ମଙ୍ଗଳାଯୋଡ଼ି ବ୍ରାହ୍ମଣ ଶାସନରୁ ଲୁଟ୍ : ୫ ଲକ୍ଷରୁ ଉର୍ଦ୍ଧ୍ଵ ସୁନାଗହଣା ଓ ଆସବାବପତ୍ର ଲୁଟିନେଲେ ଦୁବୃର୍ତ୍ତ

ଟାଙ୍ଗୀ,୨୬/୦୫ ; ଟାଙ୍ଗୀ ଥାନା ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉନଥିବାରୁ ଦିନକୁ ଦିନ ଚୋରି ଘଟଣା ବଢ଼ିବାରେ ଲାଗିଛି। ଚୋରମାନେ ପୋଲିସକୁ ଖୁଲମଖୁଲା ଚାଲେଞ୍ଜ ଦେଇ କେତେବେଳେ ମନ୍ଦିରରୁ ଚୋରି କରୁଛନ୍ତି ତ ପୁଣି ଆଉ କେତେବେଳେ ଘରେ ପଶି କଳାକନା ବୁଲାଇ ଦେଉଛନ୍ତି। ଟାଙ୍ଗୀ ଥାନା ଅଧିନସ୍ଥ ମଙ୍ଗଳାଯୋଡ଼ି ଗ୍ରାମରେ ପୁଣି ଲୁଟ୍ ହୋଇଛି। ଗୁରୁବାର ରାତିରେ ମଙ୍ଗଳା ଯୋଡି ବ୍ରାହ୍ମଣ ଶାସନରେ ପଶି ଦୁବୃର୍ତ୍ତମାନେ ବାସନ୍ତୀ ଦାସଙ୍କ ଘରେ ବଡ ଧରଣର ଲୁଟ୍ କରିଛନ୍ତି। କବାଟ ଭାଙ୍ଗି ଘରୁ ନଗଦ ଏକ ଲକ୍ଷ ଟଙ୍କା ସହ ୫ ଲକ୍ଷରୁ ଅଧିକ ସୁନା ଗହଣା, ପାଟ ଶାଢୀ ସହ ଆନ୍ୟାନ୍ୟ ଦାମୀ ସାମଗ୍ରୀ ଲୁଟି ନେଇଛନ୍ତି।
ସୂଚନା ମୁତାବକ, ନାତି ଏକୋଇସିଆ ପାଇଁ ବାସନ୍ତୀ ଦାସ ବ୍ୟାଙ୍କରୁ ଟଙ୍କା ଉଠାଇ ଘରେ ରଖିଥିଲେ। ଗୁରୁବାର ରାତିରେ ୩ ଜଣ ଲୁଟେରା ବାସନ୍ତୀଙ୍କ ବାରି ପଟେ ପଶି କଳାକନା ବୁଲାଇ ଦେଇଥିଲେ। ଲୁଟେରାମାନଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନିଥିବା ମହିଳା ପ୍ରକାଶ କରିଛନ୍ତି। ଟଙ୍କା ଲୁଟ୍ ହୋଇଯିବା ଫଳରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଗତ ଦୁଇ ଦିନ ତଳେ ମଙ୍ଗଳାଯୋଡିର ଏକ ମନ୍ଦିରରୁ ଲୁଟ୍ ଉଦ୍ୟମ ହୋଇଥିଲା। ପୋଲିସ୍ ର ପାଟ୍ରୋଲିଂ ନଥିବାରୁ ଏଭଳି ଘଟଣା ଟାଙ୍ଗୀ ଥାନା ଅଞ୍ଚଳରେ ବାରମ୍ଭାର ଘଟୁଥିବା ଅଭିଯୋଗ ହୋଇଛି। ପାଟ୍ରୋଲିଂ କଡାକଡି କରିବାକୁ ଦାବୀ ହେଉଛି।