ଆତଙ୍କୀଙ୍କ ଶବକୁ ନଦୀରେ ଭସାଇଥିଲା ପାକ୍

source:www.oneindia.com
ନୂଆଦିଲ୍ଲୀ/ଇସଲାମାବାଦ,୧୧ ।୩(ଏଜେନ୍ସି): ବାଲାକୋଟରେ ଭାରତୀୟ ବାୟୁସେନା ଦ୍ୱାରା ବିମାନ ଆକ୍ରମଣ କରାଯିବା ଘଟଣାରେ ଆତଙ୍କବାଦୀ ନିହତ ହେବା ଖବରକୁ ପାକିସ୍ତାନ ଅସ୍ୱୀକାର କରିଆସୁଛି । କିନ୍ତୁ ତା’ର ଆଭିମୁଖ୍ୟରେ ବିରୋଧାଭାସ ଥିବାର ସ୍ପଷ୍ଟ ଜଣାପଡୁଛି । ଗୋଟିଏ ପଟରେ ସିଏ ଦାବି କରୁଛି କି ଏହି ଆକ୍ରମଣରେ ମାତ୍ର ୧୦ରୁ୧୫ଟି ଗଛ ଉପୁଡିଥିଲା । ଆଉ କିଛି କ୍ଷତି ହୋଇନଥିଲା । ଅନ୍ୟପଟରେ ସିଏ ପାକିସ୍ତାନୀ ଓ ବିଦେଶୀ ସାମ୍ବାଦିକମାନଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ ଅନୁମତି ଦେଉନାହିଁ । ତେଣୁ ସିଏ କ’ଣ ଲୁଚାଇବାକୁ ଚାହୁଁଛି ବୋଲି ପ୍ରଶ୍ନ ଉଠୁଛି । ଏହି ପରିପ୍ରେକ୍ଷୀରେ କିଛି ପ୍ରତ୍ୟକ୍ଷଦର୍ଶୀ ପାକିସ୍ତାନ ଦ୍ୱାରା କିଭଳି ଏହାକୁ ଲୁଚାଇବାକୁ ଉଦ୍ୟମ କରାଯାଉଛି, ତାହାର ପର୍ଦ୍ଦାଫାଶ କରିଛନ୍ତି । ବାଲାକୋଟରେ ବିମାନ ଆକ୍ରମଣ ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ରିପବ୍ଲିକ୍ ଟିଭିକୁ କହିଛନ୍ତି ଯେ ଏହି ଆକ୍ରମଣରେ ପ୍ରକୃତରେ କେତେ ସଂଖ୍ୟାରେ ଆତଙ୍କବାଦୀ ନିହତ ହୋଇଥିଲେ, ତାହା ଆକଳନ କରିବା ମୁସ୍କିଲ ଥିଲା । କାରଣ ପାକ୍ ସେନା ତୁରନ୍ତ ସେଇ ସ୍ଥାନକୁ ଚାରି ପଟରୁ ଘେରି ଯାଇଥିଲା ଏବଂ ଏପର୍ଯ୍ୟନ୍ତ ବି ସେଠାକୁ ଅନ୍ୟ ଲୋକଙ୍କୁ ଯିବାକୁ ଦିଆଯାଉନାହିଁ । ତେବେ ଏହି ବିମାନ ଆକ୍ରମଣ ଯୋଗୁ ବହୁ ସଂଖ୍ୟାରେ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହାଯୋଗୁ ଜୈସ-ଇ-ମହମ୍ମଦ ଏବଂ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ପୂରା ସ୍ତବ୍ଧ ହୋଇଯାଇଛନ୍ତି । ପାକ୍ ସେନା ନିଜର ବିଫଳତା ଲୁଚାଇବା ସକାଶେ ସେଠାକୁ ଯିବା ପାଇଁ କାହାକୁ ଛାଡିନଥିଲା । କିନ୍ତୁ ପାକ୍ ସେନା ଯବାନମାନେ ନିହତ ଆତଙ୍କବାଦୀଙ୍କ ଶବକୁ ପୋଡି ଦେଉଥିବାର ସେ ଦେଖିଛନ୍ତି । ସେମାନେ କାର୍ରୁ ପେଟ୍ରୋଲ କାଢ଼ି ଶବଗୁଡିକୁ ଜାଳି ଦେଇଥିଲେ । ଆଉ କିଛି ଆତଙ୍କବାଦୀଙ୍କ ଶବକୁ ପୋତି ଦେଇଥିଲେ ଏବଂ କେତେକଙ୍କ ମୃତଦେହକୁ କୁନହାର ନଦୀରେ ଭସାଇ ଦେଇଥିଲେ । ଏହି ଆକ୍ରମଣରୁ ବର୍ତ୍ତି ଯାଇଥିବା ଆତଙ୍କବାଦୀଙ୍କୁ ପାକ୍ ସେନା ଆଫଗାନିସ୍ତାନ ସଂଲଗ୍ନ ୱଜିରିସ୍ତାନକୁ ପଠାଇଦେଇଛି । ପାକ୍ ସେନା ଏସବୁ କାମକୁ ଅତି ସନ୍ତର୍ପଣରେ କରିବାକୁ ପ୍ରୟାସ କରିଥିଲେ ହେଁ କିଛି ଲୋକ ଏହାର ଭିଡିଓ ରେକର୍ଡିଂ କରିବାରେ ସଫଳ ହୋଇଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଉକ୍ତ ପ୍ରତ୍ୟକ୍ଷଦର୍ଶୀ ଜଣକ କହିଛନ୍ତି ଯେ ଯଦି ଭାରତ ଏଇଭଳି ଭାବେ ପାକିସ୍ତାନର ଆତଙ୍କବାଦୀ ଶିବିର ଏବଂ ସେନାକ୍ୟାମ୍ପ ଉପରେ ଆକ୍ରମଣ କରିବା ଜାରି ରଖିବ, ତାହାହେଲେ ଏହି ଅଞ୍ଚଳକୁ ଆତଙ୍କବାଦ ମୁକ୍ତ କରାଯାଇପାରିବ ।