ଢେଙ୍କାନାଳ,୧୬/୧୨: ଜାତୀୟ ରାଜପଥ ପାର୍ଶ୍ବରେ  ଛିଡ଼ା ହୋଇଛି ୭ ମହଲା ବିଶିଷ୍ଟ ଆଲିସାନ୍ କୋଠା । ବାହାରୁ ଦେଖିବାକୁ ଚକାଚକ୍ । ଆଖି ଖୋସି ହୋଇଗଲା ଭଳି ଚାରିଆଡ଼େ କାଚର ଛାଉଣି । କୋଠା ନିର୍ମାଣ ସରିବାର ୬ ବର୍ଷ ବିତିଗଲାଣି । ହେଲେ ଯେଉଁ ଉଦ୍ଦେଶ୍ୟରେ ଏତେବଡ଼ କୋଠା ନିର୍ମାଣ ହୋଇଛି ତାହା କାମରେ ଆସିପାରୁ ନାହିଁ। ଢେଙ୍କାନାଳ ସହର ୫୫ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ ମହିଷାପାଟ ଛକରେ ଇଡ୍‌କୋ  ନିର୍ମାଣ କରିଥିବା ଅଫିସ୍ କମ୍ କମର୍ସିଆଲ୍ କମ୍ପେ୍ଲକ୍ସ କୋଠା ଏବେ ଭୂତକୋଠି ପାଲଟିଛି । ଅବ୍ୟବହୃତ ହୋଇ ପଡିଥିବା ଏହି କୋଠାର ମୁଖ୍ୟ ଦରଜା ଫାଟକ ଉପର ଅଂଶ ମହୁମାଛି କବ୍ଜା କରିନେଇଛନ୍ତି । ରକ୍ଷଣାବେକ୍ଷଣ ଅଭାବରୁ ସମ୍ମୁଖ ଭାଗ ବଗିଚା ଏବଂ ସୌନ୍ଦର୍ଯୀକରଣ ନଷ୍ଟ ହୋଇଗଲାଣି । ଶହେ କୋଟିରୁ ଊଦ୍ଧ୍ୱର୍ ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠାର ଭବିଷ୍ୟତ ଅନ୍ଧାର ଘେରକୁ ଠେଲି ହୋଇଯାଇଛି ।

କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ମହିଷାପାଟ ଛକ ନିକଟରେ ୨୦୧୯ ମସିହାରେ ଇଡ୍କୋ ପକ୍ଷରୁ ଅଫିସ୍ କମ୍ କମର୍ସିଆଲ୍ ନିମନ୍ତେ ବିଶାଳ ଅଟ୍ଟାଳିକା ନିର୍ମାଣ କରାଯାଇଛି । ଜିଲ୍ଲାରେ ଗଢ଼ି ଉଠିଥିବା ଶିଳ୍ପସଂସ୍ଥାମାନଙ୍କର କର୍ପୋରେଟ୍ ଅଫିସ୍, ଭଡ଼ାରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ, ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, ସପିଂ ମଲ୍ ତଥା ବ୍ୟାଙ୍କ ସମୂହଙ୍କ ସମସ୍ତ ସୁବିଧା ଗୋଟିଏ ଛାତ ତଳେ ଉପଲବ୍ଧ ପରିକଳ୍ପନା କରାଯାଇ ଏହାର ନିର୍ମାଣ କରାଯାଇଛି । ପ୍ରାୟ ୨.୪୧ ଏକର ପରିମିତ ଜମିରେ ନିର୍ମିତ ଏହି ଅଟ୍ଟାଳିକାରେ ଦୁଇଟି ଭୂତଳ ପାର୍କିଂ ସହିତ ୭ ମହଲା ସୁଉଚ୍ଚ କୋଠା ଠିଆ ହୋଇଛି । ବେସ୍‌ମେଣ୍ଟ୍‌ରେ ୨ ହଜାର ୩୮୫ ବର୍ଗଫୁଟର ପାର୍କିଂ ସହିତ ଲୋୟର ଗ୍ରାଉଣ୍ଡ୍ ଫ୍ଲୋର୍ରେ ୧ ହଜାର ୪୬୭ ବର୍ଗଫୁଟର ପାର୍କିଂ ବ୍ୟବସ୍ଥା ରହିଛି । ଅପର୍ ଗ୍ରାଉଣ୍ଡ୍ ଫ୍ଲୋର୍ରେ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ୨୨୦୦ ବର୍ଗଫୁଟ, ଦ୍ୱିତୀୟ ମହଲାରେ ୨୩୨୩ ବର୍ଗଫୁଟ, ତୃତୀୟ ମହଲାରେ ୨୨୫୧ ବର୍ଗଫୁଟ ଦୋକାନ ଘର ପାଇଁ ରହିଥିବା ବେଳେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ମହଲା ବିଭିନ୍ନ କାର୍ଯ୍ୟାଳୟ ପାଇଁ ସମାନ ଭାବରେ ୧୪୦୧ ବର୍ଗଫୁଟର ଜାଗା ରହିଛି । କୋଠାରେ ୭ଟି ଲିଫ୍ଟ୍, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ବିଦ୍ୟୁତ୍, ପାଣି, ଡିଜିସେଟ୍ ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଏହି ବିଶାଳ କୋଠାରେ ମୋଟ୍ ୧୭ ହଜାର ୩୩ ବର୍ଗଫୁଟ ସ୍ଥାନ ରହିଥିବା ବେଳେ ଏହାର ନିର୍ମାଣରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ହୋଇଛି ।

ଏହି କୋଠା ଭଡ଼ା ନେବାକୁ ହେଲେ ବର୍ଗଫୁଟ ବାର୍ଷିକ ୩୫୦ ଟଙ୍କା ଏବଂ ମାସିକ ୨୯ ଟଙ୍କା ୧୭ ପଇସା ଦର ରହିଛି । ପୁଣି ବାର୍ଷିକ ୫ ପ୍ରତିଶତ ବୃଦ୍ଧି ଓ ଆଇଆର୍ଆର୍ ୧୨ ପ୍ରତିଶତ ଇଡ୍କୋ ପକ୍ଷରୁ ଧାର୍ଯ୍ୟ କରାଯାଇଛି । ଦୀର୍ଘ ୬ ବର୍ଷ ତଳୁ ଏହାର ନିର୍ମାଣ ଶେଷ ହୋଇଛି । ନିର୍ମାଣ ପରଠାରୁ ଭଡ଼ା ନେଇ ‘ଟୁ-ଲେଟ୍’ ବିଜ୍ଞାପନ ଝୁଲୁଛି । ହେଲେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବଖରା ଭଡ଼ାରେ ଲାଗିପାରିନାହିଁ । ଏହି କୋଠାକୁ ଭଡ଼ାରେ ନେବାକୁ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ କିମ୍ବା କର୍ପୋରେଟ୍ ସଂସ୍ଥା ଆଗ୍ରହ ପ୍ରକାଶ କରୁନାହାନ୍ତି । ଏତେବଡ଼ କୋଠା ଅବ୍ୟବହୃତ ହୋଇ ପଡ଼ିଥିବାରୁ ପରିତ୍ୟକ୍ତ ଅବସ୍ଥାକୁ ଚାଲିଗଲାଣି । କୋଠାର ପ୍ରବେଶ ଦ୍ୱାର ଉପର ଭାଗରେ ଏକାଧିକ ମହୁମାଛି ବସା ଗଢ଼ି ଉଠିଲାଣି । ସୁନ୍ଦର ଓ ସବୁଜମୟ କରିବା ପାଇଁ କୋଠା ସମ୍ମୁଖରେ ନିର୍ମାଣ କରାଯାଇଥିବା ଲେନ୍ ତଥା ବଗିଚା ନଷ୍ଟ ହୋଇଗଲାଣି । ବଗିଚା ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ମାଳିମାନେ ପ୍ରାୟ ୪ ମାସ ହେବ ପାରିଶ୍ରମିକ ପାଇନଥିବାରୁ କାମକୁ ଆସୁନାହାନ୍ତି । ବଗିଚା ଶ୍ରୀହୀନ ହୋଇଗଲାଣି । ସେହିପରି ଅନ୍ୟାନ୍ୟ ଆନୁସଙ୍ଗିକ ଯନ୍ତ୍ରପାତି ମଧ୍ୟ ନଷ୍ଟ ହେବାକୁ ବସିଲାଣି । କୋଠାର ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ୍ କର୍ମଚାରୀ, ଜଳଯୋଗାଣ ପାଇଁ ପମ୍ପ୍ ଅପରେଟର୍, ଅଗ୍ନି ନିରାପତ୍ତା, ଲିଫ୍ଟ୍ ଅପରେଟର୍, ଜଗୁଆଳି ଆଦି ନିଯୁକ୍ତ ହୋଇଛନ୍ତି । ସେମାନଙ୍କ ବେତନ, ଜଳ ଟିକସ, ବିଦ୍ୟୁତ୍ ଟିକସ ଆକାରରେ ପ୍ରତି ମାସରେ ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ଟଙ୍କାଟିଏ ବି ଆୟ ନାହିଁ । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି ।