ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ଏୟାର ଆମ୍ବୁଲାନ୍ସରେ ନିଆଯିବ ଦିଲ୍ଲୀ

ପାଟନା ୦୬/ ୦୭: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ବିହାରର ପାଟନା ସ୍ଥିତ ପାରସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ଯାଇଥିବା ଜଣାପଡିଛି । ଏ ନେଇ ମେଡିକାଲ ଟିମ୍ ପକ୍ଷରୁ ସୂଚନା ଜାରିକରାଯାଇଛି । ସ୍ବାସ୍ଥ୍ୟାବସ୍ଥା ଧିରେଧିରେ ବିଗୁଡୁଥିବାରୁ ଲାଲୁଙ୍କୁ ଦିଲ୍ଲୀ ନେବାର ବ୍ୟବସ୍ଥା କରାଯାଉଛି । ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦିଲ୍ଲୀ ଏମସ୍ ନିଆଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲାଲୁଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ଫୋନ କରି ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ଅନ୍ୟପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ପାରସ ହସ୍ପିଟାଲରେ ପହଞ୍ଚି ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ କଥା ହୋଇଛନ୍ତି । ଗତ ରବିବାର ଦିନ ଘର ସିଡିରୁ ପଡି ଗୁରୁତର ହୋଇଥିଲେ ଲାଲୁ । ତାଙ୍କର କାନ୍ଧର ହାଡ ଭାଙ୍ଗିଯାଇଥିଲା । ଶରୀରର ଅନ୍ୟ ସ୍ଥାନରେ ମଧ୍ୟ ଗମ୍ଭୀର ଭାବେ ଆଘାତ ଲାଗିଥିଲା । ବଡ କଥା ହେଉଛି ପୂର୍ବରୁ ମଧ୍ୟ ଲାଲୁଙ୍କର କିଡନୀ ଏବଂ ହୃଦରୋଗ ସମସ୍ୟା ଥିଲା । ସୋମବାର ସେ ସାମାନ୍ୟ ଗୁରୁତର ହେବାରୁ ତାଙ୍କୁ ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପୁଅ ତେଜସ୍ବୀ ଯାଦବ କହିଛନ୍ତି, ‘ଆବଶ୍ୟକ ହେଲେ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନିଆଯିବ । ସମସ୍ତେ ରାଜନୀତି କରୁଛନ୍ତି କିନ୍ତୁ ବାପାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ସମସ୍ତେ ଏକଜୁଟ୍ ହୋଇଛନ୍ତି । ପିଏମ୍ ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଫୋନ କରି ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଅବଗତ ହୋଇଛନ୍ତି’ ।