ଆମ ଯୁବପିଢ଼ି ଆମ ସଂପତ୍ତି । ଏଇମାନେ ହିଁ ଭାରତର ‘ଡିଭିଡେଣ୍ଡ୍’ । ସେମାନଙ୍କୁ ଏକ ସମ୍ଭାବନାର ଭବିଷ୍ୟତ ଅପେକ୍ଷା କରିଥିଲା ବେଳେ ସେଲଫି, ରିଲସ୍ ନିଶା କରୁଛି ବାଟବଣା । କିଏ ନଦୀ ସୁଅରେ, କିଏ ଟ୍ରେନ ଟ୍ରାକରେ ହାରୁଛି ଜୀବନ ।

ଫଟୋ ନେଉଥିଲା କ୍ୟାମେରା ଲେନସ୍ । ହସ, ଖୁସି କହିଲେ ନସରେ । ମୁହୂର୍ତ୍ତକୁ ବାନ୍ଧି ରଖୁଥିଲା ମୋବାଇଲ । ମାତ୍ର କେଇଟା ମୁହୂର୍ତ୍ତ । ସବୁ ଓଲଟପାଲଟ । ଛକି ରହିଥିଲା ଯମ । ପାଣିରେ ବୁଡ଼ିଗଲେ ୩ ଯୁବତୀ । ଚାଲିଗଲା ଜୀବନ । ଫଟୋ ପାଗଳ ଏ ଝିଅମାନେ ସବୁଦିନ ପାଇଁ ହେଇଗଲେ ଫଟୋ । ଆନ୍ଧ୍ରପ୍ରଦେଶ ମାଲାଙ୍ଗୁମିର ଜଳପ୍ରପାତରେ ବିପଦପୂର୍ଣ୍ଣ ସେଲ୍ଫି ନେଇଗଲା ଅମୂଲ୍ୟ ଜୀବନ । କିଏ ବା ଆଉ ଫେରାଇବ? ଖାଲି ଯାହା ଦୁଃଖ ଆଉ ଶୋକ ।

ଭାତ ହାଣ୍ଡିରୁ ଏ ହେଉଛି ଗୋଟିଏ । ସେଲଫି...ରିଲସ୍ ନିଶା କେତେ ଯେ ଜୀବନ ନେଉଛି ହିସାବ କିଏ ବା ରଖୁଛି? ଆମ ନୂଆ ପିଢି କିନ୍ତୁ ଏ ମାୟାରେ ବାୟା । ଭିନ୍ନ ଧରଣର ରିଲସ୍ ପାଇଁ ଜୀବନକୁ ବାଜି ଲଗାଉଛନ୍ତି । ଚଳନ୍ତା ଟ୍ରେନ ଆଗରେ, ସମୁଦ୍ରର ଜୁଆରରେ ବି ରିଲସର ପାଇଁ ଦୁଃସାହସ । ଉଦ୍ଦେଶ୍ୟ ଅଧିକ ଭିଉଜ୍ । ଲାଇକ୍..ସେୟାର, କମେଣ୍ଟସ୍ କ’ଣ ଜୀବନ? ଆମ କିଶୋର ଓ ଯୁବପିଢ଼ି ଏତିକି ବୁଝିବା ଜରୁରୀ ନୁହେଁ କି?

ଉତୁରୁନି ନିଶା

ମୁହୂର୍ତ୍ତକୁ ବାନ୍ଧି ରଖିବାକୁ ସେଲ୍ଫି ଆଉ ରିଲ୍ସ । ଭିଉଜ ଆଉ ଲାଇକ୍ର ମୋହ ଯୁବପିଢିଙ୍କୁ କରିଛି ପାଗଳ । ଜୀବନକୁ ବାଜି ଲଗାଇବାକୁ ବି ପଛାଉ ନାହାନ୍ତି । ଆଜି କୋରାପୁଟରେ ତ କାଲି ପୁରୀରେ । ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି । କେତେବେଳେ ସୁଅ ମୁହଁରେ । ଆଉ କେତେବେଳେ ରେଳ ଧାରଣାରେ । ତଥାପି ନିଶା ଉତୁରୁନି । ରିଲ୍ସ ନିଶାରୁ ପୁରୀ ଚନ୍ଦନପୁ୍ର ଅଞ୍ଚଳରେ ଟ୍ରେନ୍ ଧକ୍କା ଦେଲା । ଜଣେ ନାବାଳକର ଅମୂଲ୍ୟ ଜୀବନ ନେଇଗଲା ଯମ । ଅସୁରକ୍ଷିତ ଭାବରେ ସେଲ୍ଫି ନେବାବେଳେ ଚଳନ୍ତା ଟ୍ରେନରୁ ଖସି ବହୁ ପ୍ରାଣ ବି ଗଲାଣି । ଗତ କିଛି ମାସ ମଧ୍ୟରେ ଓଡ଼ିଶାରେ ଏମିତି ବହୁ ଦୁଃଖଦ ଘଟଣା ଘଟିଛି । ଅନଲାଇନ୍ରେ ନିଜ ଉପସ୍ଥିତି ଜାହିର କରିବାକୁ ବିପଦପୂର୍ଣ୍ଣ ରିଲସ୍ ଓ ଷ୍ଟଣ୍ଟ୍ର ନିଶା ପ୍ରାଣ ନେଉଛି । ଅଗଷ୍ଟ, ୨୦୨୫ରେ କୋରାପୁଟର ଡୁଡୁମା ଜଳପ୍ରପାତରେ ଭାସିଗଲେ ଲୋକପ୍ରିୟ ୟୁଟ୍ୟୁବର ସାଗର କୁଣ୍ଡୁ । ରିଲ୍ସ ସୁଟିଂ ବେଳେ ଭୁବନେଶ୍ୱରରେ ଜଣେ ମହିଳା,ତାଙ୍କ ଝିଅଙ୍କ ଉପରେ ଚଢ଼ି ଗଲା ଗାଡ଼ି । ଚାଲିଗଲା ମା-ଝିଅଙ୍କ ଜୀବନ । ଭାଇରାଲ ହେବାକୁ ଜୀବନକୁ ବଳିଦେବା କି ମାନସିକତା? କିଛି ମାସ ତଳେ ଏକ ଭାଇରାଲ ଭିଡିଓ ତ ନିଃଶ୍ୱାସ ଅଟକାଇଲା ଭଳି । ଭିଡିଓରେ ଜଣେ ବାଳକ ରେଳ ଟ୍ରାକର କଂକ୍ରିଟ୍ ସ୍ଲିପର ମଧ୍ୟରେ ଶୋଇଥିଲେ । ତାଙ୍କ ଉପର ଦେଇ ଟ୍ରାକରେ ଦୌଡ଼ୁଥିଲା ଟ୍ରେନ । ଯଦି ଜୀବନ ଯାଇଥାନ୍ତା? ଟ୍ରେଣ୍ଡର ମୋହ କ’ଣ ଜୀବନଠୁ ଅଧିକ? ଆପେ ଆପେ ଆମେ ଯମର ଜାଲରେ ଧରା ଦେଉନୁ କି? ସୋସିଆଲ ମିଡିଆ ଆତ୍ମବିଶ୍ୱାସ ବଢ଼ାଉ । ସୃଜନଶୀଳତାକୁ ପ୍ରେରଣା ଦେଉ । ବିପଦକୁ ଆମେ କାହିଁକି ବରଣ କରିବା? କୌଣସି ସେଲଫି, ରିଲସ୍ ବାସ୍ତବ ଜୀବନ ଅପେକ୍ଷା ଆଦୌ ମୂଲ୍ୟବାନ ନୁହେଁ ।

ଆବେଗ ଓ ରୋମାଞ୍ଚର ଚକ୍ରବ୍ୟୂହ

ମୋ ଫଲୋଅର୍ସଙ୍କ ସଂଖ୍ୟା କାହିଁକି ବଢ଼ୁନି? ଫଟୋ ସେୟାର କଲି, ଲାଇକ୍ ସଂଖ୍ୟା ଏତେ କମ୍! ତା’ ଫଟୋରେ ଏତେ କମେଣ୍ଟସ୍, ମୋର କାହିଁ? ମୋ ଭିତରେ କିଛି ଅଭାବ ରହିଗଲା କି? ଏମିତି ପ୍ରଶ୍ନର ବୁଢ଼ିଆଣି ଜାଲରେ ଛଟପଟ ହେଉଛନ୍ତି ଆମ ଯୁବପିଢ଼ି । ନକାରାତ୍ମକ କମେଣ୍ଟସ୍ ବା ଟ୍ରୋଲ୍ ବି ମନକୁ ଅସ୍ତବ୍ୟସ୍ତ କରୁଛି । ଫଲୋଅର୍ସ୍, ସବସ୍କ୍ରାଇବର, ଲାଇକ୍, ସେୟାର ସଂଖ୍ୟା ସତେ ଯେମିତି ଲୋକପ୍ରିୟତାର ମାପକାଠି । ଏଥିରେ ଚୁର୍ ହୋଇ ବିପଦଜନକ ରିଲସ୍ ପାଇଁ ମନ ଛଟପଟ । ଅସାବଧାନତା ଓ ରିଲ୍ସ ମୋହ କିନ୍ତୁ ନେଉଛି ଜୀବନ । ଏଭଳି ମୃତ୍ୟୁ ସଂଖ୍ୟାରେ ସାରା ପୃଥିବୀରେ ଶୀର୍ଷରେ ଭାରତ । ସାମାଜିକ ଗଣମାଧ୍ୟମର ନାଗଫାଶରେ ବାନ୍ଧି ହୋଇ ନୂଆ ପିଢ଼ି ନିଜ ଶୈଶବ, କିଶୋର ଓ ଯୌବନ ସମୟକୁ ଦଳିକୁଦିି ବିପର୍ଯ୍ୟସ୍ତ କରିବାରେ ଲାଗିଛନ୍ତି । ସଂପର୍କରୁ ମଉଳି ଯାଉଛି ଆବେଗର ରଙ୍ଗ । ଭର୍ଚୁଆଲ ଦୁନିଆର ବନ୍ଧୁତାରେ ଜୀବନ ଆଗକୁ ଗଡ଼ୁଛି । ଜୀବନ ରଙ୍ଗହୀନ ଆଉ ରସହୀନ । ନା ଅଛି ବନ୍ଧୁତାର ଚପଳତା । ନା ଭଲପାଇବାର ନିଚ୍ଛକତା । ଜୀବନର ମୂଲ୍ୟବାନ ସମୟ ମୋବାଇଲ, ଟାବ୍, ଲାପଟପ୍ ଭଳି ମେସିନ ସହ କଟୁଛି । ସୋସିଆଲ ମିଡିଆର ମୋହରେ ଯୁବପିଢ଼ି ଏବେ ଦିଗହରା । ରିଲସ୍ ଓ ସେଲଫିରେ ଟ୍ରୋଲିଂର ଶିକାର ହୋଇ ଯୁବତୀ ଓ କିଶୋରୀମାନେ ମାନସିକ ସ୍ୱାସ୍ଥ୍ୟ ହରାଉଛନ୍ତି । ଏ ଚକ୍ରବ୍ୟୂହରୁ କେମିତି ମିଳିବ ମୁକ୍ତି?

ରିପୋର୍ଟ କହୁଛି, ବିପଦଜନକ ସେଲଫି ଓ ରିଲସ୍ କରି ପ୍ରାଣ ହରାଉଥିବା ମୋଟ ସଂଖ୍ୟାରୁ ୪୨% କେବଳ ଭାରତରେ । ଗତ ୧୦ ବର୍ଷ ମଧ୍ୟରେ ସେଲଫି ଏବଂ ରିଲ୍ସ କାରଣରୁ ଆମ ଦେଶରେ ୨୭୧ଟି ଦୁର୍ଘଟଣା ଘଟିଛି । ୨୧୪ ଜଣଙ୍କର ଯାଇଛି ଅମୂଲ୍ୟ ଜୀବନ । ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୨୪ ବର୍ଷରୁ କମ । ମହିଳାଙ୍କ ତୁଳନାରେ ଅଧିକ ପୁରୁଷ ଜୀବନ ହାରୁଛନ୍ତି । ଏଭଳି ଘଟଣାକୁ ରୋକିବାକୁ ଭାରତର ଅନେକ ପର୍ଯ୍ୟଟନ ସ୍ଥଳୀକୁ ‘ନୋ ସେଲଫି ଜୋନ୍' ଭାବେ ଘୋଷଣା କରାଯାଇଛି । ସୋସିଆଲ ମିଡିଆ ଲୋକପ୍ରିୟତା ପାଇଁ ଜୀବନକୁ ବିପଦରେ ନ ପକାଇବାକୁ ସଚେତନ କରାଯାଉଛି । ହେଲେ ଶୁଣୁଛି କିଏ? ଦୁର୍ଘଟଣା, ମୃତକଙ୍କ ସଂଖ୍ୟା ବଢ଼ୁଛି । ନୂଆ ନୂଆ ବିପଦପୂର୍ଣ୍ଣ ରିଲସ୍ କରିବାକୁ ମନ କିନ୍ତୁ ଉଚ୍ଛନ୍ନ ହେଉଛି । ପୁରୀରେ କିଛି ଯୁବକ ସମୁଦ୍ର ଭିତରକୁ ସ୍କୁଟି ନେଇ ଭିଡିଓ କରୁଥିବା ଭିଡିଓ ଭାଇରାଲ ହେଉଛି ।

କଡ଼ା ନିୟମ, ଜଗିବ କିଏ

ଆମ ଯୁବପିଢ଼ି ଆମ ସଂପତ୍ତି । ଏଇମାନେ ହିଁ ଭାରତର ‘ଡିଭିଡେଣ୍ଡ୍’ । ସେମାନଙ୍କୁ ଏକ ସମ୍ଭାବନାର ଭବିଷ୍ୟତ ଅପେକ୍ଷା କରିଥିଲା ବେଳେ ରିଲସ୍ ନିଶା କରୁଛି ବାଟବଣା । ବିପଦପୂର୍ଣ୍ଣ ରିଲସ୍ ରୋକିବାକୁ ନିୟମ ଅଛି । ସଚେତନ କରାଯାଉଛି । ବଦଳୁନି ଚିତ୍ର । ରେଳ ଧାରଣାରେ ରିଲ୍ସ ମନା ହୋଇଛି । ରେଳପଥ ଉପରେ, ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ଟ୍ରେନ୍ର ଫୁଟବୋର୍ଡ, ଛାତ ଉପରେ ଭିଡିଓ ସୁଟିଂକୁ ବେଆଇନ ଘୋଷଣା କରାଯାଇଛି । ରେଳବାଇ ଆଇନ ୧୯୮୯ ଅନୁଯାୟୀ,ଏହା ଦଣ୍ଡନୀୟ ଅପରାଧ । ଉଲ୍ଲଂଘନକାରୀଙ୍କ ବିରୋଧରେ "ଶୂନ୍ୟ ସହନଶୀଳତା' ନୀତି ଅନୁସରଣ କରୁଛି ପୂର୍ବତଟ ରେଳପଥ । ଅବମାନନା କଲେ ଜେଲ ଦଣ୍ଡ ସହ ଆର୍ଥିକ ଦଣ୍ଡର ପ୍ରାବଧାନ ରହିଛି । ନିୟମ ସିନା ଅଛି ତାକୁ କାର୍ଯ୍ୟକାରୀ କିଏ କରିବ? ଆମକୁ ନିଜକୁ ସଚେତନ ହେବାକୁ ପଡ଼ିବ । ପରିବାରର ଅଭିଭାବକମାନେ ପିଲାମାନଙ୍କୁ ବୁଝାନ୍ତୁ । ଜୀବନ ଆମର । ଲାଭ-କ୍ଷତିର ହିସାବ ଆମକୁ ହିଁ କରିବାକୁ ହେବ ।

ରିଲସ୍ ନୁହଁ ଜୀବନ ଜିନ୍ଦାବାଦ

ବଢ଼ୁଛି ସୋସିଆଲ ମିଡିଆର ବ୍ୟବହାର । ରିଲ୍ ପ୍ରେମରେ ଆମ ଯୁବପିଢ଼ି ଅନ୍ଧ । ଯୁବକଯୁବତୀଙ୍କ ମଧ୍ୟରେ ବଢ଼ୁଥିବା ଏ ଆବେଗ ଏବେ ଚିନ୍ତାର କାରଣ । ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି, ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକର୍ଷଣୀୟ ଭିଜୁଆଲ୍ ସହ ଡିଜିଟାଲ ଉପସ୍ଥିତିକୁ ଆକର୍ଷଣୀୟ କରିବାକୁ ଯୁବକମାନେ ବିପଦପୂର୍ଣ୍ଣ କୌଶଳ ଆପଣାଉଛନ୍ତି । ଜୀବନକୁ ବିପଦରେ ପକାଉଛନ୍ତି । ଫଲୋଅର୍ସ ବଢ଼ାଇବାର ଚାପ ଯୁବକମାନଙ୍କୁ କ୍ଷତି ପହଞ୍ଚାଉଛି । ଯୁବପିଢ଼ି ସୋସିଆଲ ମିଡିଆରେ ରାତାରାତି ଲୋକପ୍ରିୟ ହେବା ସହ ଅର୍ଥ ରୋଜଗାର ଚାହୁଁଛନ୍ତି । ଅଧିକ ଭିଉଜ୍ ଯେଉଁଠି, ଅଧିକ ଟଙ୍କା ସେଇଠି । ଏଇ ଫର୍ମୁଲାରେ ମିଲିୟନ୍ ଭିଉଜ୍ ପାଇଁ ଭିନ୍ନ ଓ ନୂଆ କିଛି କରିବାକୁ ବିପଦକୁ ହାତଠାରି ଡାକନ୍ତି । କିଏ ନଦୀ ସୁଅରେ, କିଏ ଟ୍ରେନ ଟ୍ରାକରେ ହାରୁଛି ଜୀବନ । ବାସ୍ତବ ଜୀବନ କ’ଣ ସତରେ ଫିଲ୍ମ?

ଫଲୋଅର୍ସ, ଲାଇକ୍, କମେଣ୍ଟ୍ । ସକାଳୁ ସଂଜ । ସଂଜରୁ ପାହାନ୍ତା । ହାତରେ ମୋବାଇଲ । ସୋସିଆଲ ମିଡିଆରେ ଆଖି ରହୁଛି ଲାଖି । ନା କ୍ଳାନ୍ତ, ନା ଅବସାଦ । ପାଗଳ କରିଛି ସ୍ମାର୍ଟଫୋନ୍ । ସେଲ୍ଫି, ରିଲ୍ସରେ ମନ । ଫେସବୁକ୍, ୟୁଟ୍ୟୁବ୍, ଇନ୍ଷ୍ଟା ଏବେ ପାଲଟିଛି ଜୀବନ । ସାମାଜିକ ଗଣମାଧ୍ୟମ ମାୟାରେ ସଭିଏଁ ବାୟା । ଫାଶରୁ ମୁକୁଳି ହେଉନି । ଡିଜିଟାଲ ମାୟାଜାଲରେ ଛଟପଟ ହେଉଛନ୍ତି ଆମ ଶିଶୁ, କିଶୋର ଆଉ ଯୁବପିଢ଼ି । ‘ଗୋଦରା କୋଡ଼େ ଯେତେ ମାଡ଼େ ସେତେ’ ଭଳି ଆମ ଭବିଷ୍ୟତ ଆଗକୁ ଯାଉଛନ୍ତି । ଯୁବପିଢ଼ିଙ୍କୁ ମୋହଗ୍ରସ୍ତ କରି ରଖିଛି ସାମାଜିକ ଗଣମାଧ୍ୟମର ଭଳିକି ଭଳି ପ୍ଳାଟ୍ଫର୍ମ । ଆମ ଅମୂଲ୍ୟ ପୁଞ୍ଜି ଏବେ ବାଟବଣା । ଦେବାଳୟରୁ ପର୍ଯ୍ୟଟନସ୍ଥଳ ଯୁଆଡ଼କୁ ଗଲେ ଖାଲି ସେଲଫି ଆଉ ରିଲସ୍ । ଲଗାମ ଲଗାଇବାକୁ ପରିବାରର ନାହିଁ ଇଛାଶକ୍ତି । ସିଭିଲ ସୋସାଇଟି ବି ମୌନବ୍ରତ ଧରିଛି । ଆଖି ଆଗରେ ଏମିତି କ’ଣ ଆମ ପ୍ରତିଶ୍ରୁତିସଂପନ୍ନ ପିଢ଼ି ଜୀବନ ହାରୁଥିବେ? ସମସ୍ତେ ହାତବାନ୍ଧି ବସିଥିବା?