ସୁନ୍ଦରଗଡ଼/ବୀରମିତ୍ରପୁର, ୨୯/୩(ଆପ୍ର): ଚଞ୍ଚକତା କରି ୪୧ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଶନିବାର ବନ୍ଧା ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡାର ବ୍ଲକ ରାଏବଗା ଲ୍ୟାମ୍ପସର ମୁଖ୍ୟ ପରିଚାଳକ(ଏମ୍‌ଡି) ଚିତ୍ତରଞ୍ଜନ ମହାନ୍ତି। ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। 

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୯-୨୦ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ରାଏବଗା ଲ୍ୟାମ୍ପସରେ ମାତ୍ରାଧିକ ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରାୟ ୪୩ ଲକ୍ଷ ଟଙ୍କା ଅଧିକ ବ୍ୟୟ ହୋଇଥିବା ଜଣାପଡ଼ିବା ପରେ  ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ (ଏସ୍‌ଡିସିସି) ଶାଖାର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ତଦନ୍ତ କରିଥିଲେ। ପ୍ରାୟ ୪୩ ଲକ୍ଷ ଟଙ୍କାର ଅଧିକ ବ୍ୟୟ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ସେ ରାଏବଗା ଲ୍ୟାମ୍ପସ ଏମ୍‌ଡିଙ୍କୁ ବାରମ୍ବାର ଚିଠି କରିଥିଲେ। 

ଏନେଇ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଦୁର୍ନୀତି ସନ୍ଦେହରେ ଭିଜିଲାନ୍ସକୁ ଅବଗତ କରାଇଥିଲେ। ଯାଞ୍ଚ ବେଳେ ୪୦ ଲକ୍ଷ ୬୮ ହଜାର ଟଙ୍କା ହଡ଼ପ ହୋଇଥିବା ସ୍ପଷ୍ଟ ହୋଇଥିଲା। ବ୍ୟୟ ସମ୍ପର୍କିତ ବିଲ୍‌ କିମ୍ବା କାଗଜପତ୍ର ଏମ୍‌ଡି ଶ୍ରୀ ମହାନ୍ତି ଦେଖାଇ ପାରି ନ ଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଛି। ଏ ନେଇ ତଦନ୍ତ ଜାରି ରହିଛି।