ଭୁବନେଶ୍ୱର,୦୯/୦୬ ପୁରୀ ବଡ଼ଦାଣ୍ଡରେ ଆମିଷ  ବିକ୍ରି ହୋଇପାରିବନି । ଶ୍ରୀମନ୍ଦିରରୁ ୨ କିଲୋମିଟର ପର୍ଯ୍ୟନ୍ତ  କୌଣସି ବାର୍‌ ବା ମଦ ଦୋକାନ ରହିବନି ବୋଲି ଆଇନମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେହିଭଳି ବଡ଼ଦାଣ୍ଡରେ  ଥିବା ସବୁ ଘରକୁ ସମାନ ଉଚ୍ଚତା ଓ ସମାନ ଦିଶିଲା ଭଳି  ୟୁନିଫର୍ମ ଡିଜାଇନ୍‌ କରିବାକୁ ଯୋଜନା କରାଯାଉଛି ବୋଲି  ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି । 

ମନ୍ତ୍ରୀ କହିଛନ୍ତି, ରଥଯାତ୍ରା  ଭିଡ଼ ପରିଚାଳନା ନେଇ ବୈଠକରେ ଆଲୋଚନା ହୋଇଛି ।  ଶ୍ରୀମନ୍ଦିର ପାଖରୁ ମଦ ଦୋକାନ ଓ ବାର୍‌ ହଟାଇବାକୁ ନୂଆ  ଅବକାରୀ ନୀତିରେ ବ୍ୟବସ୍ଥା ରହିବ । ସ୍ୱାସ୍ଥ୍ୟ ବିଭାଗର କୋଭିଡ୍‌  ମାର୍ଗଦର୍ଶିକା ହିସାବରେ ରଥଯାତ୍ରା ଆୟୋଜନ କରାଯିବ ବୋଲି  ମନ୍ତ୍ରୀ କହିଛନ୍ତି । ସୋମବାର ସେ ରଥଯାତ୍ରା ନେଇ ପୁଣି ଥରେ ସମୀକ୍ଷା କରିବେ । ରଥଯାତ୍ରା ସୁରକ୍ଷାରେ କୌଣସି ତ୍ରୁଟି ହେବନି । କୁମ୍ଭମେଳା ପରେ ରଥଯାତ୍ରାରେ ସବୁଠୁ ବଡ଼ ଧାର୍ମିକ ସମାବେଶ  ହେଉଥିବାରୁ ଆମେ ସଜାଗ ରହିବୁ ।