ନୂଆଦିଲ୍ଲୀ, ୩୧।୩: ଆଜିକାଲି କୃତ୍ରିମ ବୁଦ୍ଧିମତା ବା ଏଆଇର ଦୁନିଆରେ ଜଣେ ୨୦ ବର୍ଷୀୟ ଚୀନ ଛାତ୍ରଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଗୁଗଲ୍ ଏବଂ ମାଇକ୍ରୋସଫ୍ଟ ଭଳି ବଡ଼ ବଡ଼ କମ୍ପାନୀଗୁଡ଼ିକୁ ପଛରେ ପକାଇ ବେଜିଂ ୟୁନିଭରସିଟିର ଛାତ୍ର ଗୁଓ ହାଙ୍ଗଜିଆଙ୍ଗ ଏକ ଏପରି AI ଇଞ୍ଜିନ ତିଆରି କରିଛନ୍ତି, ଯାହା ଭବିଷ୍ୟତବାଣୀ କରିବାରେ ସକ୍ଷମ । ମାତ୍ର ୧୦ ଦିନ ମଧ୍ୟରେ ପ୍ରସ୍ତୁତ ହୋଇଥିବା ଏହି ସିଷ୍ଟମର ନାମ ରଖାଯାଇଛି 'MiroFish' । MiroFish କୌଣସି ସାଧାରଣ ଚାଟବୋଟ୍ ନୁହେଁ । ଏହା ସମାଜର ଏକ କୃତ୍ରିମ ମଡେଲ ପ୍ରସ୍ତୁତ କରି କାମ କରିଥାଏ । ଏହାର କିଛି ମୁଖ୍ୟ ବିଶେଷତ୍ୱ ହେଲା:

AI ସୋସାଇଟି:ଏହା ପ୍ରାୟ ୧୦ ଲକ୍ଷ AI ଏଜେଣ୍ଟଙ୍କୁ ନେଇ ଏକ ଭର୍ଚୁଆଲ ସମାଜ ଗଠନ କରିପାରେ ।

ଆଚରଣ ଅନୁଧ୍ୟାନ:ଏହି ଏଜେଣ୍ଟମାନଙ୍କର ନିଜସ୍ୱ ବ୍ୟକ୍ତିତ୍ୱ ଏବଂ ସ୍ମୃତିଶକ୍ତି ରହିଥାଏ । ସମାଜରେ କୌଣସି ନୂଆ ନୀତି ବା ଖବର ଆସିଲେ ଲୋକେ କିପରି ପ୍ରତିକ୍ରିୟା ଦେବେ, ତାହା ଏହି AI ଏଜେଣ୍ଟମାନଙ୍କ ବ୍ୟବହାରରୁ ଜଣାପଡ଼ିଥାଏ ।

OASIS ଇଞ୍ଜିନ:ଏହା ଏକ ଜଟିଳ ଟେକ୍ନୋଲୋଜି ଉପରେ ଆଧାରିତ, ଯାହା ବାସ୍ତବ ଦୁନିଆର ସ୍ଥିତିକୁ ପୂର୍ବାନୁମାନ କରିବାରେ ସାହାଯ୍ୟ କରେ ।

ଏହା ବି ପଢ଼ନ୍ତୁ... ନାଳନ୍ଦାର ଶୀତଳା ମାତା ମନ୍ଦିରରେ ଦଳାଚକଟା : ୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୧୨ ଆହତ

୨୪ ଘଣ୍ଟା ମଧ୍ୟରେ ମିଳିଲା ୩୪ କୋଟିର ଫଣ୍ଡିଂ:

ଗୁଓଙ୍କର ଏହି ଅଦ୍ଭୁତ କ୍ଷମତା ଦେଖି ଚୀନର ପୂର୍ବତନ ସବୁଠାରୁ ଧନୀ ବ୍ୟକ୍ତି ଚେନ୍ ତିଆନକିୟାଓ ମାତ୍ର ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ୪.୧ ମିଲିୟନ ଡଲାର ଯାହା ଭାରତୀୟ ମୂଲ୍ୟରେ ପ୍ରାୟ ୩୪ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି AI ତିଆରି କରିବା ପାଇଁ 'ଭାଇବ୍ କୋଡିଂ' ନାମକ ଏକ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ଏହି AI ନିଜର ଶକ୍ତି ପ୍ରଦର୍ଶନ କରି ସାରିଛି । ଏକ ବିଶ୍ୱବିଦ୍ୟାଳୟ ବିବାଦ ସମୟରେ ଲୋକଙ୍କ ଆକ୍ରୋଶ କେତେବେଳେ ଏବଂ କିପରି ବଦଳିବ, ତାହାର ସଠିକ୍ ଆକଳନ କରିଥିଲା । ଶତାବ୍ଦୀ ପୂର୍ବରୁ ହଜିଯାଇଥିବା ପ୍ରସିଦ୍ଧ ଉପନ୍ୟାସ 'ଡ୍ରିମ୍ ଅଫ୍ ଦି ରେଡ୍ ଚାମ୍ବର'ର ଶେଷ ଭାଗକୁ ଏହା ନିଜେ ଲେଖି ଦେଇଛି । ବିଶେଷଜ୍ଞଙ୍କ ମତ ଅନୁସାରେ, ଯଦିଓ ଏହି ସିଷ୍ଟମ ଚଲାଇବା ପାଇଁ ଅଧିକ ଖର୍ଚ୍ଚ ହେଉଛି, ତଥାପି ଏହା ପ୍ରମାଣ କରିଛି ଯେ ଚୀନ୍ ହାତରେ ଏବେ "ଭବିଷ୍ୟତ କହିବାର ଯାଦୁକରୀ ସିଷ୍ଟମ୍" ଲାଗିଯାଇଛି ।