ଭଞ୍ଜନଗର, ୧୯/୨ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ସ୍କୁଲ ପଛପଟ ବୁଦା ଭିତରୁ ଏକ କଲରାପତରିଆ ବାଘ ଛୁଆର ମୃତଦେହ ଠାବ। ମୃତ କଲରାପତରିଆର ବୟସ ୨ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି। ଭୁବନେଶ୍ୱରରୁ ଜେଟିଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ୩ ଜଣ ପଶୁ ଚିକିତ୍ସକଙ୍କ ଉପସ୍ଥିତିରେ ଏହାର ବ୍ୟବଚ୍ଛେଦ କରାଯିବ। କଲରାପତରିଆ ଦେହରେ କେଉଁଠି ବି କିଛି ଆଘାତ ଚିହ୍ନ ନଥିବାରୁ ଶବ ବ୍ୟବଚ୍ଛେଦ ପରେ ଏହାର ଭିସାରା ଟେଷ୍ଟ କରାଯାଇ ମୃତ୍ୟୁର ସଠିକ୍ କାରଣ ଖୋଜାଯିବ। ଏସଓପି ଅନୁସାରେ ମୃତ କଲରାପତରିଆର ଶବ ବ୍ୟବଚ୍ଛେଦ ପରେ ଘଟଣାସ୍ଥଳରେ ହିଁ ପଞ୍ଚାୟତ ପ୍ରତିନିଧିମାନଙ୍କ ଉପସ୍ଥିତିରେ ପୋଡି ଦିଆଯିବ। ଏନେଇ ଡିଏଫଓ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ ଯେ, ବୁଧବାର ଅପରାହ୍ନରେ ବଜ୍ରକୋଟ ସ୍କୁଲ ପଛପଟେ ଏକ ବୁଦା ଭିତରେ ଏକ ଛୁଆ କଲରାପତରିଆ ମରି ପଡ଼ିଥିବା ପ୍ରଥମେ କିଛି ସ୍କୁଲ ପିଲା ଦେଖିଥିଲେ। ପରେ ଏକଥା ଗାଁ ଲୋକେ ଜାଣିବା ପରେ ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ। ଡିଏଫଓ ହିମାଂଶୁ ମହାନ୍ତିଙ୍କ ସମେତ ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ ଓ ଅନ୍ୟ ପଦାଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁବାର ଜେଟିଏଫ ପହଞ୍ଚିବା ପରେ ସମସ୍ତଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। କଲରାପତରିଆର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏସଓପି ପ୍ରକାରେ ମୃତ କଲରାପତରିଆ ଛୁଆର ପୁରା ଶରୀର ପାଉଁଶ ହବା ଯାଏଁ ସମସ୍ତ ଅଧିକାରୀଙ୍କ ଉପସ୍ଥିତରେ ଶବ ଦାହ କରାଯିବ। ସମଗ୍ର ଘଟଣାର ଭିଡିଓ ଉତ୍ତୋଳନ କରାଯିବ ବୋଲି ଡିଏଫଓ ମହାନ୍ତି ସୂଚନା ଦେଇଛନ୍ତି।

ଏହି ଖବରଟିକୁ ପଢନ୍ତୁ- ସାତକୋଶିଆରେ ବୁଲୁଛି ‘ପଲଙ୍କ’ ଦନ୍ତା; ରେଡିଓ କଲାରରେ ଗତିବିଧିକୁ ନଜର, ଜନବସତିକୁ ନ ମାଡି଼ଯିବାକୁ ଗୁରୁତ୍ୱ