ଇଶାନ କିଷନ କି ଏସ୍ ଭରତ ନୁହଁନ୍ତି, ଏହି ଖେଳାଳିଙ୍କୁ WTC ଫାଇନାଲ ପାଇଁ ଚୟନ କଲେ ଶାସ୍ତ୍ରୀ

ନୂଆଦିଲ୍ଲୀ ୧୮/ ୦୩: ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପ୍ରବେଶ କରିସାରିଛି ଭାରତୀୟ ଦଳ । ଇଂଲଣ୍ଡର ଦି ଓଭାଲ୍ ଗ୍ରାଉଣ୍ଡରେ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ (WTC) ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଯାହାକି ଆସନ୍ତା ଜୁନ୍ ୭ ରୁ ୧୧ ତାରିଖ ଯାଏଁ ଖେଳାଯିବ । ତେବେ ଫାଇନାଲ ମ୍ୟାଚ୍ରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ କିଭଳି ରହିବ, ସେ ନେଇ ଅନେକ ପୂର୍ବତନ କ୍ରିକେଟର୍ ମତ ଦେଉଛନ୍ତି ।

ଭାରତୀୟ ଦଳରେ ଓ୍ବିକେଟ୍ କିପର୍ ଏକ ପ୍ରମୁଖ ସମସ୍ୟା ପାଲଟିଛି । କାରଣ ଦଳର ନିୟମିତ ଓ୍ବିକେଟ୍ କିପର୍ ତଥା ବ୍ୟାଟର ଋଷଭ ପନ୍ତ ଦୁର୍ଘଟଣାର ଶିକାର ହୋଇ ଏବେ ସୁସ୍ଥ ହେଉଛନ୍ତି । ସେ ଟେଷ୍ଟ ଫାଇନାଲ୍ ଖେଳିବାର ସମ୍ଭାବନା ଖୁବ କମ୍ । ତେଣୁ ଶ୍ରୀକର ଭରତ, ଲୋକେସ ରାହୁଲ ଓ ଇଶାନ କିଷନ ଓ୍ବିକେଟ୍ କିପିଂ କରିବାର ଦକ୍ଷତା ରଖିଛନ୍ତି । ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ କାହାକୁ ମିଳିବ ସୁଯୋଗ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କ୍ରିକେଟର୍ ରବି ଶାସ୍ତ୍ରୀ । ସେ କହିଛନ୍ତି, ‘ଏସ୍ ଭରତ କିମ୍ବା ଇଶାନ କିଷନ ନୁହେଁ ବରଂ ଲୋକେସ ରାହୁଲଙ୍କୁ ଫାଇନାଲରେ ସୁଯୋଗ ଦିଆଯିବା ଉଚିତ’।

ରବି ଶାସ୍ତ୍ରୀ କହିଛନ୍ତି, ‘ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଅବଶ୍ୟ ଲୋକେସ ରାହୁଲ ଖରାପ ପ୍ରଦର୍ଶନ କରିଥିଲେ । କିନ୍ତୁ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ୭୫ ରନର ଅପରାଜିତ ଇନିଂସ ଖେଳିଥିଲେ ଏବଂ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।’ ସେ ଫର୍ମକୁ ଫେରିଛନ୍ତି ଏବଂ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ତାଙ୍କୁ ସୁଯୋଗ ମିଳିବ ବୋଲି କହିଛନ୍ତି ଶାସ୍ତ୍ରୀ ।

ପୂର୍ବତନ ଭାରତୀୟ କ୍ରିକେଟର ଆହୁରି ମଧ୍ୟ କହିଛନ୍ତି ଯେ, ଲୋକେସ ରାହୁଲ ଯେକୌଣସି ସ୍ଥାନରେ ଖେଳିବାର କ୍ଷମତା ରଖିଛନ୍ତି । ସେ ଇଂଲଣ୍ଡରେ ଓପନିଂ କରିପାରିବେ, ଏହା ସହିତ ୫ନଂ ଓ ୬ନଂ ରେ ମଧ୍ୟ ବ୍ୟାଟିଂ କରିପାରିବେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ସେ କମାଲ କରିଥିଲେ । ଆହୁରି ୨ଟି ଦିନିକିଆ ଖେଳାଯିବାକୁ ଥିବାରୁ ରାହୁଲ ନିଜକୁ ଶାଣିତ କରିପାରିବେ ଏବଂ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ରବି ଶାସ୍ତ୍ରୀ ।