ସୋଆରେ ‘କ୍ରିୟାଟିଭୋ କ୍ଲବ୍’ ଉଦ୍ଘାଟିତ, କୃଷି ଓ କୃଷକର ଉନ୍ନତି ହେବ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ବୁଧବାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ ଡିମଡ୍ ଟୁ ବି ୟୁନିଭର୍ସିଟି)ରେ ଉଦ୍ଘାଟିତ ହୋଇଛି ‘କ୍ରିୟାଟିଭୋ କ୍ଲବ୍’ । ସୋଆ ଉପସଭାପତି ଶାସ୍ୱତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘କ୍ରିୟାଟିଭୋ କ୍ଲବ୍’ର ଉଦ୍ଘାଟନ କରି କହିଛନ୍ତି, ଏହି କ୍ଲବ୍ ମାଧ୍ୟମରେ କୃଷି ଓ କୃଷକଙ୍କର ଉନ୍ନତି କରାଯିବ । ଏହି ଅବସରରେ କୃଷି ପ୍ରଣାଳୀର ଉନ୍ନତିକରଣ ପାଇଁ ‘ଆଶା’ କାର୍ଯର୍୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏଥିରେ ସୋଆର ବିଭିନ୍ନ କ୍ୟାମ୍ପସ୍ ନିକଟବର୍ତ୍ତର୍ି ଅଞ୍ଚଳରେ ଥିବା ଚାଷୀମାନେ ଉପକୃତ ହୋଇ ପାରିବେ ବୋଲି ଶ୍ରୀମତୀ ଦାସ କହିଛନ୍ତି । ଚାଷ କାର୍ଯ୍ୟରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ପ୍ରତି କୃଷି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କୁ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଛାତ୍ରଛାତ୍ରୀମାନେ ପାଠ ପଢ଼ା ସହିତ ନିଜର ଅର୍ନ୍ତନିହିତ ପ୍ରତିଭାକୁୁ ବିକଶିତ କରି ସମାଜର ବିଭିନ୍ନ ବର୍ଗରେ ନିଜକୁ ନିୟୋଜନ କରିବା ପାଇଁ ‘ଜାଗୋ’ ନାମରେ ଏକ ଅଭିଯାନ ଆଇଟିଇଆର୍ରେ ଆରମ୍ଭ ହୋଇଥିଲା । ଏହି ଅଭିଯାନ ଏବେ ସୋଆର ସବୁ କ୍ୟାମ୍ପସ୍କୁ ବ୍ୟାପ୍ତ କରାଯାଉଛି । ସୋଆର ଚତୁର୍ଥ କ୍ୟାମ୍ପସରେ ଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ରେ ଅନୁଷ୍ଠିତ ଉତ୍ସବରେ ଶ୍ରୀମତୀ ଦାସ ଏହି ଘୋଷଣା କରିଛନ୍ତି । ଏହି କ୍ଲବ୍ ଏକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଭାବେ କାମ କରିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ଅମିତ୍ ବାର୍ନାଜୀ ଅଧ୍ୟକ୍ଷତା କରି କହିଛନ୍ତି, ଛାତ୍ରଛାତ୍ରୀମାନେ ମୋବାଇଲ୍ ଓ ଖେଳରେ ଅଧିକ ସମୟ ନଷ୍ଟ ନକରି ଗଠନାତ୍ମକ କାର୍ଯ୍ୟରେ ନିଜକୁ ନିବେଶ କରିବା ଉଚିତ୍ । ଅଧିକାଂଶ ସମୟ ଏହି କ୍ଲବ୍ରେ ବିନିଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିରେ ପିଲାମାନେ ନିଜର ଭାବନା ଓ ଅର୍ନ୍ତନିହିତ ଚିନ୍ତାଧାରାକୁ ବିଭିନ୍ନ ଆର୍ଟ ମାଧ୍ୟମରେ ପରିପ୍ରକାଶ କରିପାରିବେ । ଜ୍ଞାନର ବିକାଶ ପାଇଁ ପୁସ୍ତକ ଶେଷ ମାଧ୍ୟମ ନୁହେଁ । ପୁସ୍ତକ ବାହାରେ ମଧ୍ୟ ଆଉ ଏକ ଦୁନିଆ ଅଛି । ଯାହା ପିଲାମାନଙ୍କର ଜ୍ଞାନର ପରିସୀମା ବୃଦ୍ଧି କରିପାରିବ ବୋଲି ପ୍ରଫେସର ବାର୍ନାଜୀ କହିଛନ୍ତି ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିବା ବେଳେ ସୋଆ ଆଇଏଏସ୍ ଡିନ୍ ପ୍ରଫେସର ବି.କେ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଡିନ୍ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ‘କ୍ରିୟାଟିଭୋ କ୍ଲବ୍’ର ଲୋଗୋ ଉନ୍ମୋଚିତ ହୋଇଥିଲା । ସଙ୍ଗୀତ, ଡ୍ୟାନ୍ସ, ଆର୍ଟ, ଡ୍ରାମା, ଶିକ୍ଷା ଓ ଫୋଟଗ୍ରାଫିକୁ ଏହି ଲୋଗୋରେ ସ୍ଥାନ ଦିଆଯାଇଛି । ଏହି ଅବସରରେ ସୋଆ କ୍ୟାମ୍ପସ୍-୪ର ନିକଟବର୍ତ୍ତି ବସ୍ତିର ୫୦ରୁ ଅଧିକ ମେଧାବୀ କୁନିକୁନି ପିଲା ଓ ସୋଆର ବିଭିନ୍ନ ପ୍ରତିଯୋଗୀତାରେ କୃର୍ତ୍ତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ଦାସ ପୁରସ୍କୃତ କରିଥିଲେ ।