ନୂଆଦିଲ୍ଲୀ: ଲିବିୟା ଉପକୂଳରେ ଏକ ଡଙ୍ଗା ଦୁର୍ଘଟଣାରେ ୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଡଙ୍ଗାଟି ସୁଦାନର ଶରଣାର୍ଥୀଙ୍କୁ ନେଇ ଗ୍ରୀସ୍ ଯାଉଥିଲା। ଆନ୍ତର୍ଜାତୀୟ ପ୍ରବାସ ସଂଗଠନ (IOM) ଗୁରୁବାର ଏହା ରିପୋର୍ଟ କରିଛି । କହିଛି ଯେ, ଡଙ୍ଗାଟିରେ ହଠାତ୍ ନିଆଁ ଲାଗିଯିବା କାରଣରୁ ଏହା ବୁଡ଼ି ଯାଇଛି। ଲିବିୟାର ପୂର୍ବ ଉପକୂଳରେ ଥିବା ଟୋବ୍ରୁକ୍ ସହରରୁ ପ୍ରାୟ ୬୦ କିଲୋମିଟର ଦୂରରେ ସମୁଦ୍ରରେ ଏହି ଦୁର୍ଘଟଣା ଘଟିଛି। IOM ଅନୁଯାୟୀ, ମୋଟ ୭୫ ଜଣ ଶରଣାର୍ଥୀ ଏହି ଡଙ୍ଗାରେ ଥିଲେ। ଏପର୍ଯ୍ୟନ୍ତ ୨୪ ଜଣଙ୍କୁ ଉଦ୍ଧାର କରାଯାଇଛି, ଅନ୍ୟ ମାନେ ନିଖୋଜ ଅଛନ୍ତି। ଏହି ଘଟଣା ଗତ ରବିବାର ଘଟିଛି।
ଲିବିୟା ରେଡ୍ କ୍ରିସେଣ୍ଟ ସୋମବାର କହିଛି ଯେ, ଏହା ଟୋବ୍ରୁକ୍ କର୍ତ୍ତୃପକ୍ଷଙ୍କ ଠାରୁ ଏକ ଜରୁରୀକାଳୀନ କଲ୍ ପାଇଥିଲା । ଉଦ୍ଧାରକାରୀ ମାନେ କମବୋଟ୍ ବିଚ୍ ଏବଂ କାବେସ୍ ଅଞ୍ଚଳରୁ ମୃତଦେହ ଉଦ୍ଧାର କରୁଛନ୍ତି। ତଥାପି, ଉଦ୍ଧାର ହୋଇଥିବା ମୃତଦେହ ଗୁଡ଼ିକ ବୁଡ଼ି ଯାଇଥିବା ଡଙ୍ଗାର ଯାତ୍ରୀ ମାନଙ୍କର କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ସୂଚନାଥାଉକି, ଲିବିଆ ଦୀର୍ଘ ଦିନ ଧରି ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟରୁ ଯୁଦ୍ଧ ଏବଂ ଦାରିଦ୍ର୍ୟରୁ ପଳାୟନ କରୁଥିବା ଲୋକଙ୍କ ପାଇଁ ୟୁରୋପ ପହଞ୍ଚିବା ପାଇଁ ଏକ ପ୍ରମୁଖ ପରିବହନ ମାର୍ଗ ହୋଇଆସିଛି। ଏଠାରୁ ପ୍ରବାସୀ ମାନେ ସମୁଦ୍ର ପଥରେ ଇଟାଲୀ କିମ୍ବା ଗ୍ରୀସରେ ପହଞ୍ଚିବାକୁ ଚେଷ୍ଟା କରନ୍ତି। ତଥାପି, ଏହି ଯାତ୍ରା ଅତ୍ୟନ୍ତ ବିପଜ୍ଜନକ। ଖରାପ ପାଗ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଗୁଡ଼ିକ ପ୍ରାୟତଃ ଅଧିକ ଲୋଡ୍ ହୋଇ ବୁଡ଼ିଯାଏ।