ଜମି ଦଖଲ ପାଇଁ ଦୋକାନ ଭଙ୍ଗା ଘଟଣା: ଦୁଇ ଲେଡି ଡନ୍ ଗିରଫ, ମୁଖ୍ୟ ଅଭିଯୁକ୍ତ ରାଘବ ଫେରାର

ଭୁବନେଶ୍ୱର,୩୧/୦୩: ଜାଗା ଦଖଲ ଦେବା ନାଁରେ ଦଲାଲ ମାମଲରେ ଦୁଇ ଲେଡି ଡନ୍ ଗିରଫ। ଦୋକାନ ଭାଙ୍ଗିବା ଓ ଲୁଟ୍ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଅଞ୍ଚଳରୁ ଲେଡି ଡନ୍କୁ ବାନ୍ଧିଛି ପୋଲିସ। ଗୁରୁବାର ଦୋକାନ ଭାଙ୍ଗିବା ଓ ଲୁଟ୍ କରିବା ଅଭିଯୋଗରେ ୭ଜଣ ବାଉନ୍ସରଙ୍କୁ ଗିରଫ କରି ରାସ୍ତାରେ ଚଲାଇ ଚଲାଇ କୋର୍ଟ ଚାଲାଣ କରିଥିଲା ନୂଆପଲ୍ଳୀ ଥାନା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମଳିପଡ଼ାର କୁଖ୍ୟାତ ଅପରାଧୀ ନକୁଳ ଜେନା, ନିଳାଦ୍ରୀବିହାରର ଆଶିଷ ଜେନା, ବରମୁଣ୍ଡାର ଦୀପକ ଦାସ, ସାଇନ୍ସପାର୍କ ବସ୍ତିର ଲକ୍ଷ୍ମୀକାନ୍ତ ଦାସ, ପିପିଲିର ରାଜେଶ ପାତ୍ର, ଡେଲାଙ୍ଗର ପ୍ରଦୀପ ବଳିଆରସିଂହ ଓ ଅନ୍ଧାରୁଆର ଆଶିଷ ରାୟ । ଏହି ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ ଝାରପଡ଼ାର ରାଘବ ଜେନା ଫେରାର ସୂଚନା ମିଳିଛି।

ନୂଆପଲ୍ଳୀ ଥାନା ଅଞ୍ଚଳରେ ଥିବା ହୋଟେଲ୍ ପ୍ରେସିଡେନ୍ସି ପାଖରେ ରହିଛି ପ୍ଲଟ୍ ନମ୍ବର-୧୪୭୦ । ଉକ୍ତ ପ୍ଲଟ୍ର ମାଲିକ ୫ ଭାଇ । ଜମି ଭାଗବଣ୍ଟାକୁ ନେଇ କୋର୍ଟରେ ମାମଲା ଚାଲିଛି । ଜଣେ ଭାଇ ଜମିର କିଛି ଅଂଶ ଅନ୍ୟକୁ ବିକ୍ରି କରି ଦେଇଛନ୍ତି । ବିକ୍ରି ହୋଇଥିବା ଜାଗାରେ ସୁବାସ ଅଗ୍ରୱାଲଙ୍କ ଦୋକାନ ଘର ଥିଲା । ସେ ଦୀର୍ଘ ୧୫ ବର୍ଷ ହେବ ଦୋକାନ ଘରର ଭଡ଼ା ଦେଉଥିଲେ । କୋର୍ଟରେ ମାମଲା ଥିବାରୁ ଜାଗା କିଣିଥିବା ବ୍ୟକ୍ତି ଏହାକୁ ଦଖଲକୁ ନେଇପାରୁନଥିଲେ । ଗତ ସପ୍ତାହରେ ରାଘବ ସହ ଯୋଗାଯୋଗ କରିଥିଲେ ଜମି କିଣିଥିବା ବ୍ୟକ୍ତି । ଦଖଲରେ ନେବାକୁ ୨୫ ଲକ୍ଷ ଟଙ୍କାରେ ଡିଲ ଚୂଡାନ୍ତ ହୋଇଥିଲା । ଜମି ମାଲିକଙ୍କ ଠାରୁ ଅଗ୍ରୀମ ନେବା ପରେ ରାଘବ ଲହଯୋଗୀ ନକୁଳ ଓ ଆଶିଷକୁ ଯୋଗାଯୋଗ କରିଥିଲା ।
ନକୁଳ ଓ ଆଶିଷ ଗତ ୨୪ ତାରିଖରେ ସୁବାସଙ୍କର କେବିଏମ୍ କନ୍ଷ୍ଟ୍ରକସନ୍ ଦୋକାନ ଦେଖିବାକୁ ଆସିଥିଲେ । ରାତି ୧୨ଟା ବେଳେ ବସ୍ରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ବସ୍ତିରୁ ୭୦ ଜଣ ମହିଳାଙ୍କୁ ଯୋଗାଡ଼ କରିଥିଲା ରାଘବ । ପ୍ରତି ମହିଳାଙ୍କୁ ହଜାରେ ଟଙ୍କା ଦିଆଯିବ ବୋଲି କହିଥିଲା । ନକୁଳ ଓ ଆଶିଷ କିଛି ବ୍ରାଉନ୍ସର ଓ ୨ଟି ଜେସିବି ଯୋଗାଡ଼ କରି ପହଞ୍ଚିଥିଲେ । ଡୋଜର ଲଗାଇ ଭଙ୍ଗାରୁଜା ଆରମ୍ଭ କରିଥିଲେ । ଦୁଇ ଘଣ୍ଟା ମଧ୍ୟରେ କୋଟି କୋଟି ଟଙ୍କା ମୂଲ୍ୟର ଟାଇଲ, ଫିଟିଙ୍ଗ୍ ଓ ପ୍ଲାଏଉଡ୍ ଉଠାଇ ନେଇଥିଲେ । ଏନେଇ ସୁବାସ ନୂଆପଲ୍ଳୀ ଥାନାରେ ଏତଲା ଦେଇଥିଲେ । ପୁଲିସ୍ ପ୍ରଥମେ ରାଘବର ୨ସହଯୋଗୀ ନକୁଳ ଓ ଆଶିଷକୁ ଗିରଫ କରିଥିଲା । ତା’ପରେ ରାଘବ ଘରେ ଚଢ଼ଉ କରିଥିଲା । ହେଲେ ସେ ଫେରାର ହୋଇଯାଇଥିଲା । ଅନ୍ୟ ଅଭିଯୁକ୍ତମାନଙ୍କୁ ଗତକାଲି ରାତିରେ ପୁଲିସ୍ ଧରିଥିଲା । ନକୁଳକୁ ପୂର୍ବରୁ ଏନ୍ଏସ୍ଏ ଦେଇଥିଲା କମିଶନରେଟ୍ ପୁଲିସ୍ । ଆଜି ଏହି ମାମଲାରେ ସଂପୃକ୍ତ ଥିବା ୨ ଜଣ ଲେଡ ଡନ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ।
ଏନେଇ ଡିସିପି କହିଛନ୍ତି, ଖୁବ୍ ଶୀଘ୍ର ରାଘବକୁ ଗିରଫ କରାଯିବ । ରାଘବ ଦୀର୍ଘ ବର୍ଷ ହେବ ଏମିତି ଦଖଲ କାରବାରରେ ମାତିଛି । ତା’ ବିରୋଧରେ କେହି ଏତଲା ଦେଉ ନଥିଲେ । ଏବେ କାହାକୁ ଡରିବାର ନାହିଁ । ଯଦି ଜମି ଦଖଲ ନାଁରେ କେହି ହଇରାଣ କରୁଛି ତା’ହେଲେ ୭୦୭୭୭୯୮୧୧୧ ନମ୍ବରରେ ଯୋଗାଯୋଗ କରନ୍ତୁ । ନ ହେଲେ ଡିସିପି ଅଫିସ୍ରେ ଅଭିଯୋଗ କରିବାକୁ ସେ କହିଛନ୍ତି । ଜମି ଦଖଲ ଦେବା ନାଁରେ ରାଜଧାନୀରେ ୭ରୁ ୮ ଗ୍ୟାଙ୍ଗ ସକ୍ରିୟ ଅଛନ୍ତି ।