ନୂଆପଡ଼ା/ସିନାପାଲି, ୨୮/୦୨: ଆଜିର  ଦିନରେ ଜମି ପାଇଁ ଭାଇ-ଭାଇ, ବାପା-ପୁଅ ମଧ୍ୟରେ  କଳିଝଗଡ଼ା ହେଉଛି । ଜୀବନ ବି ଯାଉଛି । ରକ୍ତ  ସମ୍ପର୍କୀୟଙ୍କୁ ଲୋକେ ଇଞ୍ଚେ ଜମି ଛାଡୁନାହାନ୍ତି । କିନ୍ତୁ  ଖେଳର ବିକାଶ ପାଇଁ ୯୫ ବର୍ଷୀୟା ବୃଦ୍ଧା ସାବିତ୍ରୀ ମାଝି  ୫ ଏକର ଜମିଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି ।   ଗାଁରେ ପିଲାମାନେ ଖେଳିବେ । କ୍ରୀଡ଼ା ପ୍ରତିଭା ବିକଶିତ  ହେବେ । ଗାଁ ସୁନାମ ଅର୍ଜନ କରିବ । ଏଭଳି ମହତ୍‌  ଚିନ୍ତାଧାରା ରହି ବହୁମୂଲ୍ୟ ୫ ଏକର ଜମିକୁ ଖେଳିବା  ପାଇଁ ଛାଡ଼ି ଦେଇଛନ୍ତି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ  ସିଙ୍ଗଝର ଗାଁର ସାବିତ୍ରୀ ।  

କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାରେ  ସିଙ୍ଗଝର ଗାଁରେ ସ୍ୱତନ୍ତ୍ର ପରିଚୟ ରହିଛି । ଦୀର୍ଘ ୪୦  ବର୍ଷ ହେଲା ଏଠାର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର  ଆୟୋଜନ ହେଉଛି । ପ୍ରତିବର୍ଷ ଗାଁରେ ଆନ୍ତଃରାଜ୍ୟ  କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜନ କରି  ଜିଲ୍ଲା ଓ ରାଜ୍ୟ ବାହାରେ ପ୍ରଶଂସା ସାଉଁଟୁଛନ୍ତି ଅଞ୍ଚଳର  ଉତ୍ସାହୀ ଯୁବକ । ହେଲେ ଗାଁରେ ଖେଳପଡ଼ିଆ ନ  ଥିବାରୁ ବ୍ୟକ୍ତିଗତ ଚାଷଜମିରେ ସେମାନେ କ୍ରୀଡ଼ାଭ୍ୟାସ  କରୁଥିଲେ । ଏଥିପାଇଁ ଜମି ମାଲିକଙ୍କଠାରୁ ଗାଳିଗୁଲଜ  ଶୁଣୁଥିଲେ । ତଥାପି ବର୍ଷବର୍ଷ ଧରି ଖେଳ ଅଭ୍ୟାସ  ଜାରି ରଖିଥିଲେ ।   

ଖେଳ ପଡ଼ିଆ ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ  ନିକଟରେ ଅନେକ ଥର ଆବେଦନ କରିଥିଲେ ବି  ସବୁଥର ନିରାଶ ହେବାକୁ ପଡ଼ିଥିଲା । କ୍ରୀଡ଼ା ପ୍ରତି  ପ୍ରଶାସନର ଅବହେଳା ସାବିତ୍ରୀଙ୍କୁ ଆନ୍ଦୋଳିତ  କରିଥିଲା । ତେଣୁ ଖେଳପଡ଼ିଆ ପାଇଁ ସେ ବ୍ୟକ୍ତିଗତ ୫  ଏକର ଚାଷଜମି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।  ଇତିମଧ୍ୟରେ ସିନାପାଲି ବିଡିଓଙ୍କ ସହାୟତାରେ ରାଜ୍ୟ  ସରକାରଙ୍କୁ ଜମି ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇଛି। ଖେଳାଳିମାନେ ଜମି ସମତୁଲ କରି ପଡ଼ିଆରେ ପରିଣତ  କରିଛନ୍ତି । ସେଠାରେ ନିୟମିତ କ୍ରୀଡ଼ାଭ୍ୟାସ ଅଭ୍ୟାସ  କରୁଛନ୍ତି । ସାବିତ୍ରୀଙ୍କ ଏଭଳି ଉତ୍ସର୍ଗୀକୃତ ମନୋଭାବକୁ  ଅଞ୍ଚଳବାସୀ ଭୁରିଭୁରି ପ୍ରଶଂସା କରିଛନ୍ତି । ସାବିତ୍ରୀଙ୍କ  ବଦାନ୍ୟତା ପାଇଁ ଗାଁର ପ୍ରେମଚାନ୍ଦ ବୈଠାରୁ, ସଞ୍ଜୟ  ବୈଠାରୁ, ଭୁବନ ବୈଠାରୁ କୃତଜ୍ଞତା ଜଣାଇଛନ୍ତି ।  ସାବିତ୍ରୀଙ୍କ ମହନୀୟତା ପ୍ରଶଂସାଯୋଗ୍ୟ ବୋଲି ଜିଲ୍ଲା  କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ କହିଛନ୍ତି ।  

ସୂଚନାଯୋଗ୍ୟ, ସିଙ୍ଗଝର ଗାଁର ପୂର୍ବତନ  ଗୌନ୍ତିଆ ସ୍ୱର୍ଗତ ନୀଳାମ୍ବର ମାଝିଙ୍କ ବିଧବା ପତ୍ନୀ  ସାବିତ୍ରୀ । ସ୍ୱାମୀଙ୍କ ଦେହାନ୍ତ ଦୀର୍ଘଦିନ ତଳୁ ହୋଇଗଲାଣି । ସାବିତ୍ରୀଙ୍କ ବଡ଼ ପରିବାର । ୧୦  ପୁଅଝିଅ । ସମସ୍ତେ ବିବାହ କରି ସାରିଲେଣି । ତଥାପି  ଖେଳପଡ଼ିଆ ପାଇଁ ଜମି ଦେବାରେ କେହି ଆକଟ  କରି ନ ଥିଲେ । ଗୌନ୍ତିଆ ନୀଳାମ୍ବରଙ୍କ ୮୦ ଏକର  ଜମି ରହିଛି । ସେଥିରୁ ୫ ଏକର ମହତ୍‌ କାର୍ଯ୍ୟରେ ଲାଗିଥିବାରୁ ସପରିବାର ଖୁସିବ୍ୟକ୍ତ କରିଛନ୍ତି । ଜମିଦାନ  ସମ୍ପର୍କରେ ସାବିତ୍ରୀ କହିଛନ୍ତି, କ୍ରୀଡ଼ାର ଉନ୍ନତି ପାଇଁ  ପୂର୍ବପୁରୁଷଙ୍କ ଜମିଦାନ କରି ଆତ୍ମସନ୍ତୋଷ ମିଳିଛି ।  ଗାଁର ପିଲାମାନେ ପଡ଼ିଆରେ ଅଭ୍ୟାସ କରିବେ ।  ବାହାରେ ଖେଳି ସୁନାମ ଆଣିବେ । ତା’ଠାରୁ ବଡ଼  କଥା କ’ଣ ଅଛି ବୋଲି ସାବିତ୍ରୀ କହିଛନ୍ତି ।