କୁମ୍ଭମେଳାରେ ଓଡ଼ିଶାର ଅମୃତ କଳସ

ଉତ୍ତର ଭୁବନେଶ୍ୱର,୧୭ା୧(ଆ.ପ୍ର.): ପ୍ରୟାଗରାଜ କୁମ୍ଭମେଳାରେ ଓଡ଼ିଶାର ଅମୃତକଳସ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଦୃଷ୍ଟିଆକର୍ଷଣ କରୁଛି । କ୍ରିୟାଯୋଗ ଫାଉଣ୍ଡେସନ ଟ୍ରଷ୍ଟ(ଭୁବନେଶ୍ୱର)ର ଅଧ୍ୟକ୍ଷ ଶଙ୍କରାନନ୍ଦ ଗିରି ମହାରାଜଙ୍କ ନିଜସ୍ୱ ଶିଳ୍ପକଳା ଓ କାରିଗରୀ କୌଶଳ ସାହାଯ୍ୟରେ ଏହି ଭବ୍ୟକଳସ ନିର୍ମାଣ ହୋଇଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଏହି ଅମୃତକଳସ ଉଦ୍ଘାଟିତ ହୋଇଛି । ଏହି ପବିତ୍ର କଳସର ଉଚ୍ଚତା ୫୪ଫୁଟ, ବ୍ୟାସ ୨୮ଫୁଟ ଏବଂ ଗୋଲେଇ ୮୮ଫୁଟ । ଏହି କଳସ ଶରୀର ପ୍ରତୀକ ଭାବରେ ପ୍ରାଣବାୟୁ ମୂଳାଧାର ଚକ୍ରଠାରୁ ସହସ୍ରାର ଚକ୍ର ପର୍ଯ୍ୟନ୍ତ କେବଳ ପ୍ରାଣ ପ୍ରବେଶ କରୁଥିବାର ତତ୍ତ୍ୱକୁ ଦର୍ଶାଯାଇଛି । କଳସରେ ଥିବା ନାରୀକେଳର ନିମ୍ନଭାଗରେ ରଖାଯାଇଛି ପଞ୍ଚପଲ୍ଲବ, ଯାହାକି ପଞ୍ଚଜ୍ଞାନେନ୍ଦ୍ରୀୟ ଓ ପଞ୍ଚଜ୍ଞାନ ତତ୍ତ୍ୱର ପ୍ରତୀକ । ଏହି କଳସ ଉପରକୁ ଏକକାଳୀନ ୫୦ଜଣ ଜଣ ଚଢି ପାରିବାର ବ୍ୟବସ୍ଥା କରାଯାଇଛି । କୁମ୍ଭମେଳାର ଯେ କୌଣସି ସ୍ଥାନରୁ ଏହି ଅମୃତ କଳସ ଦୃଶ୍ୟମାନ ହେଉଛି ।
କଳସ ସମ୍ପର୍କରେ ସ୍ୱାମୀ ଶଙ୍କରାନନ୍ଦ କହିଛନ୍ତି ଯେ, ଏହି ଭଳି ଏକ କଳସ କୋଟିଏ ଟଙ୍କା ଖର୍ଚ୍ଚ କଲେ ବି ତିଆରି କରିବା ସମ୍ଭବ ନୁହେଁ । ମୁଁ ବିଶ୍ୱାସ କରିପାରୁନି ଏମିତି ଏକ ଭବ୍ୟ କଳସ ମୋ ନିଜସ୍ୱ କାରିଗରୀ କୌଶଳରେ ଓଡ଼ିଶାର ରେଢାଖୋଲ ଅଞ୍ଚଳର ସୁନାରାମ ମୁଣ୍ଡା ନାମକ ଜଣେ ୱେଲଡର ଏବଂ କତିପୟ ସହଯୋଗୀଙ୍କ ସାହାଯ୍ୟରେ ନିର୍ମାଣ କରାଯାଇଛି ।
କ୍ରିୟାଯୋଗ ଫାଉଣ୍ଡେସନ ଟ୍ରଷ୍ଟର ସମ୍ପାଦିକା ଡ. ବୀଣାପାଣି ରଥ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଏଭଳି କଳସ ମାତ୍ର ୨ ମାସ ଭିତରେ ନିର୍ମାଣ କରାଯାଇଛି । ଶରୀର ତତ୍ତ୍ୱ, ଯୋଗ ତତ୍ତ୍ୱ,ମାନବ ତତ୍ତ୍ୱକୁ ଆଧାର କରି କଳସ ତିଆରି କରାଯାଇଛି । ପ୍ରୟାଗରାଜ କୁମ୍ଭମେଳାରେ ଓଡ଼ିଶାରୁ କ୍ରିୟାଯୋଗ ଫାଉଣ୍ଡେସନ ଟ୍ରଷ୍ଟର ଉପସଭାପତି ସ୍ୱାମୀ କାଳିକାନନ୍ଦ ଗିରି, ସ୍ୱାମୀ ଆତକମାନିଷ୍ଠା ନନ୍ଦ ଗିରି, ସ୍ୱାମୀ ସର୍ବଗୁଣାନନ୍ଦ ଗିରିଙ୍କ ନେତୃତ୍ୱରେ ୨୦୦ଜଣ ସଂକୀର୍ତ୍ତନମଣ୍ଡଳୀଙ୍କ ସହିତ ଜଗନ୍ନାଥ ରଥ, ରାମ, ହନୁମାନ ରଥ, ଗୋମାତା ରଥ, କଳସ ରଥ ଗଙ୍ଗାଯଜ୍ଞ ରଥ କୁମ୍ଭମେଳାରେ ପରିକ୍ରମା କରୁଛନ୍ତି ।