ପ୍ରେମ ପାଇଁ ଯୁବକ ଜଳିଯିବା ଘଟଣା: ଆତ୍ମହତ୍ୟା କରିନି, ଲିଟୁକୁ ପେଟ୍ରୋଲ ଢାଳି ଜାଳିଦେଲେ ପ୍ରେମିକା ପରିବାର !

ପୁରୀ,୨୪/୦୩: ପ୍ରେମ ପାଇଁ ଯୁବକ ଜଳିଯିବା ଘଟଣା ନେଇଛି ଭିନ୍ନ ମୋଡ଼ । ସଦର ଥାନା ଅଧୀନ ଖଡ଼ିପଦା ଘୋଡ଼ାଗାଡ଼ିଆ ରେବତୀରମଣ ଗ୍ରାମର ସୂର୍ଯ୍ୟକାନ୍ତ ମାଝୀ ଓରଫ ଲିଟୁ (୨୩) ଆତ୍ମହତ୍ୟା କରିନାହାନ୍ତି । ପେଟ୍ରୋଲ୍ ଢାଳି ତାଙ୍କୁ ଜାଳି ଦିଆଯାଇଛି ବୋଲି ସଙ୍ଗିନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ପ୍ରେମ ପାଇଁ ତାଙ୍କୁ ପ୍ରେମିକାର ପରିବାର ଲୋକେ ବାସେଳି ସାହି ଥାନା ଅଧୀନ ଶଙ୍କରେଶ୍ୱରଙ୍କ ମନ୍ଦିର ପାଖ ଜଙ୍ଗଲରେ ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଏସ୍ପିଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ବାସେଳି ସାହି ଥାନା ପୁଲିସ ତଦନ୍ତ ଜାରି ରଖିଛି ।
ଲିଟୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ପ୍ରେମ ସମ୍ପର୍କରୁ ଆରମ୍ଭ ହୋଇଥିଲା ବିବାଦ । ଲିଟୁ ପୁରୀରେ ଏକ କଂସାପିତ୍ତଳ ଦୋକାନରେ କାମ କରନ୍ତି । ନିଜ ଅଞ୍ଚଳର ଜଣେ ଯୁବତୀଙ୍କୁ ସେ ପ୍ରେମ କରୁଥିଲେ । ଯୁବତୀ ମଧ୍ୟ ଲିଟୁଙ୍କୁ ପ୍ରେମ କରି ସମ୍ପର୍କରେ ଥିଲେ । ଉଭୟଙ୍କ ଅନେକ ଯୁଗଳ ଫଟୋ ପରିବାର ଲୋକଙ୍କ ହସ୍ତଗତ ହୋଇଛି । କିଛି ମାସ ତଳୁ ପ୍ରେମିକାର ପରିବାର ଲିଟୁଙ୍କୁ ବିରୋଧ କରୁଥିଲେ । ହେଲେ ଯୁବତୀ ଜଣକ ଲିଟୁଙ୍କ ସହ ପ୍ରେମ ସମ୍ପର୍କରେ ରହି ବିଭିନ୍ନ ସ୍ଥାନ ବୁଲାବୁଲି କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି କାରଣକୁ କେନ୍ଦ୍ର କରି ଗତ ବର୍ଷ ଯୁବତୀର ପରିବାର ଲୋକେ ତାଳବଣିଆ ଜଙ୍ଗଲରେ ହତ୍ୟା ଉଦ୍ୟମ କରି ଲିଟୁଙ୍କୁ ଫିଙ୍ଗି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ହେଲେ ଲିଟୁ ବଞ୍ଚି ଯାଇଥିଲେ ।
ଗତ ୬ ତାରିଖରେ ଲିଟୁ କାମ କରୁଥିବା ଦୋକାନକୁ ଯାଇଥିଲେ । ତାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା । ଏହାପରେ ସେ ମାଲିକଙ୍କ ଗାଡ଼ି ନେଇ ଦୋକାନରୁ କେଉଁଆଡ଼େ ପଳାଇଥିଲେ । ସେହିଦିନ ଅପରାହ୍ନ ପ୍ରାୟ ୨ଟା ସମୟରେ ଶଙ୍କରେଶ୍ୱର ମନ୍ଦିର ନିକଟ ଜଙ୍ଗଲରେ ଥିବା ଏକ ଭଙ୍ଗା ଘରେ ତାଙ୍କୁ ଦୁର୍ବୃତ୍ତ ପେଟ୍ରୋଲ୍ ଢାଳି ଜାଳି ଦେଇଥିଲେ ବୋଲି ଲିଟୁଙ୍କ ମା’ ମାଗୁଣୀ ମାଝୀ କହିଛନ୍ତି । ଅର୍ଦ୍ଧଦଗ୍ଧ ଶରୀରକୁ ଉଦ୍ଧାର କରି ବାସେଳି ସାହି ଥାନା ପୁଲିସ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଚାରି ପାଞ୍ଚଜଣ ମିଶି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲେ ବୋଲି ଆମ୍ବୁଲାନ୍ସରେ କଟକ ଯିବାବେଳେ ବାଟରେ ଲିଟୁ ବୟାନ ଦେଇଥିଲେ ବୋଲି କହିଛନ୍ତି ତାଙ୍କ ଦାଦା ସୁମନ୍ତ ମାଝୀ । ଏପରିକି ଲିଟୁଙ୍କୁ ଜାଳିବା ପର ଠାରୁ ସମ୍ପୃକ୍ତ ଯୁବତୀର ପରିବାର ଲୋକେ ଘର ଛାଡ଼ି ପଳାଇଥିବା ମଧ୍ୟ ସେ କହିଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ସହ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମୃତ ଲିଟୁଙ୍କ ବାପା ଅଛବ ମାଝୀ (୬୧) । ବାସେଳି ସାହି ଥାନା ଆଇଆଇସି କୁଳମଣି ସେଠୀ କହିଛନ୍ତି ଯେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । କିନ୍ତୁ ପରିବାରର ଅଭିଯୋଗ କ୍ରମେ ଏନେଇ ଏକ ହତ୍ୟା ମାମଲା ରୁଜୁ ହେବ । ମାମଲାର ତଦନ୍ତ ହେବା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି ।