ଭୁବନେଶ୍ଵର, ୨୯/୧୧ : ସୋଆ ସାହିତ୍ୟ ମହାକୁମ୍ଭରେ ଜାଭେଦ ଅଖତରଙ୍କ ବଡ଼ ବୟାନ। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଇଂରାଜୀ ଶିଖିବା ଜରୁରୀ। ଯେଉଁ ଅଭିଭାବକମାନେ ନିଜ ପିଲାମାନଙ୍କୁ ଇଂରାଜୀ ଶିଖାଇ ପାରୁନାହାନ୍ତି ସେମାନେ ବଡ଼ ଭୁଲ୍ କରୁଛନ୍ତି। ସେହିପରି ଯେଉଁମାନେ ମାତୃଭାଷା ଶିଖାଇ ପାରୁନାହାନ୍ତି ସେମାନେ ବି ବଡ଼ ଭୁଲ୍ କରୁଛନ୍ତି। କାରଣ ମାତୃଭାଷା ଠାରୁ ବଡ଼ କିଛି ନାହିଁ। ଇଂରାଜୀ ଶିଖିବା ଉଚିତ୍ କିନ୍ତୁ ମାତୃଭାଷା ବି ସେତିକି ଜରୁରୀ। ପିଲାମାନେ ବହୁଭାଷୀ ହେବା ଜରୁରୀ। ପିଲାମାନେ ଖୁବ୍ ଶୀଘ୍ର ଶିଖିବାର କ୍ଷମତା ବି ରଖନ୍ତି। ବୟସ୍କମାନେ ହିଁ ଥକି ଯାଆନ୍ତି। ବାଇ-ଲାଙ୍ଗୁଆଲ୍ ହେବା ପିଲାମାନଙ୍କ ପାଇଁ ମାମୁଲି କଥା।

ସୋଆ ଲିଟେରାରୀ ଫେଷ୍ଟିଭାଲରେ ଜାଭେଦ ଅଖତର ପୁଣି କହିଛନ୍ତି ଯେ, ଗତ ୪୦ ରୁ ୪୫ ବର୍ଷ ଭିତରେ ଆମେ ଆମ ମାତୃଭାଷାକୁ ଗୃରୁତ୍ଵ ଦେଇ ନାହୁଁ। ଯଦି କୌଣସି ବ୍ୟକ୍ତି ମାତୃଭାଷା ଠିକ୍ ଭାବେ କହିପାରୁଛି, ଓଡ଼ିଆ, ହିନ୍ଦୀ, ଗୁଜୁରାଟୀ କି ମରାଠି ଠିକ୍ ଭାବରେ କହି ପାରୁଛି ଏକ ଅପର ମିଡିଲ କ୍ଲାସ୍ ଭାବୁଛି ଯେ ଉକ୍ତ ବ୍ୟକ୍ତିର ଲାଳନପାଳନ ଠିକ୍ ଭାବରେ ହୋଇନାହିଁ। ଯାହାକି ଲଜ୍ଜାଜନକ ବିଷୟ। ଏଠି ଲୋକଙ୍କୁ ନିଜ ମାତୃଭାଷା କହିଲେ ହୀନମାନ୍ୟତା ମନେ ହେଉଛି।