ନୂଆଦିଲ୍ଲୀ,୨୨/୦୮: ହସ୍ପିଟାଲରେ ଭର୍ତ୍ତି ହେଲେ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ଅନିଲ ଅମ୍ବାନୀଙ୍କ ମା’ କୋକିଳାବେନ୍ ଅମ୍ବାନୀ। ତାଙ୍କୁ ଶୁକ୍ରବାର ସକାଳେ ଏୟାରଲିଫ୍ଟ କରାଯାଇ ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳିନାହିଁଁ । ତେବେ କୋକିଲାବେନ୍ ଅମ୍ବାନୀ ହେଉଛନ୍ତି ରିଲାଏନ୍ସ ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନୀଙ୍କ ପତ୍ନୀ।
୨୦୦୨ ମସିହାରେ ଧୀରୁଭାଇ ଅମ୍ବାନୀଙ୍କ ମୃତ୍ୟୁ ପରେ କୋକିଲାବେନ୍ ଅମ୍ବାନୀଙ୍କ ପରିବାରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେ ପ୍ରାରମ୍ଭିକ ଦିନରୁ ଅମ୍ବାନୀ ପରିବାରର ଯାତ୍ରାକୁ ଗଢ଼ି ତୋଳିବାରେ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିଛନ୍ତି। ସ୍ୱର୍ଗତ ଧୀରୁଭାଇ ଅମ୍ବାନୀଙ୍କ ପତ୍ନୀ ଏବଂ ମୁକେଶ ଏବଂ ଅନିଲ ଅମ୍ବାନୀଙ୍କ ମାଆ କୋକିଲାବେନ ଅମ୍ବାନୀଙ୍କ ସମ୍ପତ୍ତିର ଆନୁମାନିକ ମୂଲ୍ୟ ପ୍ରାୟ ୧୮ହଜାର କୋଟି। ତାଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ୧.୫୭ କୋଟିରୁ ଅଧିକ ସେୟାର ଅଛି । ଯାହା କମ୍ପାନୀର ମୋଟ୍ ଇକ୍ୱିଟିର ପ୍ରାୟ ୦.୨୪% ପ୍ରତିନିଧିତ୍ୱ କରେ। ସେହିପରି ସେ ମୁକେଶ ଅମ୍ବାନୀଙ୍କ କମ୍ପାନୀର ପ୍ରାୟ ୦.୧୨%ର ମାଲିକ । ୪ ଫେବୃଆରୀ ୧୯୩୪ରେ ଗୁଜରାଟର ଜାମନଗରରେ ଜନ୍ମଗ୍ରହଣ କରିଥିବା କୋକିଲାବେନ ଅମ୍ବାନୀଙ୍କୁ ଅମ୍ବାନୀ ପରିବାରର ମାତୃପତି ଭାବରେ ବିବେଚନା କରାଯାଏ। ତାଙ୍କୁ କେବଳ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପ୍ରତିଷ୍ଠାତା ସ୍ବର୍ଗତ ଧୀରୁଭାଇ ଅମ୍ବାନୀଙ୍କ ପତ୍ନୀ ଭାବରେ ନୁହେଁ, ବରଂ ଏହି ଦ୍ରୁତ ପରିବର୍ତ୍ତନଶୀଳ ସମୟରେ ପରିବାରକୁ ମାର୍ଗଦର୍ଶନ ଏବଂ ସମର୍ଥନ କରିବାରେ ତାଙ୍କର ଭୂମିକା ପାଇଁ ମଧ୍ୟ ସମ୍ମାନିତ କରାଯାଏ। ପରିବାରକୁ ଏକାଠି ରଖିବାରେ ତାଙ୍କର ମଧ୍ୟ ଭୂମିକା ରହିଛି।