା-ମାତାଙ୍କ ସବୁଠୁ ସାନ ସନ୍ତାନ।