ନୂଆଦିଲ୍ଲୀ, ୩୧।୩: ଆଜିକାଲିର ଅନିଶ୍ଚିତତା ଭରା ଦୁନିଆରେ ନିଜ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଏକ ଭଲ ନିବେଶ ଯୋଜନା ଖୋଜିଥାନ୍ତି । ଯଦି ଆପଣ କମ୍ ଟଙ୍କା ଜମା କରି ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ ଭାରତୀୟ ଜୀବନ ବୀମା ନିଗମ (LIC) ଆଣିଛି ଏକ ଦମଦାର୍ ପ୍ଲାନ୍ । LIC ର ‘ନ୍ୟୁ ଜୀବନ ଆନନ୍ଦ’ (ପ୍ଲାନ୍ ନମ୍ବର ୯୧୫) ଏବେ ସାଧାରଣ ନିବେଶକଙ୍କ ପାଇଁ ସବୁଠାରୁ ପସନ୍ଦର ଯୋଜନା ପାଲଟିଛି । ଅନେକ ଲୋକ ଭାବନ୍ତି ଯେ ଲକ୍ଷ ଲକ୍ଷ ଟଙ୍କାର ଫଣ୍ଡ୍ ପାଇଁ ବଡ଼ ଅଙ୍କର ନିବେଶ ଦରକାର, କିନ୍ତୁ ‘ଜୀବନ ଆନନ୍ଦ’ ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରିଛି । 

ଏହା ବି ପଢ଼ନ୍ତୁ... ​​​​​​​୨୦ ବର୍ଷୀୟ ଛାତ୍ରଙ୍କ କମାଲ, ତିଆରି କଲେ ଭବିଷ୍ୟତ କହୁଥିବା AI ସିଷ୍ଟମ୍ !

ଯଦି ଜଣେ ୩୫ ବର୍ଷୀୟ ବ୍ୟକ୍ତି ୩୫ ବର୍ଷ ପାଇଁ ୫ ଲକ୍ଷ ଟଙ୍କାର ବୀମା (Sum Assured) ନିଅନ୍ତି, ତେବେ ତାଙ୍କୁ ବାର୍ଷିକ ପ୍ରାୟ ୧୬,୩୦୦ ଟଙ୍କା ପ୍ରିମିୟମ ଦେବାକୁ ପଡ଼ିବ । ଏହାକୁ ମାସିକ ହିସାବ କଲେ ପ୍ରାୟ ୧,୩୫୯ ଟଙ୍କା ଏବଂ ଦୈନିକ ହିସାବରେ ମାତ୍ର ୪୫ ଟଙ୍କା ପଡ଼ିବ । ସମଗ୍ର ଅବଧି ମଧ୍ୟରେ ଆପଣ ପ୍ରାୟ ୫.୭୦ ଲକ୍ଷ ଟଙ୍କା ଜମା କରିବେ, କିନ୍ତୁ ମ୍ୟାଚୁରିଟି ସମୟରେ ବୋନସ୍ ସହିତ ଆପଣଙ୍କୁ ପ୍ରାୟ ୨୫ ଲକ୍ଷ ଟଙ୍କା ମିଳିବ । ଏଥିରେ ମୂଳ ବୀମା ରାଶି ସହ ରିଭିଜନାରୀ ବୋନସ୍ ଏବଂ ଆଡିସନାଲ୍ ବୋନସ୍ ସାମିଲ ରହିଛି ।

ମ୍ୟାଚୁରିଟି ପରେ ବି ମିଳିବ ସୁରକ୍ଷା: 

ଏହି ପଲିସିର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ‘ହୋଲ୍ ଲାଇଫ୍ ରିସ୍କ କଭର’ । ସାଧାରଣତଃ ଅନ୍ୟ ପଲିସିରେ ମ୍ୟାଚୁରିଟି ଟଙ୍କା ମିଳିବା ପରେ ବୀମା ଶେଷ ହୋଇଯାଏ, କିନ୍ତୁ ଜୀବନ ଆନନ୍ଦରେ ୨୫ ଲକ୍ଷ ଟଙ୍କା ପାଇବା ପରେ ମଧ୍ୟ ପଲିସିଧାରକଙ୍କୁ ସାରା ଜୀବନ ପାଇଁ ୫ ଲକ୍ଷ ଟଙ୍କାର ବୀମା କଭର ମାଗଣାରେ ମିଳିଥାଏ । ଅର୍ଥାତ୍, ଭବିଷ୍ୟତରେ ପଲିସିଧାରକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ଅତିରିକ୍ତ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଟ୍ୟାକ୍ସ ଛାଡ଼ ଓ ଋଣ ସୁବିଧା:

ଆୟକର ରିହାତି: ଏହି ପଲିସିରେ ଜମା କରୁଥିବା ପ୍ରିମିୟମ ଉପରେ ଧାରା 80C ଅନୁଯାୟୀ ଟ୍ୟାକ୍ସ ଛାଡ଼ ମିଳିଥାଏ । ଏହାସହ ମ୍ୟାଚୁରିଟି ରାଶି ମଧ୍ୟ ସମ୍ପୂର୍ଣ୍ଣ ଟ୍ୟାକ୍ସ-ଫ୍ରି ।

ଲୋନ୍ ସୁବିଧା: ଜରୁରୀ ପରିସ୍ଥିତିରେ ପଲିସିର ଦୁଇ ବର୍ଷ ପରେ ଆପଣ ନିଜ ଜମା ରାଶି ଉପରେ ଋଣ ମଧ୍ୟ ନେଇପାରିବେ ।

ଯୋଗ୍ୟତା: ୧୮ ରୁ ୫୦ ବର୍ଷ ବୟସର ଯେକୌଣସି ବ୍ୟକ୍ତି ୧୫ ରୁ ୩୫ ବର୍ଷର ଅବଧି ପାଇଁ ଏହି ପଲିସି ନେଇପାରିବେ ।

ନିଜ ପରିବାରର ସୁରକ୍ଷିତ ଭବିଷ୍ୟତ ଏବଂ ଅବସର ପରେ ଏକ ବଡ଼ ପାଣ୍ଠି ପାଇଁ LIC ର ଏହି ଯୋଜନା ଏକ ଶ୍ରେଷ୍ଠ ବିକଳ୍ପ ଭାବେ ଉଭା ହୋଇଛି ।