ମାସକୁ ୧୮ ହଜାର ଦରମା ଦିଅ: କୃଷକ ସାଥୀ ସଂଘ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): କୃଷକ ସାଥୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସହିତ ମାସିକ ୧୮ ହଜାର ଟଙ୍କା ଦରମା ପ୍ରଦାନ କରାଯାଉ । ଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ଏଭଳି ଦାବି ନେଇ ବିଧାନ ସଭା ସମ୍ମୁଖରେ ଧାରଣା ଦିଆଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସଂଘ ଚେତାବନୀ ଦେଇଛି ।ସଂଘର କାର୍ଯ୍ୟକାରୀ ସଭାପତି ଅମୂଲ୍ୟ କୁମାର କରଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଭୁବନେଶ୍ୱର ଷ୍ଟେସନ ନିକଟରୁ ରାଲିରେ ଆସି ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଂଘର ସମ୍ପାଦକ ଜିତେନ୍ଦ୍ର ସାହୁ କହିଲେ, କୃଷକ ସାଥୀମାନେ ସରକାରଙ୍କ କୃଷି ଭିତ୍ତିକ ବିଭିନ୍ନ ଯୋଜନାକୁ ଦୀର୍ଘ ୧୨ ବର୍ଷ ହେଲା ସୂଚାରୁ ଭାବେ ସମ୍ପାଦନ କରୁଛନ୍ତି । ରାଜ୍ୟ ସରକାରଙ୍କ ସବୁଠୁ ଲୋକପ୍ରିୟ ‘କାଳିଆ’ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମଧ୍ୟ ଏମାନେ ନିୟୋଜିତ ଅଛନ୍ତି । କିନ୍ତୁ ସରକାର ବର୍ଷ ବର୍ଷର୍ ହେଲା କୃଷକ ସାଥୀମାନଙ୍କୁ ଅଣଦେଖା କରୁଛନ୍ତି । ସରକାର ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ସଂଘର ଦାବି ପୂରଣ କରିବାକୁ ସେ ଦାବି କରିଛନ୍ତି ।