ଫିରିଙ୍ଗିଆ, ୦୫/୦୧ : ଫିରିଙ୍ଗିଆ ବ୍ଲକ ନୁଆଁପଦର ପଞ୍ଚାୟତ କୁଟ୍ରୁସୁଗା ଗାଁରେ ଥିବା ଆଖଣ୍ଡଳମଣି ମନ୍ଦିରରୁ ଚୋରି। ରବିବାର ରାତିରେ ତାଲା ଭାଙ୍ଗି ସୁନା ରୂପା ଲୁଟିନେଲେ ଦୁର୍ବୃତ୍ତ। ଏନେଇ ଫିରିଙ୍ଗିଆ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ନୁଆଁପଦର କୁଟ୍ରୁସୁଗା ଠାରେ ଥିବା ଆଖଣ୍ଡଳମଣି ମନ୍ଦିରରେ ସକାଳୁ ପୂଜକ ପୂଜା କରିବାକୁ ଯାଇ କବାଟରୁ ତାଲା ଭଙ୍ଗା ହୋଇଥିବା ଦେଖିଥିଲେ। ମନ୍ଦିର ଭିତରେ ପଶି ଦେଖିଲା ବେଳକୁ ସବୁ ଜିନିଷ ପତ୍ର ବିଛେଇ ହୋଇ ପଡ଼ିଥିଲା। ଏନେଇ ସେ ମନ୍ଦିର ସଭାପତି ଓ ସମ୍ପାଦକ ମୀନକେତନ ସାହୁ ଏବଂ କିଛି ଗ୍ରାମବାସୀଙ୍କୁ ଜଣାଇଥିଲେ। ମନ୍ଦିରରୁ ସୁନା ରୁପା ଓ ପାର୍ବତୀ ମନ୍ଦିରରୁ ଏକ ଲକେଟ୍ ଚୋରି ହୋଇଥିବା ଜଣାପଡ଼ିଥିଲା। ଏହାପରେ ମନ୍ଦିର କମିଟି ସମ୍ପାଦକ ମୀନକେତନ ସାହୁ, ପୂଜକ ମନୋଜ ରଣା ଓ କିଛି ଗ୍ରାମବାସୀ ମନ୍ଦିରରୁ ଚୋରି ହୋଇଥିବା ନେଇ ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଥିଲେ। ଫିରିଙ୍ଗିଆ ଥାନାରୁ କୃଷ୍ଣଚନ୍ଦ୍ର ଗୌଡ଼, ପ୍ରିୟ ରଞ୍ଜନ ନାୟକ ଓ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
ଚୋରି ହୋଇଥିବା ରୁପା ଛତ୍ର ଓ ସୁନା ଲକେଟକୁ ଭକ୍ତମାନେ ଦାନ ସୂତ୍ରରେ ଦେଇଥିଲେ। ଏହାର ଆନୁମାନିକ ମୂଲ୍ୟ ପଚାଶରୁ ଷାଠିଏ ହଜାର ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି। ତେବେ ମନ୍ଦିରରେ ପ୍ରତ୍ୟେକ ଦିନ ଗହଳି ଚହଳି ଲାଗି ରହୁଥିବା ବେଳେ ରାତିରେ ପୂଜକଙ୍କ ଅନୁପସ୍ଥିତର ସୁଯୋଗ ନେଇ କେହି ଦୁର୍ବୃତ୍ତ ଚୋରି କରିଥିବା ଆଲୋଚନା ହେଉଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ତୁରନ୍ତ ଚୋରକୁ ଧରି ଚୋରି ସାମଗ୍ରୀ ଉଦ୍ଧାର କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।