ଢେଙ୍କାନାଳ,୦୩/୧୦: ବର୍ଷା ପବନରେ ଭାଙ୍ଗି ପଡ଼ିଲା ଢେଙ୍କାନାଳ ଲକ୍ଷ୍ମୀପୂଜାର ଏକ ଲାଇଟ୍ ଗେଟ୍ । ଦକ୍ଷିଣକାଳୀ ରୋଡ୍ କାଳିକା ବଜାର ପୂଜା ପ୍ରତିଷ୍ଠାନର ଏକ ଲାଇଟ୍ ଗେଟ୍ ବୁଧବାର ସକାଳେ ପବନରେ ଭାଙ୍ଗି ପଡ଼ିଛି । ଗେଟ୍‌ଟି ରାସ୍ତା ଉପରେ ପଡ଼ିଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ବାଉଁଶଗୁଡିକ କାଟି ରାସ୍ତା ସଫା କରିଛି ।

ସୂଚନା ମୁତାବକ, ଆସନ୍ତା ୬ ତାରିଖରୁ ଲକ୍ଷ୍ମୀପୂଜା ଆରମ୍ଭ ହେଉଛି । ସହରର ୩୮ଟି କମିଟିର ଏକାଧିକ ଲାଇଟ୍ ଗେଟ୍, ତୋରଣ ତିଆରି ଚାଲିଛି । ଏପଟେ ଲଘୁଚାପ ଯୋଗୁଁ  ଦୁଇ ଦିନ ହେଲା ବର୍ଷା ପବନ ଲାଗିରହିଛି । ତେଣୁ ଦକ୍ଷିଣକାଳୀ ରୋଡ୍ କାଳିକା ବଜାର ପୂଜା ପ୍ରତିଷ୍ଠାନର ଲାଇଟ୍ ଗେଟ୍‌ ଭୁଶୁଡିପଡିଛି । ମାତ୍ର ସୌଭଗ୍ୟବଶତଃ କାହାର କୌଣସି କ୍ଷତି ହୋଇନାହିଁ । ​​​​​​​ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟ ରାସ୍ତା ହୋଇଥିବାରୁ କିଛି ସମୟ ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ରାସ୍ତା ସଫା କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଛି ।