ମୁମ୍ବାଇ ମାରାଥନ: ଲାଗାଟ, ଆଲେମୁ ଚାମ୍ପିଅନ୍

ମୁମ୍ବାଇ, ୨୦ା୧(ଏଜେନ୍ସି): କେନିଆର କସମାସ ଲାଗାଟ ଓ ଇଥିଓପିଆର ୱର୍କନେସ ଆଲେମୁ ଚଳିତ ବର୍ଷ ମୁମ୍ବାଇ ମାରଥନ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛନ୍ତି । ଗତ ସେଭିଲା ମାରାଥନ ଚାମ୍ପିଅନ୍ ଲାଗାଟ ନିର୍ଦ୍ଧାରିତ ୪୨.୧୯୫ ମିଲୋ ମିଟର ଦୂରତାକୁ ୨ଘଣ୍ଟା, ୯ମିନିଟ୍ ୧୫ ସେକେଣ୍ଡରେ ଅତିକ୍ରମ କରିଥିଲେ । ଇଥିଓପିଆର ଆୟେଚ୍ୟୁ ବାଣ୍ଟି ୨ଘଣ୍ଟା ୧୦ମିନିଟ୍ ୫ସେକେଣ୍ଡରେ ଦୂରତା ଅତିକ୍ରମ କରି ଦ୍ୱିତୀୟ ଓ ସାଥୀ ରେସର ଆକାନ୍ୟୁ ସୁମେଟ୍ ୨ଘଣ୍ଟା ୧୦ମିନିଠ୍ ୧୦ ସେକେଣ୍ଡ ସହ ତୃତୀୟ ସ୍ଥାନ ଅଧିକାର କରିଥିଲେ । ମହିଳା ବର୍ଗରେ ଆଲେମୁ ନିର୍ଦ୍ଧାରିତ ଦୂରତାକୁ ୨ଘଣ୍ଟା ୨୫ମିନିଟ୍ ୪୫ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ଆମାନେ ଗୋବେନା ୨ଘଣ୍ଟା ୨୬ମିନିଟ୍ ୦୯ ସେକେଣ୍ଡ ସହ ଦ୍ୱିତୀୟ ଓ ବିର୍କେ ଡେବେଲ ୨ଘଣ୍ଟା ୨୬ମିନିଟ ୩୯ସେକେଣ୍ଡ ସହ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଭାରତୀୟଙ୍କ ମଧ୍ୟରେ ସୁଦ୍ଧା ସିଂହ ୨ଘଣ୍ଟା ୩୪ମିନିଟ୍ ୫୬ସେକେଣ୍ଡରେ ଦୂରତା ଅତିକ୍ରମ କରି ସେପ୍ଟେମ୍ବରରେ ହେବାକୁ ଥିବା ଦୋହା ବିଶ୍ୱଚାମ୍ପିଅନ୍ସିପ୍କୁ ଯୋଗ୍ୟତା ଅର୍ଜନ କରିଥିଲେ । ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ପୂର୍ବରୁ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୨ଘଣ୍ଟା ୩୫ମିନିଟ୍ ୩୫ ସେକେଣ୍ଡ ରହିଥିଲା । ୨୦୧୫ ବେଜିଂ ବିଶ୍ୱ ଚାମ୍ପିଅନ୍ସିପ୍ରେ ସେ ଏହି ସମୟ ସହ ଦୂରତା ଅତିକ୍ରମ କରିଥିଲେ ।
ଭାରତୀୟ ପୁରୁଷ ବର୍ଗରେ ନିତେନ୍ଦର ସିଂ ରାୱତ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେ ନିର୍ଦ୍ଧାରିତ ଦୂରତାକୁ ୨ଘଣ୍ଟା ୧୫ମିନିଟ୍ ୫୨ ସେକେଣ୍ଡରେ ଅତିକ୍ରମ କରି ବିଶ୍ୱ ଚାମ୍ପିଅନ୍ସିପ୍କୁ ଯୋଗ୍ୟତା ଅର୍ଜନ କରିଥିଲେ । ସେହିପର ଗୋବି ଥାନାକୋଇ ୨ଘଣ୍ଟା ୧୭ମିନିଟ୍ ୦୩ ସେକେଣ୍ଡ ସହ ଦ୍ୱିତୀୟ ଓ କରଣ ସିଂ ୨ଘଣ୍ଟା ୨୦ମିନିଟ୍ ୧୦ ସେକେଣ୍ଡ ସହ ତୃତୀୟ ସ୍ଥାନ ଅଧିକାର କରିଥିଲେ ।