PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

କୁଖ୍ୟାତ ଲୁଟେରା ଚନ୍ଦନକୁ ବାନ୍ଧିଲା ପୋଲିସ, ୭ ସୁନାଚେନ୍‌ ଓ ବାଇକ୍‌ ଜବତ

ଭୁବନେଶ୍ୱର,୨୮/୦୩: କମିଶନରେଟ୍‌ ପୁଲିସର ନିଦ ହଜାଇ ଦେଇଥିବା କୁଖ୍ୟାତ ଲୁଟେରା ଚନ୍ଦନ ଓରଫ ବିଭୁପ୍ରସାଦ ଜେନା(୨୧)କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି । ଚନ୍ଦନଠାରୁ ୭ଟି ସୁନାଚେନ୍‌ ଓ ଏକ ବାଇକ୍‌ ଜବତ ହୋଇଛି । ଚନ୍ଦନର ଘର ପୁରୀ ଜିଲ୍ଲା କୋଣାର୍କ ଥାନା ଡାଳିମ୍ବ ଗରଡ଼ି । ତାକୁ ନୂଆପଲ୍ଲୀ ଅଞ୍ଚଳର ଏକ ହୋଟେଲରୁ ପୁଲିସ ଗିରଫ କରାଯାଇଛି । ଆଜି ଚନ୍ଦନକୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ହାଜତକୁପଠାଇ ଦିଆଯାଇଛି ।

 ଜୋନ୍‌-୫ ଏସିପି ସଞ୍ଜୀବ ଶତପଥୀଙ୍କଠାରୁ ମିଳିଥିବା ସୂଚନା ମୁତାବକ ୧୬ ନମ୍ବର ଜାତୀୟ ରାଜପଥର ତମାଣ୍ଡୋ ଠାରୁ ଜୟଦେବବିହାର ଛକ ମଧ୍ୟରେ ଗତ କିଛିଦିନ ମଧ୍ୟରେ ବାଇକ୍‌ଆରୋହୀଙ୍କ ଠାରୁ ସୁନାଚେନ୍‌ ଲୁଟ୍‌ ହେଉଥିଲା । ଏନେଇ ତମାଣ୍ଡୋ, ଖଣ୍ଡଗିରି ଓ ନୂଆପଲ୍ଳୀ ଥାନାରେ ଅଭିଯୋଗ ହେଉଥିଲା। ଲୁଟେରାକୁ ଧରିବାକୁ ୩ ଥାନା ପୁଲିସ ଚେଷ୍ଟା କରି ବି ବିଫଳ ହୋଇଥିଲେ । ଗତ ୨୧ ତାରିଖରେ ପାତ୍ରପଡ଼ା ଅଞ୍ଚଳରେ ରହୁଥିବା ଆକାଶ କୁମାର ଗୁପ୍ତା ବାଇକରେ ଯାଉଥିଲାବେଳେ ନୂଆପଲ୍ଲୀ ଇସ୍କନ୍‌ ମନ୍ଦିର ସମ୍ମୁଖରେ ଲୁଟର ଶିକାର ହୋଇଥିଲେ । ଏନେଇ ଆକାଶ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଲୁଟେରା ବ୍ୟବହାର କରୁଥିବା ବାଇକ୍‌ ନମ୍ବରରୁ ପୁଲିସ ତନାଘନା ଚଳାଇଥିଲା । ଗତକାଲି ରାତିରେ ନୂଆପଲ୍ଲୀରେ ଥିବା ଏକ ହୋଟେଲରେ ପୁଲିସ ଚଢ଼ଉ କରି ଚନ୍ଦନକୁ ଗିରଫ କରିଥିଲା । ଚନ୍ଦନ ନିକଟରୁ ୭ଟି ସୁନାଚେନ୍‌ ଓ ବାଇକ୍‌ ଜବତ ହୋଇଥିଲା ।

  ସୁନାଚେନ୍‌ ଲୁଟ୍‌ପାଟ କରିବା ପରେ ସେଗୁଡ଼ିକୁ ଚନ୍ଦନ ବିକ୍ରି କରୁଥିଲା କିମ୍ବା ବନ୍ଧା ପକାଇ ଦେଉଥିଲା । ଉକ୍ତ ଟଙ୍କାରେ ସେ ଅଏସ୍‌ କରୁଥିଲା । ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ରହି ଟଙ୍କା ଉଡ଼ାଉଥିଲା । ବମ୍ବେ, ଦିଲ୍ଲୀ, ବେଙ୍ଗାଲୁର୍‌, କୋଲକାତା ଠାରୁ ଆରମ୍ଭକରି କାଶ୍ମୀର ଆଦି ପ୍ରମୁଖ ସ୍ଥାନ ବୁଲାବୁଲି କରୁଥିଲା । ରିଲ୍‌ସ ମଧ୍ୟ ବନାଉଥିଲା । ସେ ଗାଁରୁ ଆସି ବିଭିନ୍ନ ହୋଟେଲରେ ରହିବା ସହ ସାଙ୍ଗମାନଙ୍କ ଠାରୁ ବାଇକ୍‌ ମାଗି ଲୁଟ୍‌ପାଟ କରୁଥିଲା । ଚନ୍ଦନ ଜଣେ ଅଭ୍ୟାସଗତ ଅପରାଧୀ । ତା’ ନାମରେ ରାଜଧାନୀର ବିଭିନ୍ନ ଥାନାରେ ୧୫ରୁ ଅଧିକ ଲୁଟ୍‌ପାଟ ମାମଲା ଥିବା ଜଣାପଡ଼ିଛି ।