କୋଲକାତା: ଆରଜି କର ମେଡିକାଲ୍‌ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ମାମଲାରେ ଦୋଷୀ ସଂଜୟ ରାୟକୁ ତଳ କୋର୍ଟ ଦେଇଥିବା ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି ସିବିଆଇ । ଦୋଷୀକୁ ଆଜୀବନ ଦଣ୍ଡାଦେଶ ଦେଇଥିଲେ କୋଲକାତାର ଶିୟାଲଦା କୋର୍ଟ । କିନ୍ତୁ ଦୋଷୀ ଫାଶୀ ଦଣ୍ଡ ମିଳୁ ବୋଲି ହାଇକୋର୍ଟରେ ଅପିଲ୍‌ କରିଛି ସିବିଆଇ । 

 ଶିୟାଲଦା କୋର୍ଟ ସୋମାବର ସଂଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ର ରଖିବାକୁ ରାୟ ଦେଇଥିଲେ ଏବଂ ୫୦ ହଜାର ଟଙ୍କା ଜରିମାନା ଲଗାଇଥିଲେ । କିନ୍ତୁ କୋର୍ଟଙ୍କ ଆଜୀବନ ଜେଲ୍‌ ରାୟକୁ ନାପସନ୍ଦ କରିଥିଲେ ମମତା ବାନାର୍ଜୀ ଏବଂ ରାଜ୍ୟ ବିଜେପି । ଏହା ସହ ଦୋଷୀକୁ ଫାଶୀ ଦଣ୍ଡ ମିଳୁ ବୋଲି ସମସ୍ତେ ଦାବି କରିଥିଲେ । ଏପରିକି ସିବିଆଇ ମଧ୍ୟ ସଂଜୟ ରାୟକୁ ଫାଶୀ ମିଳୁ ବୋଲି ଚାହୁଁଛି । ଏଥିପାଇଁ ସିବିଆଇ ଆଜି ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପହଞ୍ଚିଛି ସିବିଆଇ । 

କୋଲକାତର ଆଜି କର ମେଡିକାଲ କଲେଜ୍‌ ଓ ହସ୍ପିଟାଲରେ ଅଗଷ୍ଟ ୮ ରାତିରେ ଜଣେ ଟ୍ରେନି ଡାକ୍ତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସଂଜୟ ରାୟକୁ ଆଜୀବନ ଜେଲ ଏବଂ ୫୦ ହଜାର ଟଙ୍କାର ଜରିମାନା ଲାଗି ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଶିୟାଲଦା କୋର୍ଟର ଜଜ୍‌  ଅନିର୍ବାଣ ଦାସ ସଜା ଶୁଣାଇବା ସହ କହିଥିଲେ, ‘ଏହା ରେୟାରେଷ୍ଟ ଅଫ ରେୟାର ମାମଲା ନୁହେଁ । ଏଥିରେ ମୃତ୍ୟୁ ଦଣ୍ଡ ଦିଆଯାଇ ପାରିବ ନାହିଁ ।’ ଏହା ସହ ମୃତକାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।  ଜାନୁଆରୀ ୧୮ରେ ସଂଜୟକୁଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଜାନୁଆରୀ ୨୦ରେ ୧୬୪ ପୃଷ୍ଠାର ରାୟ ଶୁଣାଇଥିଲେ । ସଂଜୟର ପରିବାର ଲୋକେ କହିଥିଲେ, ସଂଜୟକୁ ଫାଶୀ ହୋଇଗଲେ ବି ଆମେ ଏହା ବିରୋଧରେ କୋର୍ଟରେ ଅପିଲ କରିବୁ ନାହିଁ ।