ଲିପି ଲିଟରେଚର-୨୦୧୯: ‘ଧ୍ୱନିରୁ ଲିପିର ଆକାର, ଅବୟନ ସୃଷ୍ଟି ହୋଇଛି’

ଭୁବନେଶ୍ୱର,୯ା୩(ବ୍ୟୁରୋ): ମଣିଷ ପୃଥିବୀ ପୃଷ୍ଠକୁ ଆସିବାର ବହୁ ପରେ ଭାଷା ସୃଷ୍ଟି ହୋଇଛି । ଭାଷାର ବହୁ ବର୍ଷ ପରେ ସୃଷ୍ଟି ହୋଇଛି ଲିପି । ଧ୍ୱନିରୁ ଲିପିର ଆକାର ଓ ଅବୟନ ସୃଷ୍ଟି ହୋଇଥିବା ସମ୍ଭାବନା ରହିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି ।
ଆଜି ଉତ୍କଳ ରଙ୍ଗମଞ୍ଚରେ ଉଡ଼୍ରଜା ପକ୍ଷରୁ ଲିପି ଲିଟରେଚର-୨୦୧୯ରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଲାଲ କହିଲେ, ଓଡ଼ିଶା ସମଗ୍ର ବିଶ୍ୱରେ ଏକ ବିରଳ ଭୂଖଣ୍ଡ । ଏହା ଶାଶ୍ୱତ ନୃତ୍ୟର ଏକ ମହାଫଳ । କଳା ଓ ସଂସ୍କୃତି ଏବଂ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଓଡ଼ିଶାର ବିକଳ୍ପ ନାହିଁ । ଚେତନାର ଉଚ୍ଚତମସ୍ତରରେ ଓଡ଼ିଶାର ଆତ୍ମା, ପ୍ରତିଷ୍ଠା ଓ ପରିଚିତକୁ ଅନୁଭବ କରିହେବ । ଭାଷାରେ ନୁହେଁ, କେବଳ ହୃଦୟରେ ଓଡ଼ିଶାର ଆତ୍ମିକ ସୌନ୍ଦର୍ଯ୍ୟକୁ ଅନୁଭବ କରିହେବ ବୋଲି ରାଜ୍ୟପାଳ କହିଛନ୍ତି ।
ଏହି ଦ୍ୱିଦିବସୀୟ ଜାତୀୟ ସମ୍ପାନର ଉଦ୍ଘାଟନୀ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଶିଷ୍ଟ ଭାଷାତତ୍ତ୍ୱବିଦ୍ ପ୍ରଫେସର ବିଭୁଦେନ୍ଦ୍ର ନାରାୟଣ ପଟ୍ଟନାୟକ, ବିଶିଷ୍ଟ ଗବେଷକ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା, ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ଡ. ତମସାରାଣୀ ଦାସ ମହାପାତ୍ର ଓଡ଼ିଆ ଲିପି, ଭାଷା ଓ ସାହିତ୍ୟର ଅତୀତ, ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ ।
ଉଡ଼୍ରଜା ସଭାପତି ସୁଷମା ନାୟକ, ଉପସଭାପତି ପ୍ରସନ୍ନ କୁମାର ନାୟକ, ଡ. କ୍ଷୀରୋଦ ଚନ୍ଦ୍ର ବେହେରା, ସମ୍ପାଦକ ଅଜିତ୍ ଦାଶ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଉଡ଼୍ରଜା ପ୍ରକାଶିତ ଏକ ପୁସ୍ତିକାକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ । ପରେ ଗବେଷକ ପ୍ରଫେସର ଡ. ଗଗନେନ୍ଦ୍ର ନାଥ ଦାଶ, ଭାଷାତତ୍ତ୍ୱବିଦ୍ ବିଭୁଦେନ୍ଦ୍ର ନାରାୟଣ ପଟ୍ଟନାୟକ, ପ୍ରଖ୍ୟାତ ଲେଖକ ଡ. ବିଭୂତି ପଟ୍ଟନାୟକଙ୍କୁ ଉଡ଼୍ରଜା ସମ୍ମାନ ପ୍ରଦାନ କରାଯାଇଥିଲା । ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ବିଭିନ୍ନ ଅଧିବେଶନରେ ‘ପ୍ରାକ୍-ଶାରଳ ଲିପି, ଭାଷା ଓ ସାହିତ୍ୟ’ ଶୀର୍ଷକ ପ୍ରସଙ୍ଗରେ ବହୁବିଶିଷ୍ଟ ପରାମର୍ଶଦାତା ଅଂଶଗ୍ରହଣ କରିଥିଲେ ।