ନୂଆଦିଲ୍ଲୀ ୧୮/୦୫: ଉଦ୍ଦେଶ୍ୟ ଥିଲା ଭାରତରେ ଆତଙ୍କବାଦୀ ଆକ୍ରମଣ । ସେହି ଲକ୍ଷ୍ୟରେ ଭାରତରେ ପ୍ରବେଶ କରିଥିଲା ଲସ୍କର-ଏ-ତୋଇବାର ପାକ୍ ଆତଙ୍କୀ । କିନ୍ତୁ ସ୍ୱପ୍ନ ପୂରଣ କରିବା ପାଇଁ ମିଶନକୁ ରୋକିଦେଲା । ଆତଙ୍କୀ ହମ୍ଲା ବଦଳରେ ସେ ଶ୍ରୀନଗରରେ କେଶ ପ୍ରତିରୋପଣ କରାଇଲା । ନକଲି ଆଧାର-ପାନ୍ କାର୍ଡ କରି ଭାରତରୁ ପଳାୟନ ଯୋଜନା କଲା ।
ଜାତୀୟ ଯାଞ୍ଚ ଏଜେନ୍ସି (ଏନ୍ଆଇଏ) ରବିବାର ଏ ବିଷୟରେ ସ୍ପଷ୍ଟ କରିଛି । ଆତଙ୍କବାଦୀର ନାଁ ମୋହମ୍ମଦ ଉସ୍ମାନ ଜଟ୍ଟ ଓରଫ୍ ‘ଚାଇନିଜ୍’ । ଗତ ମାସ ଶ୍ରୀନଗର ପୁଲିସ ଜଟ୍ଟ ଓ ଅବ୍ଦୁଲ୍ଲା ଓରଫ୍ ଅବୁ ହୁରୈରାକୁ ଗିରଫ କରିଥିଲା । ପରେ ଏହି ମାମଲା ଏନ୍ଆଇଏକୁ ହସ୍ତାନ୍ତର କରାଗଲା । ଉଭୟଙ୍କ ବିରୋଧରେ ଜମ୍ମୁ-କାଶ୍ମୀର ବାହାରେ ସ୍ଲିପର୍ ବେସ୍ ପ୍ରସ୍ତୁତିର ଅଭିଯୋଗ ରହିଛି । ଏନ୍ଆଇଏର ପଚରାଉଚରାରେ ଜଟ୍ଟ କହିଲା, କାଶ୍ମୀରର ପ୍ରକୃତ ଜୀବନ ଦେଖିବା ପରେ ତା’ର ଲକ୍ଷ୍ୟ ସମ୍ପୂର୍ଣ୍ଣ ବଦଳିଗଲା ।
ସେ ଆହୁରି କହିଲା, ପାକିସ୍ତାନରେ ଲସ୍କର ତାଲିମ କ୍ୟାମ୍ପ୍ରେ ତାକୁ କାଶ୍ମୀରକୁ ନେଇ ଯାହା ଯାହା କୁହାଯାଇଥିଲା, ଏଠାରେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଯାଞ୍ଚ ଅଧିକାରୀଙ୍କ ଅନୁସାରେ, ଉସ୍ମାନ ଜଟ୍ଟ ଲାହୋର ବାସିନ୍ଦା ଏବଂ ଲସ୍କରର ତାଲିମପ୍ରାପ୍ତ ସଦସ୍ୟ । ସେ ଉତ୍ତର ଓ ମଧ୍ୟ କାଶ୍ମୀରରେ ଆତଙ୍କୀ ଗତିବିଧିରେ ସମ୍ପୃକ୍ତ ଥିଲା । ତାକୁ ଭାରତରେ ଜମ୍ମୁ-କାଶ୍ମୀର ବାହାରେ ଆତଙ୍କବାଦୀଙ୍କ ସ୍ଲିପର୍ ସେଲ୍ ନେଟ୍ୱର୍କ ଗଠନ କାମ ଦିଆଯାଇଥିଲା । ସେ ଭାରତରେ ପ୍ରବେଶ କରିବା ପରେ ଶ୍ରୀନଗରର ପାହାଡ଼ିଆ ଅଞ୍ଚଳରେ ରହିଲା । ଏହି ସମୟରେ ପାକ୍ ଆତଙ୍କୀ ଜରଗାମ ଓ ଅବ୍ଦୁଲ୍ଲା ଓରଫ୍ ଅବୁ ହୁରୈରା ସହ ତା’ର ସାକ୍ଷାତ ହେଲା, ଯିଏକି ଜଣେ ଲସ୍କର ଆତଙ୍କୀ ।
ଆହୁରି ପଢ଼ନ୍ତୁ...Keralam CM Oath Ceremony: ଆଜି କେରଳମ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭି.ଡି ସତୀଶନ୍, ଉତ୍ସବରେ ସାମିଲ ହେବେ ଖଡ୍ଗେ,ରାହୁଲ
ଜଟ୍ଟ ଦୀର୍ଘ ବର୍ଷ ହେଲା ଗମ୍ଭୀର କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହେଉଥିଲା । କେଶ ପ୍ରତିରୋପଣ କରିବାକୁ ସେ ଚାହୁଁଥିଲା । କିନ୍ତୁ ଏଥିରେ ଅଧିକ ଟଙ୍କା ଖର୍ଚ୍ଚ ହୁଏ ବୋଲି ତା’ର ଧାରଣା ଥିଲା । କିନ୍ତୁ ଜଣେ ଦୋକାନୀଙ୍କ ସମ୍ପର୍କରେ ରହି ଏକ କ୍ଲିନିକ୍ରେ ସେ କେଶ ପ୍ରତିରୋପଣ କରାଇଲା । ଏହି ସମୟରେ ସେ ଅନେକ ଥର ରାତିରେ କ୍ଲିନିକ୍ରେ ରହିଥିଲା । ପ୍ରତିରୋପଣ ପରେ ଜଟ୍ଟ ପାସେଞ୍ଜର ଗାଡ଼ିରେ ଜମ୍ମୁ ଓ ତା’ପରେ ସ୍ଲିପର୍ ବସ୍ରେ ପଞ୍ଜାବର ମାଲେରକୋଟଲା ପହଞ୍ଚୁଥିଲା । ସେଠାରେ ତୁର୍କୀର ଟିଭି ଶୋ’ ଦେଖି ଇଂରାଜୀ ଶିଖବାକୁ ଚେଷ୍ଟା କରୁଥିଲା ।