‘ଆଡପ୍ଟ ଏ ହେରିଟେଜ୍’ ଯୋଜନା ବାଟବଣା: ୮ ମାସ ହେଲାଣି ଶୌଚାଳୟରେ ତାଲା

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ସରକାର ସ୍ୱପ୍ନ ଦେଖାଇଥିଲେ, ଆଡପ୍ଟ ଏ ହେରିଟେଜ୍ ଯୋଜନାରେ ବଛା ବଛା ଐତିହ୍ୟସ୍ଥଳୀର ସୁରକ୍ଷା କରାଯିବ । ଦିଲ୍ଲୀର ଲାଲକିଲ୍ଲା ଭଳି ଓଡ଼ିଶାର ସୂର୍ଯ୍ୟମନ୍ଦିର, ଭୁବନେଶ୍ୱରରେ ଥିବା ରାଜାରାଣୀ ଓ ଯାଜପୁରର ରତ୍ନଗିରି ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀ ହେବ । ଏସବୁ ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା କରାଯିବ । ପିଇବା ପାଣିଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ହେବ । ଏଥିପାଇଁ ଗତବର୍ଷ କେନ୍ଦ୍ର ସରକାର ସବୁ ଏଏସ୍ଆଇ ଐତିହ୍ୟ ସ୍ଥଳଗୁଡିକରେ ପ୍ରବେଶ ଶୁଳ୍ପ ମଧ୍ୟ ବୃଦ୍ଧି କରିଥିଲେ । ଆଡପ୍ଟ ଏ ହେରିଟେଜ୍ ଯୋଜନାକୁ ଇତିମଧ୍ୟରେ ଦୁଇ ବର୍ଷ ପୂରିବାକୁ ବସିଛି । ହେଲେ ଏସବୁ ସ୍ଥାନରେ କୌଣସି ଆନୁସଙ୍ଗିକ ସୁବିଧା କରାଯାଇ ପାରିନି ।
କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିର ୟୁନେସ୍କୋ ଟ୍ୟାଗ୍ ହାତେଇ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେଠାରେ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଠିକ୍ ଭାବେ ଶୌଚାଳୟର ବ୍ୟବସ୍ଥା ହୋଇପାରିନି । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଆଜିକୁ ୧୦ ବର୍ଷ ହେଲାଣି ମନ୍ଦିର ନିକଟରେ ଏକ ଶୌଚାଳୟ ନିର୍ମାଣ କରାଯାଇଛି । ହେଲେ ସେଠାରେ ପାଣିର ସୁବିଧା ନ ଥିବାରୁ ଲୋକେ ତାହାକୁ ବ୍ୟବହାର କରି ପାରୁନାହାନ୍ତି । ଅପରପକ୍ଷେ ଏହାକୁ ଠିକ୍ ଭାବେ ସଫା କରାଯାଉନଥିବାରୁ ତାହା ବ୍ୟବହାର ଉପଯୋଗୀ ହୋଇ ରହିନି । ମନ୍ଦିର ବାହାରେ ସରକାରଙ୍କ ପକ୍ଷରୁ ଯେଉଁ ସୁଲଭ ଶୌଚାଳୟ ଅଛି ତା କଥା ନ କହିବା ଭଲ । ବାରମ୍ବାର ଏନେଇ ଅଭିଯୋଗ ହେବା ପରେ ବିଶ୍ୱକପ୍ ହକି ସମୟରେ ମନ୍ଦିର ପରିସରରେ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା । ସେଥିପାଇଁ ସେ ସମୟର ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକ ଯାଇ କ୍ଷେତ୍ର ପରିଦର୍ଶନ କରିଥିଲେ । ଏପରିକି ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରିବେ ବୋଲି ମଧ୍ୟ କହିଥିଲେ । ହେଲେ ସେସବୁ ବାସ୍ତବ ରୂପ ନେବା ସମ୍ଭବ ହେଲାନି ।
ରାଜଧାନୀସ୍ଥିତ ରାଜାରାଣୀ ମନ୍ଦିର ପରିସରରେ ଥିବା ଶୌଚାଳୟ ଅବସ୍ଥା ମଧ୍ୟ ତଦ୍ରୁପ । ଏଠାରେ ଆଜିକୁ ୯ ମାସ ହେଲାଣି ଶୌଚାଳୟ ଏକ ପ୍ରକାର ବନ୍ଦ ହୋଇପଡିଛି । ଉଭୟ ମହିଳା ଓ ପୁରୁଷ ଶୌଚାଳୟରେ ପାଣିର ସୁବିଧା ନାହିଁ କି ସେସବୁ କେବେ ସଫା ହେଉନି । ଏମିତି ନୁହେଁ ଯେ ଏ ବାବଦରେ କେହି ମୁହଁ ଖୋଲି ନାହାନ୍ତି । ବାରମ୍ବାର ଏନେଇ ମନ୍ଦିର ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ୨୫ ଟଙ୍କା ଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ତାହା ୫୦୦ ଟଙ୍କା ରଖାଯାଇଛି । ପଇସା ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରୁଥିବା ବେଳେ ଶୌଚାଳୟର ଅସୁବିଧା ସାଧାରଣ ପର୍ଯ୍ୟଟକଙ୍କୁ ବ୍ୟଥିତ କରିଛି । ଏନେଇ ପର୍ଯ୍ୟଟକମାନେ ଟିକଟ କାଉଣ୍ଟରରେ ଅଭିଯୋଗ କଲେ ସେମାନଙ୍କୁ ଖାତାରେ ତାହା ଲେଖିବାକୁ କୁହାଯାଉଛି ।
ଏ ବାବଦରେ ରାଜାରାଣୀ ମନ୍ଦିର ତତ୍ତ୍ୱାବଧାନ ଦାୟିତ୍ୱରେ ଥିବା ଯାଦବ ପ୍ରଧାନ କହିଛନ୍ତି, ଯିଏ ବି ପର୍ଯ୍ୟଟକ ଆସୁଛନ୍ତି ସେହି ସମାନ ଅଭିଯୋଗ, ଶୌଚାଳୟ ଅଚଳ । ହେଲେ ଆମେ ବି ଏଥିରେ କିଛି କରି ପାରୁନୁ । ଏନେଇ ଉପରିସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ କଥା ଯାଇଛି । ମାତ୍ର ସେମାନେ ଶୁଣି ବି ଅଶୁଣା କରୁଛନ୍ତି । ରାଜ୍ୟ ସାରା ଏଏସ୍ଆଇ ସଫେଇ କର୍ମଚାରୀ ଆନ୍ଦୋଳନ କରୁଥିବାରୁ ଏମିତି ସମସ୍ୟା ଉପୁଜୁଛି । ତେଣୁ ସପ୍ତାହରେ ଦୁଇଥର ଆମେ ନିଜେ ଯାଇ ଏସବୁ ସଫା କରୁଛୁ ବୋଲି କହିଛନ୍ତି ।
କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଐତିହ୍ୟର ସଂରକ୍ଷଣ ପାଇଁ ସରକାର ୨୦୧୭ ସେପ୍ଟେମ୍ବର ମାସରେ ‘ଆଡପ୍ଟ ଏ ହେରିଟେଜ୍’ ନାମରେ ଏକ କ୍ୟାମ୍ପେନ୍ ଆରମ୍ଭ କରିଥିଲେ । ଏଥିପାଇଁ ବ୍ରିଡିଂ ମଧ୍ୟ କରାଯାଇଥିଲା । ଡାଲମିୟା ଭାରତ ଓ ଟିକେ ଇଣ୍ଟରନ୍ୟାସନାଲ୍ ନାମକ ଦୁଇଟି ବେସରକାରୀ ସଂସ୍ଥା ସାରା ଦେଶରେ ବିଭିନ୍ନ ସ୍ଥାନରେ ଥିବା ଐତିହ୍ୟସ୍ଥଳୀଗୁଡିକୁ ଗ୍ରହଣ କରି ସେଠାରେ ବିକାଶ କରିବାକୁ ମନ ବଳାଇଛନ୍ତି । ସେହି ଆଧାରରେ ଟି.କେ ଇଣ୍ଟରନ୍ୟାସ୍ନାଲ ପ୍ରାଇଭେଟ୍ ଲିମିଟେଡ୍ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ରାଜାରାଣୀ ମନ୍ଦିର ଓ ଯାଜପୁରର ରତ୍ନଗିରି ଆଦିକୁ ଗ୍ରହଣ କରିଛି ।