PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ଥମୁନି ଆବାସ କଳି, ଆଜି ଅଭିଯୋଗ ଦାଖଲ ଶେଷ ଦିନ

awas yojana

www.jagran.com

ଭୁବନେଶ୍ୱର ୨୪/୦୧: ଆଜି ଶେଷ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ସ୍ଥାନ ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଅଭିଯୋଗ। ହେଲେ ଏପର୍ଯ୍ୟନ୍ତ ଆବାସ ହିତାଧିକାରୀ ତାଲିକା କଳି ଥମିବାର ନାମ ନେଉନି । ଉଭୟ ବିଜେପି ଓ ବିଜେଡି ପରସ୍ପର ବିରୋଧରେ ଆରୋପ, ପ୍ରତ୍ୟାରୋପରେ ମାତିଛନ୍ତି । ଆବାସ ଯୋଜନା ହିତାଧିକାରୀ ତାଲିକାରେ ଅଯୋଗ୍ୟଙ୍କ ନାଁ ନକଟିଲେ ବିଜେପି ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ କରିବ ଚେତାବନୀ ଦେଇଛି । ସେପଟେ ବରିଷ୍ଠ ବିଜେଡି ନେତା ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, ଆବାସ ଯୋଜନା ଘର ବଣ୍ଟନରେ ସ୍ୱଚ୍ଛତା ରଖିବା ପାଇଁ ସବୁ ପ୍ରକାର ପ୍ରୟାସ କରାଯାଇଛି । ମଙ୍ଗଳବାର ଅଭିଯୋଗରେ ଶେଷ ଦିବସ ସରିବା ପରେ ଏ ସମ୍ପର୍କିତ ସମସ୍ତ ଅଭିଯୋଗର ତନ୍ନ ତନ୍ନ ହୋଇ ଯାଞ୍ଚ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ୍‌ ପ୍ରତିଶ୍ରୁତି ଦେଇଛନ୍ତି ।

ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର ଷଡ଼ଯନ୍ତ୍ର କରି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ତାଲିକାରୁ ବାଦ୍‌ ରଖିଛନ୍ତି । ଜଣେ ହେଲେ ଯୋଗ୍ୟ ହିତାଧିକାରୀ ପକ୍କାଘର ପାଇବାରୁ ଯେପରି ବଞ୍ଚିତ ନହୁଅନ୍ତି, ସେଥିପାଇଁ ଭାରତୀୟ ଜନତା ପାର୍ଟି ସଜାଗ ଅଛି । ଆସନ୍ତାକାଲି ଅଭିଯାଗ ଦାଖଲ ଶେଷ ପରେ ରାଜ୍ୟ ସରକାର ଅଯୋଗ୍ୟ ହିତାଧିକାରୀଙ୍କୁ କାଟି ଯୋଗ୍ୟଙ୍କୁ ସାମିଲ କରିବାର ବ୍ୟବସ୍ଥା କରନ୍ତୁ । ଏ ସମ୍ପର୍କିତ ଦାବି ନେଇ ଆସନ୍ତା ୨୫ ତାରିଖ ଦିନ ବିଜେପି ତରଫରୁ ରାଜ୍ୟବ୍ୟାପୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯିବ । ୭ ଦିନ ଭିତରେ ସମସ୍ୟାର ସମାଧାନ ନହେଲେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆନ୍ଦୋଳନ କରାଯିବ । ଏହା ସତ୍ତେ୍ୱ ରାଜ୍ୟ ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତି, ବିଜେପି କେନ୍ଦ୍ର ସରକାରଙ୍କୁ ଅବଗତ କରିବା ସହ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ପୃଥ୍ୱୀରାଜ ରଣହୁଙ୍କାର ଦେଇଛନ୍ତି ।

ସେ କହିଛନ୍ତି, ରାଜ୍ୟରେ ଜଣେ ହେଲେ ବାସହୀନ ନ ରହି ସମସ୍ତଙ୍କୁ ପକ୍କାଘର ଯୋଗାଇବାର ଦାୟିତ୍ୱ ନେଇଛନ୍ତି କେନ୍ଦ୍ରର ମୋଦି ସରକାର । ପ୍ରଧାନମନ୍ତ୍ରୀଙ୍କର ଏକ ବହୁ ଆକାଂକ୍ଷିତ ଯୋଜନା ହେଉଛି “ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ । ରାଜ୍ୟରେ ଠିକ ଭାବେ ପ୍ରଣୟନ ନ ହେଲେ ବିଜେପି ତା’ର ଉପଯୁକ୍ତ ଜବାବ ଦେବ । ରାଜ୍ୟରେ ୨୭ ଲକ୍ଷ ପକ୍କାଘରର ଆବଶ୍ୟକତା ଥିବାବେଳେ ମୋଦି ସରକାର ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୮ ଲକ୍ଷ ଘର ମଞ୍ଜୁର କରିଛନ୍ତି । ଏବେ ଆବଣ୍ଟନ ହୋଇଥିବା ୯.୫୮ ଲକ୍ଷ ପକ୍କାଘର ପାଇଁ ଯୋଗ୍ୟ ତାଲିକା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର । ଦଳୀୟ ଆଧାରରେ ଏବଂ ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ଏହି ସଂଖ୍ୟା ୩ ଲକ୍ଷରୁ ଅଧିକ ହେବାର ଆଶଙ୍କା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଷଡ଼ଯନ୍ତ୍ର କରି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ରଖିଛନ୍ତି ।

ଜଣେ ହେଲେ ଯୋଗ୍ୟ ହିତାଧିକାରୀ ପକ୍କାଘର ପାଇବାରୁ ଯେପରି ବଞ୍ଚିତ ନହୁଅନ୍ତି, ସେଥିପାଇଁ ଭାରତୀୟ ଜନତା ପାର୍ଟି ସଜାଗ ଅଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ହରିଚନ୍ଦନ କହିଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭାବ୍ୟ ହିତାଧିକାରୀ ତାଲିକା ଗତ ୧୬ରେ ପ୍ରକାଶ ପାଇଥିଲା । ଏହି ତାଲିକାରେ ଥିବା ତ୍ରୁଟି ସମ୍ପର୍କରେ ଅଭିଯୋଗ କରିବା ପାଇଁ ୨୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଅଭିଯୋଗ ଗ୍ରହଣ କରିବା ପାଇଁ ମାଗଣା କଲ୍‌ ନମ୍ବର ଜାରି କରାଯାଇଛି । ସେହିପରି ଇ-ମେଲ୍‌ ଆଇଡି ମଧ୍ୟ ଦିଆଯାଇଛି । ୨୪ ସରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।