ଲୁଟେରାଙ୍କ ଟାର୍ଗେଟରେ ତାଲା ବନ୍ଦ ଘର – ଲୁଟି ନେଲେ ୨୦ ଭରି ସୁନା ଗହଣା ସହ ନଗଦ ଟଙ୍କା

Representative image
ବ୍ରହ୍ମପୁର : ସହରରେ ଗତ କିଛି ଦିନ ହେଲା ଚୋର ଓ ଲୁଟେରାଙ୍କ ରାଜୁତି ବଢିବାରେ ଲାଗିଛି। ବିଶେଷ କରି ଲୁଟିଆ ଗ୍ୟାଙ୍ଗ ତାଲା ବନ୍ଦ ଘରକୁ ଟାର୍ଗେଟ କରି ଲୋକଙ୍କୁ ସର୍ବସ୍ୱାନ୍ତ କରି ଦେଉଛନ୍ତି। ଚୋରି ମାମଲାରେ ପୁଲିସକୁ କିନ୍ତୁ ସେହି ପରିମାଣର ସଫଳତା ମିଳୁନାହିଁ । ଏପରି ପରିସ୍ଥିତିରେ ବଡବଜାର ଥାନା ଅନ୍ତର୍ଗତ ଓମ୍ ନଗରରେ ରହୁଥିବା ସତ୍ୟନାରାୟଣ ରାୟଗୁରୁଙ୍କ ଘରୁ ଲୁଟିଆ ଗ୍ୟାଙ୍ଗ ୨୦ ଭରି ସୁନାଗହଣା, ରୂପା ସାମଗ୍ରୀ ଓ ୩୦ ହଜାର ଟଙ୍କା ଚୋରି କରି ନେଇଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଛି।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଲୁଟେରା ଗ୍ୟାଙ୍ଗଙ୍କୁ ଠାବ କରିବା ପାଇଁ ପ୍ରୟାସ ଜାରି ରଖିଛି। ଅନ୍ୟପକ୍ଷରେ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ମଧ୍ୟ ପୁଲିସ ଯାଞ୍ଚ କରୁଛି।
ସୂଚନା ଅନୁସାରେ, ସତ୍ୟନାରାୟରଣ ରାୟଗୁରୁ ହେଉଛନ୍ତି ଜଣେ ବ୍ୟବସାୟୀ । ସେ କିଛି ଦିନ ପୂର୍ବେ ବ୍ୟବସାୟିକ କାମରେ ମୁମ୍ବାଇ ଯାଇଥିଲେ। ସ୍ୱାମୀ ମୁମ୍ବାଇ ଯିବା ପରେ ତାଙ୍କ ପତ୍ନୀ ତୃପ୍ତିରାଣୀ ଦାଶ ଘରେ ତାଲା ପକାଇ ଗୋସାଣୀନୂଆଗାଁରେ ରହୁଥିବା ତାଙ୍କ ବାପ ଘରକୁ ଚାଲି ଯାଇଥିଲେ। ସତ୍ୟନାରାୟଣଙ୍କ ଘରର ଗ୍ରୀଲ୍ ତାଲା ଭଙ୍ଗା ଯାଇଥିବା ନେଇ ଉକ୍ତ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କୁ ଫୋନ୍ କରି ଜଣାଇଥିଲେ। ସେ ତାଙ୍କ ଶ୍ୱଶୁର ଘରେ ଥିବା ପତ୍ନୀ ତୃପ୍ତିରାଣୀଙ୍କୁ ଫୋନ୍ ଜରିଆରେ ଘରର ଗ୍ରୀଲ୍ ଭାଙ୍ଗିଥିବା ସମ୍ପର୍କରେ ଜଣାଇଥିଲେ।
ତୃପ୍ତିରାଣୀ ତୁରନ୍ତ ତାଙ୍କ ଭାଇ ସହ ଘରେ ପହଞ୍ଚି ଦେଖିବା ବେଳେ ଦୁଇଟି ଆଲମିରା ଓ ଲକର ଭଙ୍ଗାଯାଇଥିବା ଜାଣିବାକୁ ପାଇଥିଲେ। ସେହିପରି ଆଲମିରାରେ ଥିବା ସମସ୍ତ ସାମଗ୍ରୀ ଘର ଭିତରେ ଫିଙ୍ଗାଫୋପଡା ହୋଇ ପଡିଥିବା ମଧ୍ୟ ଦେଖିବାକୁ ପାଇଥିଲେ। ଅନ୍ୟପଟେ ଆଲମିରା ଓ ଲକରରେ ଥିବା ୨୦ଭରିରୁ ଉର୍ଦ୍ଧ୍ୱ ସୁନାଗହଣା, ରୂପା ସାମଗ୍ରୀ ଓ ୩୦ ହଜାର ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ ।
ମହିଳା ଜଣକ ଏ ନେଇ ବଡବଜାର ଥାନାରେ ଅଭିଯୋଗ କରିଥିଲେ। ପରେ ମୁମ୍ବାଇରେ ଥିବା ସତ୍ୟନାରାୟଣ ବିମାନ ଯୋଗେ ଭୁବନେଶ୍ୱର ପରେ ଟ୍ରେନ୍ ଯୋଗେ ବ୍ରହ୍ମପୁର ଆସିଥିଲେ। ପୁଲିସ ଘଟଣାତର ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଚୋରଙ୍କର ସନ୍ଧାନ ମିଳିନାହିଁ ।