ମନ୍ଦିର ଫାଟକ ତାଲା ଭାଙ୍ଗି ଲୁଟ୍, ୧୦ କେ.ଜି ଓଜନର ଚନ୍ଦ୍ରଶେଖରଙ୍କ ରୁପା ମୂର୍ତ୍ତି ଚୋରି କରିନେଲେ ଦୁର୍ବୃତ୍ତ

ଆନନ୍ଦପୁର, ୦୧/୦୬ : ମନ୍ଦିରରୁ ୧୦ କେ.ଜି ଓଜନର ରୁପା ମୂର୍ତ୍ତି ଚୋରି। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦେଓଗାଁରେ ଥିବା ସର୍ବ ପ୍ରାଚୀନ ଶୈବପୀଠ ବାବା କୁଶଳେଶ୍ଵରଙ୍କ ମନ୍ଦିରରୁ ଚୋରି ହୋଇଛି। ମଙ୍ଗଳବାର ରାତିରେ କେହି ଦୃର୍ବୁତ୍ତ ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦିର ଫାଟକ ତାଲାଭାଙ୍ଗି ରୁପାରେ ନିର୍ମିତ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ଚୋରି କରିନେଇଛନ୍ତି।
ସୂଚନାନୁଯାୟୀ, ଘଷିପୁରା ଥାନା ଦେଓଗାଁରେ ଥିବା ସର୍ବ ପ୍ରାଚୀନ ଶୈବପୀଠ ବାବା କୁଶଳେଶ୍ଵରଙ୍କ ମନ୍ଦିରରୁ ମଙ୍ଗଳବାର ରାତିରେ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ଚୋରି ହୋଇଛି। ଚୋରି ହୋଇଥିବା ମୂର୍ତ୍ତିର ଓଜନ ୧୦ କେ.ଜି ହୋଇଥିବା ବେଳେ କାହିଁ କେଉଁ କାଳରୁ ଏହି ମୂର୍ତ୍ତି ପୂଜା ପାଇଆସୁଥିଲେ। ଆଜି ସକାଳେ ପୂଜାରୀ ମନ୍ଦିର ଖୋଲିବା ସମୟରେ ଚୋରି ହୋଇଥିବା ଜାଣିପାରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ମନ୍ଦିରରେ ଚୋରି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରି ସମସ୍ତ ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତ। ସ୍ଥାନୀୟ ଅଞ୍ଚଳରୁ ବାରମ୍ଵାର ଚୋରି ହେଉଥିବାରୁ ଖୁବ୍ଶୀଘ୍ର ଦୋଷୀଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।