ପାଟନା: ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ସମୟରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ ବି ଆରମ୍ଭ ହୋଇଯାଇଛି । ମଦ ବ୍ୟାନ୍ ରାଜ୍ୟରେ ଜବତ ହେଉଛି ଲିଟର ଲିଟର ମଦ । ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପାଖରୁ ଏବେ ସୁଦ୍ଧା ବିହାରରେ ୬୫.୧୩ କୋଟି ଟଙ୍କାର ମଦ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ଏବଂ ମୂଲ୍ୟବାନ ଉପହାର ଜବତ ହୋଇସାରିଛି ।
ଜଣେ ଅଧିକାରୀ କହିଛନ୍ତି ଯେ, ଅକ୍ଟୋବର ୬ ତାରିଖରୁ ପୁଲିସ ଏବଂ ଅନ୍ୟ ସଂସ୍ଥା ୭୫୩ ଜଣଙ୍କୁ ଗିରଫ କରିଛନ୍ତି । ଏହାସହ ୧୩,୫୮୭ ଜଣଙ୍କ ବିରୁଦ୍ଧରେ ଜାମିନ ବିହୀନ ୱାରେଣ୍ଟ ଜାରି ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ (ସିଇଓ) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ‘ଅକ୍ଟୋବର ୬ ତାରିଖରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରଠାରୁ ସାରା ରାଜ୍ୟରେ ମୋଟ ୬୪.୧୩ କୋଟି ଟଙ୍କାର ମଦ ସହ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଛି।’
ତଥ୍ୟ ଅନୁଯାୟୀ, ଜବତ ସାମଗ୍ରୀ ମଧ୍ୟରେ ୨୩.୪୧ କୋଟି ଟଙ୍କାର ମଦ, ୧୪ କୋଟି ଟଙ୍କାର ଉପହାର, ୧୬.୮୮ କୋଟି ଟଙ୍କାର ଅନ୍ୟ ନିଶା ଦ୍ରବ୍ୟ ଏବଂ ୪.୧୯ କୋଟି ଟଙ୍କା ନଗଦ ଅର୍ଥ ଅନ୍ତର୍ଭୁକ୍ତ। ନିର୍ବାଚନରେ ଅର୍ଥ ଶକ୍ତିର ଅପବ୍ୟବହାର ରୋକିବା ପାଇଁ ନିର୍ବାଚନ କମିଶନ ପୂର୍ବରୁ ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକୁ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ରାଜ୍ୟ ପୁଲିସ, , ଆୟକର, କଷ୍ଟମ୍ସ, ରାଜସ୍ୱ ଗୁଇନ୍ଦା ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରାଯାଇଛି। ସେ କହିଛନ୍ତି, ‘ଭୋଟରମାନଙ୍କୁ ପ୍ରଲୋଭିତ କରିବାର ଯେକୌଣସି ପ୍ରୟାସ ଉପରେ ନଜର ରଖିବା ପାଇଁ ସାରା ରାଜ୍ୟରେ ଫ୍ଲାଇଂ ସ୍କ୍ୱାଡ୍, ନିରୀକ୍ଷଣ ଦଳ ଏବଂ ଭିଡିଓ ନିରୀକ୍ଷଣ ଦଳ ୨୪ ଘଣ୍ଟା ସକ୍ରିୟ ଅଛନ୍ତି। ଯାଞ୍ଚ ସମୟରେ ସାଧାରଣ ଜନତା ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିଲାଗି ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି।’
ସୂଚନାଯୋଗ୍ୟ, ବିହାରର ୨୪୩ ବିଧାନସଭା ଆସନ ପାଇଁ ଭୋଟ୍ ନଭେମ୍ବର ୬ ଏବଂ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭୋଟ୍ ଗଣତି ନଭେମ୍ବର ୧୪ ତାରିଖରେ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଅକ୍ଟୋବର ୧୭ ତାରିଖରେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୦ ତାରିଖ ଅର୍ଥାତ ଆଜି ଶେଷ ହୋଇଛି ।