ଭୁବନେଶ୍ୱର/ବନ୍ତଳା,୧୯/୨: ରାଜଧାନୀର ଭରତପୁର ଜଙ୍ଗଲରେ ଆତଙ୍କ ଖେଳାଉଥିବା ‘ପଲଙ୍କ’କୁ ସାତକୋଶିଆ ବନଖଣ୍ଡରେ ଛଡ଼ାଯାଇଛି । ଉତ୍ପାତିଆ ଦନ୍ତା ହାତୀଟି ଅନୁଗୁଳ ରାଇଗୁଡ଼ା ଜଙ୍ଗଲରେ ଘୁରି ବୁଲୁଛି । ଦନ୍ତା ଦେହରେ ବନ୍ଧାଯାଇଥିବା ରେଡିଓ କଲାର ଯୋଗେ ଗତିବିଧି ଉପରେ ନଜର ରଖାଯାଉଛି । ଚନ୍ଦକାରୁ ଏକ ଟ୍ରକରେ ବୁହା ହୋଇଥିବା ପଲଙ୍କ ଗତକାଲି ବିଳମ୍ବିତ ରାତିରେ ରାଇଗୁଡ଼ା ଜଙ୍ଗଲରେ ପହଞ୍ଚିଥିଲା ।
ଭୋର ସମୟରେ ଡାକ୍ତରୀ ଦଳ ପହଞ୍ଚିବା ପରେ ଦନ୍ତାର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପରେ ତାକୁ ଜଙ୍ଗଲ ଭିତରକୁ ଛଡ଼ାଗଲା । ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରାଯାଇ ଥିବାରୁ ତା’ ସ୍ୱାସ୍ଥ୍ୟାବସ୍ଥା ଯେମିତି ନ ବିଗିଡି଼ଯିବ, ସେଥିପ୍ରତି ବନ ବିଭାଗ ଧ୍ୟାନ ଦେଇଛି । ତା’ ଗତିବିଧିକୁ ନଜର ରଖିବା ପାଇଁ ସ୍ୱତନ୍ତ୍ର ଟିମ୍ ତା’ ପଛରେ ଲାଗିଛି । ତାକୁ ଛଡ଼ା ଯାଇଥିବା ଜାଗାଠାରୁ ୩-୪ କିମି ଦୂରରେ ଜନବସତି ଅଛି । ସାରୁଆଳି ଓ ନୂଆ ରାଇଗୁଡ଼ାରେ ରହୁଥିବା ଲୋକଙ୍କ ଆଡ଼କୁ ଏହି ଉତ୍ପାତିଆ ଦନ୍ତା ଯେମିତି ନ ମାଡି଼ଯାଏ, ସେଥିପ୍ରତି ବିଶେଷ ଧ୍ୟାନ ଦେଉଛି ବନ ବିଭାଗ ।
ଆହୁରି ପଢନ୍ତୁ-ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ଓ ଗ୍ରହଣ ନୀତି ଆଲୋଚନା, ରାତି ସାରା ମହାପ୍ରଭୁଙ୍କ ସୁନାବେଶ ଦର୍ଶନ
ଦୀର୍ଘକାୟ ‘ରାମୁ ହାତୀ’ ମଲା ପରେ ଏହି ଦନ୍ତା ହାତୀଟି ଚନ୍ଦକା ଜଙ୍ଗଲରେ ପତିଆରା ଜାହିର୍ କରୁଥିଲା । ବାରମ୍ବାର ସହରମୁହାଁ ହେଉଥିଲା ପଲଙ୍କ । କେତେବେଳେ ପଥରଗଡ଼ିଆ ପଟେ ପାଚେରି ଭାଙ୍ଗୁଥିଲା । ଶିଖରଚଣ୍ଡୀ ମୁଣ୍ଡିଆ ନହେଲେ ଏକାମ୍ର ପାର୍କ ଭିତରେ ପଶି ଭଙ୍ଗାରୁଜା କରୁଥିଲା । ପଲଙ୍କର ଉତ୍ପାତରୁ ତ୍ରାହି ପାଇବାକୁ ଯୋଜନା କଲା ବନବିଭାଗ । ତାକୁ ଟ୍ରାଙ୍କୁଲାଇଜ କରି ବେକରେ ରେଡିଓକଲାର ବାନ୍ଧିବା ଅନୁଗୁଳ ପଠାଇବା ପାଇଁ ଯୋଜନା ହେଲା । ଚନ୍ଦକା ଡିଏଫ୍ଓ ବିନୋଦ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏସିଏଫ୍, ବନବିଭାଗର କର୍ମଚାରୀ, ଓୟୁଏଟି ଓ ନନ୍ଦନକାନନର ଟ୍ରାଙ୍କୁଲାଇଜ୍ ଟିମ୍କୁ ମିଶାଇ ପ୍ରାୟ ୩୦ ଜଣ ପଲଙ୍କ ପଛରେ ୨ ଦିନ ଧରି ପଡ଼ିଥିଲେ । ଗତକାଲି ସନ୍ଧ୍ୟାରେ ପଲଙ୍କ ଅନ୍ୟ ହାତୀ ପଲଠୁ ଅଲଗା ହେବା ପରେ ଚନ୍ଦକା ଡିଭିଜନ ଓ ଭୁବନେଶ୍ୱର ଆରଆରଟି ଟିମ୍ ତାକୁ ଟ୍ରାଙ୍କୁଲାଇଜ୍ କରିଥିଲା । ପ୍ରାୟ ୧୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଦନ୍ତା ବେକରେ ରେଡିଓ କଲାର ବନ୍ଧାଗଲା । ପରେ ଏକ ଟ୍ରକ ଯୋଗେ ତାକୁ ଅନୁଗୁଳ ପଠାଇ ଦିଆଯାଇଛି ।