ଯାଞ୍ଚ ଭୟରେ ବଜାରରୁ ଲିଚୁ ଗାଏବ; ପରୀକ୍ଷା ପାଇଁ ରାଜ୍ୟରେ ଲାବ୍ ନାହିଁ

ଭୁବନେଶ୍ୱର,୨୦ ।୬ (ବ୍ୟୁରୋ): ବିହାରରେ ବ୍ୟାପିଥିବା ମସ୍ତିଷ୍କ ଜ୍ୱରର କାରଣ ଲିଚୁ କୋଳି ବୋଲି କୁହାଯାଉଛି । ଏହପରେ ରାଜ୍ୟ ସରକାର ଲିଚୁ କୋଳି ଯାଞ୍ଚ କରିବାକୁ ନିଷ୍ପତ୍ତି ନେବା ପରେ ଏବେ ଲିଚୁ ବଜାରରୁ ଗାଏବ ହୋଇଯାଇଛି । ତେବେ ଭୁବନେଶ୍ୱରରେ କିଛି ଦୋକାନୀ ସୋ’ ରେ ନରଖି ଭିତରେ ରଖି ବିକ୍ରି କରୁିଥିବାର ଦେଖାଯାଇଛି ।
ଏ ପଟେ ସ୍ୱାସ୍ଥ୍ୟ ବିଭାଗ ଲିଚୁ କୋଳି ମାନ ଯାଞ୍ଚ ପାଇଁ ସ୍ୱତନ୍ତ୍ର ଭାବେ କୌଣସି ଡ୍ରାଇଭ କରିନି । ପୂର୍ବରୁ ଯେଉଁଭଳି ମାନ ଯାଞ୍ଚ କରାଯାଉଥିଲା । ଏବେ ବି ସେମିତି ଚାଲିଛି । ଏହି ଯାଞ୍ଚ ବେଳେ କେବଳ ଲିଚୁରେ ପ୍ରାକୃତିକ ରଙ୍ଗ ମିଶିଛି ନା ନାହିଁ? ବିଷାକ୍ତ ରସାୟନ ବ୍ୟବହାର ହୋଇଛି କି ନାହିଁ? ଏହା ଦେଖାଯାଉଛି । ହେଲେ ଟକ୍ସିଂ ଯାଞ୍ଚ ହୋଇପାରୁନି । ବାସ୍ତବରେ ଟକ୍ସିଂ ଯାଞ୍ଚ ପାଇଁ ରାଜ୍ୟରେ ହାଇଲେବୁଲ ଲ୍ୟାବ୍ କେଉଁଠି ନାହିଁ । ଫୁଡ୍ ସେଫ୍ଟି ସର୍ଭିସ ଇଣ୍ଟରନ୍ୟାସନାଲ (ଏଫ୍ଏସଏସଆଇ) ଏ ଯାଏ ଲିଚୁକୁ ନେଇ କୌଣସି ନକାରାତ୍ମକ ମନ୍ତବ୍ୟ ଦେଇନି । ତେଣୁ ଲିଚୁ ବିକ୍ରି ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଏ ପଟେ କିନ୍ତୁ ଭୟରେ ଆଜି ରାଜ୍ୟର ଅଧିକାଂଶ ଫଳ ବଜାରରୁ ଲିଚୁ ଗାଏବ ହୋଇଯାଇଛି । ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, କଟକ ଓ ବ୍ରହ୍ମପୁରରେ ଲିଚୁ ମିଳୁନି । ତେବେ ସମ୍ବଲପୁରର କେତେକ ଅଞ୍ଚଳରୁ ଆସୁଥିବା ଲିଚୁ ରାଜଧାନୀର କିଛି ଦୋକାନରେ ମିଳୁଥିଲା । ତେବେ ଭୟରେ ଦୋକାନୀ ଉପରେ ନରଖି ଭିତରେ ରଖି ବିକ୍ରି କରୁଥିଲେ ।