ନୂପୁର ଶର୍ମାଙ୍କ ବିରୁଦ୍ଧରେ ଲୁକଆଉଟ୍ ନୋଟିସ ଜାରିକଲା ପୋଲିସ, ନୋଟିସ୍ ସତ୍ତ୍ବେ ହୋଇନଥିଲେ ହାଜର

ନୂଆଦିଲ୍ଲୀ ୦୨/ ୦୭: ପୈଗମ୍ବର ମହମଦ ବିବାଦକୁ ନେଇ ଦେଶର ଅନେକ ସ୍ଥାନରେ ଏବେ ବି ହିଂସାତ୍ମକ ପରିସ୍ଥିତି ଲାଗିରହିଛି । ବିବାଦୀୟ ମନ୍ତବ୍ୟ ଦେଇଥିବା ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ମୁସ୍କିଲ ମଧ୍ୟ ବଢିବାରେ ଲାଗିଛି । କୋଲକାତା ପୋଲିସ ଏ ନେଇ ନୂପୁର ଶର୍ମାଙ୍କ ବିରୁଦ୍ଧରେ ଲୁକ୍ ଆଉଟ ନୋଟିସ ଜାରି କରିଛନ୍ତି । ତାଙ୍କ ବିରୁଦ୍ଧରେ କୋଲକାତାରେ ଦୁଇଟି ମାମଲା ରୁଜୁ ହୋଇଛି । ଯାହାକୁ ନେଇ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି ।
ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ପ୍ରବଳ ବର୍ଷିଥିଲେ । ଏପରିକି ନୂପୁର ଶର୍ମାଙ୍କ ଏହି ବୟାନ ଯୋଗୁଁ ଦେଶରେ ଏଭଳି ଅପ୍ରୀତିକର ପରିସ୍ଥିତି ଲାଗିରହିଥିବା କୋର୍ଟ କହିଥିଲେ । କୋର୍ଟଙ୍କ ଭର୍ତ୍ସନା ପରେ ଦିଲ୍ଲୀ ପୋଲିସ ନୂପୁର ଶର୍ମାଙ୍କ ନୋଟିସ ଜାରି କରିବାକୁ ପ୍ରସ୍ତୁତ ଚଳାଇଛି । ପୂର୍ବରୁ ମଧ୍ୟ ଧାରା ୪୧-ଏ ଆଧାରରେ ଯାଞ୍ଚରେ ସାମିଲ ହେବାକୁ ନୂପୁର ଶର୍ମାଙ୍କୁ ନୋଟିସ ଜାରି କରିସାରିଛି ଦିଲ୍ଲୀ ପୋଲିସ । ଏହାକୁ ନେଇ ଜୁନ ୧୮ ତାରିଖରେ ସେ ଥାନାରେ ହାଜର ହୋଇ ପକ୍ଷ ମଧ୍ୟ ରଖିଥିଲେ ।
କେବଳ ସେତିକି ନୁହେଁ ନୂପୁର ଶର୍ମାଙ୍କ ବିରୁଦ୍ଧରେ ନାରକେଲଡାଙ୍ଗ ଥାନା, ଏମହର୍ଟ ଷ୍ଟ୍ରିଟ୍ ପୋଲିସ ସମେତ କୋଲକାତାର ୧୦ଟି ଥାନାରେ ମାମଲା ରୁଜୁ ହୋଇସାରିଛି । ପୈଗମ୍ବର ବିବାଦ ମାମଲାରେ ନୂପୁର ଶର୍ମା ଦେଇଥିବା ବିବାଦକୁ ନେଇ ଅନେକ ରାଜ୍ୟରେ ମାମଲା ରୁଜୁ କରାଯାଇସାରିଛି । ତେବେ ସମସ୍ତ ଯାଚିକାଗୁଡିକୁ ଦିଲ୍ଲୀକୁ ସ୍ଥାନାନ୍ତର କରିବା ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ଏହାର ବିଚାର କରି କୋର୍ଟ ଖାରଜ କରିବା ସହିତ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ । ତେଣୁ ଏବେ ଯେକୌଣସି ମୂହୁର୍ତ୍ତରେ ନୂପୁର ଶର୍ମାଙ୍କୁ ଗିରଫ କରିପାରେ ଦିଲ୍ଲୀ ପୋଲିସ ।