ଲୁଟେରାକୁ କାବୁ କଲେ ମହିଳା

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ସୁନାଚେନ୍ ଝାମ୍ପୁଥିଲା ବେଳେ ଲୁଟେରା ସହିତ ଲଢ଼ିଲେ ଜଣେ ସାହସୀ ମହିଳା । ଜଣକୁ କାବୁ କଲେ । ଅନ୍ୟ ଜଣେ ଲୁଟେରା ଭୟରେ ଚମ୍ପଟ ମାରିଲା । ମହିଳାଙ୍କ ଦ୍ୱାରା ଧରା ପଡ଼ିଥିବା ଲୁଟେରାକୁ ଲୋକେ ବାନ୍ଧି ନିସ୍ତୁକ ମାଡ଼ ମାରି ପୁଲିସ୍ ଜିମା ଦେଇଛନ୍ତି । ଏଭଳି ଅଦମ୍ୟ ସାହସ ଦେଖାଇଛନ୍ତି ଜିଜିପି କଲୋନି ମଳୟ ବିହାରରେ ରହୁଥିବା ଅଭିଜିତା ମହାପାତ୍ର । ଲୁଟେରାକୁ ଧରିବା ବେଳେ ଅଭିଜିତାଙ୍କ ବେକରେ ଆଘାତ ଲାଗିଛି । ଧରାପଡ଼ିଥିବା ଲୁଟେରା ଜଣକ ହେଲେ ପୁରୀ ଜିଲ୍ଲା କୋଣାର୍କର ସୋମନାଥ ଦାସ । ମଞ୍ଚେଶ୍ୱର ଥାନା ପୁଲିସ୍ ଏକ ମାମଲା ରୁଜୁ କରି ସୋମନାଥଙ୍କୁ ଗିରଫ କରିଛି । ଚମ୍ପଟ ମାରିଥିବା ସୋମନାଥଙ୍କ ସହଯୋଗୀ କାଳିଆଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି । ଅଭିଜିତାଙ୍କ ଏଭଳି ସାହସୀକତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟୁଇଟ୍ କରି ପ୍ରଶଂସା କରିଛନ୍ତି । ଏଥିସହ ପୁଲିସ୍ କମିଶନର ସତ୍ୟଜିତ ମହାନ୍ତି କମିଶନରେଟ୍ ପୁଲିସ୍ ମୁଖ୍ୟାଳୟରେ ଅଭିଜିତାଙ୍କୁ ପୁରସ୍କୃତ କରିଛନ୍ତି ।
ଅଭିଜିତାଙ୍କ ଘର ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ପଞ୍ଚରିଡା ଅଞ୍ଚଳରେ । ତାଙ୍କ ସ୍ୱାମୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ ଚାକିରି କରୁଛନ୍ତି । ଅଭିଜିତାଙ୍କ ପରିବାର ମଳୟ ବିହାର ପ୍ଳଟ୍ ନମ୍ବର ୩୮୩୮/୯ରେ ରହୁଛନ୍ତି । ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଅଭିଜିତା ତାଙ୍କ କୁନି ଝିଅକୁ ଆଣିବାକୁ ଜଗନ୍ନାଥ ନଗରକୁ ଯାଉଥିଲେ । ଘର ଠାରୁ ମାତ୍ର କିଛି ବାଟ ଗଲା ପରେ ଲୁଟେରା ସୋମନାଥ ଓ କାଳିଆ ପଛପଟୁ ଏକ ବାଇକ୍ରେ ଆସି ତାଙ୍କ ବେକରୁ ସୁନା ଚେନ୍ ଝାମ୍ପିବାକୁ ଯୋଜନା କରିଥିଲେ । କାଳିଆ ବାଇକ୍ ଚଳାଉଥିଲେ ଓ ସୋମନାଥ ପଛରେ ବସିଥିଲେ । ଅଭିଜିତାଙ୍କ ପାଖରେ ପହଞ୍ଚି ତାଙ୍କୁ ଏକ ଠିକଣା ପଚାରିଥିଲେ ସୋମନାଥ । ଏହି ସମୟରେ ମୌକା ଦେଖି ସୋମନାଥ ସୁନା ଚେନ୍ ଝାମ୍ପିବାକୁ ଉଦ୍ୟମ କରିଥିଲେ । ହେଲେ ଚେନ୍ ହାତରେ ଲାଗି ନଥିଲା । ସଙ୍ଗେ ସଙ୍ଗେ ସୋମନାଥ ବାଇକ୍ରୁ ଓହ୍ଲାଇ ଆସି ଅଭିଜିତାଙ୍କୁ ଧକ୍କା ମାରି ତଳେ ପକାଇ ତାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ଦେଇଥିଲେ । ଲୁଟେରା ସୋମନାଥ ହାତରେ କୌଣସି ମାରଣାସ୍ତ୍ର ନଥିଲା । ଏହି ସମୟରେ ଅଭିଜିତା ଉପସ୍ଥିତ ବୁଦ୍ଧି ଖଟାଇ ସୋମନାଥକୁ ମାଡ଼ି ବସି ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି କିଛି ଲୋକ ପଳାଇ ଆସିଥିଲେ । ଏହାଦେଖି କାଳିଆ ବାଇକ୍ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଏହି ଖବର ଚାରିଆଡେ ବିଜୁଳି ବେଗରେ ଖେଳି ଯାଇଥିଲା । ଲୋକେ ମାଡ଼ିଆସି ସୋମନାଥଙ୍କୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ୍ ପହଞ୍ଚି ସୋମନାଥଙ୍କୁ ସେଠାରୁ ଉଦ୍ଧାର କରି ଥାନାକୁ ନେଇଥିଲା । ଅଭିଜିତାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁକରି ସୋମନାଥଙ୍କୁ ଗିରଫ କରିଛି । ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି । ଚେନ୍ ଛିଣ୍ଡାଇବା ସମୟରେ ଅଭିଜିତାଙ୍କ ବେକରେ ଆଘାତ ଲାଗିଥିଲା । ତାଙ୍କୁ ପୁଲିସ ହସ୍ପିଟାଲ୍ ନେଇ ଚିକିତ୍ସା କରାଇଥିଲା । ଅଭିଜିତାଙ୍କ ଏଭଳି ସାହସିକତା ବିଷୟ ବିଭିନ୍ନ ଗଣମାଧ୍ୟମରେ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରଶଂସା କରିଛନ୍ତି ।