ମୁମ୍ୱାଇ,୦୧/୦୫: ଅଭିନେତ୍ରୀ କରିସ୍ମା କପୁର ଓ ତାଙ୍କର ଦିବଂଗତ ସ୍ୱାମୀ ସଂଜୟ କପୁରଙ୍କ ପରିବାର ମଧ୍ୟରେ ନ୍ୟାୟିକ ଲଢ଼େଇ ପୁଣି ଥରେ ଚର୍ଚ୍ଚାରେ । ଏ ଥର ମାମଲା ପିଲାଙ୍କ ଭବିଷ୍ୟତ ଓ ସମ୍ପତ୍ତିର ସୁରକ୍ଷା ସହ ଜଡ଼ିତ, ଯାହା ଉପରେ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କରିସ୍ମାଙ୍କ ସନ୍ତାନଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ସଂଜୟଙ୍କ ସମ୍ପତ୍ତିକୁ ନେଇ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ।

କୋର୍ଟ ସ୍ପଷ୍ଟ କରିଛନ୍ତି, ମାମଲାର ପୂର୍ଣ୍ଣ ସମାଧାନ ନ ହେବା ଯାଏ ସମ୍ପତ୍ତିର ସୁରକ୍ଷା ସବୁଠୁ ଜରୁରି । ଏହି ନିଷ୍ପତ୍ତିକୁ ସଂଜୟଙ୍କ ପତ୍ନୀ ପ୍ରିୟା କପୁରଙ୍କ ପାଇଁ ବଡ଼ ଝଟ୍କା ରୂପେ ଦେଖାଯାଉଛି । କାରଣ ଏବେ ସେ ନିଜ ସମ୍ପତ୍ତିକୁ ନେଇ ମନଇଚ୍ଛା କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଦିଲ୍ଲୀ ହାଇକୋର୍ଟ ଏ ମାମଲାରେ ଅନ୍ତରୀଣ ରୋକର ଆବେଦନକୁ ମଞ୍ଜୁରି ଦେଇ ସ୍ପଷ୍ଟ କରିଛନ୍ତି, ସଂଜୟଙ୍କ ସମ୍ପତ୍ତି ଉପରେ ବର୍ତ୍ତମାନ କୌଣସି ‘ଥାର୍ଡ ପାର୍ଟି ରାଇଟ୍’ (୩ୟ ପକ୍ଷର ଅଧିକାର) ଜାହିର କରାଯାଇ ପାରିବ ନାହିଁ । ଏହାର ଅର୍ଥ ମାମଲା ଚାଲିଥିବା ବେଳେ ସମ୍ପତ୍ତି ବିକ୍ରି କରାଯାଇ ପାରିବ ନାହିଁ କିମ୍ବା ଅନ୍ୟ କାହା ନାଁରେ ସ୍ଥାନାନ୍ତର କରାଯାଇ ପାରିବ ନାହିଁ ।

ଆହୁରି ପଢନ୍ତୁ-ରାହୁଲ ରାୟଙ୍କ ଆର୍ଥିକ ସଙ୍କଟକୁ ନେଇ ଇମୋସନାଲ ପୋଷ୍ଟ ; ଏହି ସେଲିବ୍ରେଟିମାନେ କଲେ ସମର୍ଥନ, କହିଲେ -

ପିଲାଙ୍କ ଅଧିକାରର ରକ୍ଷା ଲାଗି ସମ୍ପତ୍ତିକୁ ଯଥାସ୍ଥିତି ରଖିବାର ଆଦେଶ କୋର୍ଟ ଦେଇଛନ୍ତି । ସଂଜୟଙ୍କ ବିଦେଶୀ ବ୍ୟାଙ୍କ ଖାତା ଓ କ୍ରିପ୍ଟୋକରେନ୍ସି ନେଣଦେଣ ଉପରେ ମଧ୍ୟ ରୋକ ଲଗାଇଛନ୍ତି । ଏଥିସହ ଆକାଉଣ୍ଟ ଷ୍ଟେଟ୍ମେଣ୍ଟ ଫାଇଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦ୍ୱାରା ଟଙ୍କା ନେଣଦେଣର ପୂରା ହିସାବ ମିଳିପାରିବ । ଏ ମାମଲାରେ ପ୍ରିୟା କପୁରଙ୍କ ଦାୟିତ୍ୱ ଏବେ ବଢ଼ିଯାଇଛି ବୋଲି କୋର୍ଟ ଶୁଣାଣିରେ ସ୍ପଷ୍ଟ କରିଛନ୍ତି । କହିଛନ୍ତି, ଯେଉଁ ସନ୍ଦେହ ଓ ପ୍ରଶ୍ନ ଉଠିଛି, ତାକୁ ଦୂର କରିବାର ଦାୟିତ୍ୱ ପ୍ରିୟା କପୁରଙ୍କର ।