ଭୁବନେଶ୍ୱର,୩୧/୦୧: ପ୍ରାୟ ୧୧ ବର୍ଷ ହେବ ବନ୍ଦ ରହିଛି ଶ୍ରୀଲିଙ୍ଗରାଜ-କପିଳେଶ୍ୱରଙ୍କ ଦେବ ସମ୍ପର୍କ । ୨୦୧୫ ମସିହାଠାରୁ ଏକାଠି ହୋଇପାରୁନାହାନ୍ତି ଦୁଇ ଆରାଧ୍ୟ । ଏ ନେଇ ସମସ୍ତେ ଗଭୀର ଚିନ୍ତାରେ ଅଛନ୍ତି । ଆବାହମାନ କାଳର ଏହି ଦେବ ପରମ୍ପରାକୁ ଗ୍ରାସ କରିଛି ଅଭେଦ୍ୟ ଗ୍ରହଣ, ଯାହାକି ସ୍ୱାଭିମାନ, ଅଭିମାନ ଆଉ ସମ୍ମାନର ଜଡକୁ ଜାବୁଡ଼ି ଧରିଛି । ଯେତେ ପ୍ରୟାସ କଲେ ବି ସମାଧାନ ହୋଇପାରୁନି । ତେଣୁ ଏବେ ସମସ୍ତେ ଏନେଇ ରାଜନୀତି ଓ ଭୋଟ୍ ବ୍ୟାଙ୍କର ଦିଗ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କଲେଣି । ଯଦି ରାଜନେତାଙ୍କ ଭୋଟ ଭୟ ଓ ମୋହ ତୁଟିଯିବ, ତେବେ ବିବାଦ ବି ତୁଟିଯିବ ବୋଲି କୁହାଯାଉଛି । ହାଣ୍ଡିଭଙ୍ଗା ଯାତକୁ ଆଉ ମାତ୍ର ୨୦ ଦିନ ବାକି । ଏଥର ଏହି ଯାତ ଏକାମ୍ରକୁ ଫେରିବ କି ନାହିଁ ବୋଲି ଅନେକ ପ୍ରଶ୍ନ କରୁଛନ୍ତି । ନ ହେଲେ ପୁଣି ଆଉ ଏକ ନୀତି ବିଭ୍ରାଟ ସ୍ଥିତି ଉପୁଜିବା ଥୟ । ଏଣେ ଆଉ କିଛି ମାସ ପରେ ବିବାଦକୁ ପୂରିବ ୧୨ ବର୍ଷ । ୧୨ ବର୍ଷ ପରମ୍ପରା ବନ୍ଦ ରହିଲେ ତାହା ଆଉ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ମୁକ୍ତି ମଣ୍ଡପ ପଣ୍ଡିତଙ୍କଠାରୁ ଆରମ୍ଭ କରି କିଛି ନାହାକ ଜ୍ୟୋତିଷ ଓ ପାଞ୍ଜିକାର ମତ ଦେଇଛନ୍ତି ।

ବିବାଦର ପୃଷ୍ଠଭୂମି

୨୦୧୫ ମସିହା ଅଁଳା ନବମୀ ଦିନ କପିଳେଶ୍ୱର ମନ୍ଦିରରେ ନୀତି ବିଭ୍ରାଟ ହୋଇଥିଲା । ଏହି ବିଭ୍ରାଟ କାରଣରୁ ସେବା ସ୍ୱତ୍ତ୍ୱ ପାଇଁ ଉଭୟ ଖୁଣ୍ଟିଆ ଓ ମଲିଆ ସେବାୟତ ମୁହାଁମୁହିଁ ହୋଇଥିଲେ । ମାମଲା ଉଚ୍ଚନ୍ୟାୟାଳୟକୁ ଯାଇଥିଲା । ହାଇକୋର୍ଟରୁ ୨ଟି ମାମଲାର ପୃଥକ ନିର୍ଦ୍ଦେଶ ଆସିଥିଲା । ଉଭୟରେ ପରମ୍ପରା ସ୍ୱାଭାବିକ କରିବାକୁ ରାଜ୍ୟ ସରକାରଙ୍କ ଆଇନ ବିଭାଗ, ଦୁଇ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ତଥା ଜିଲ୍ଲାପାଳ ଓ ଦେବୋତ୍ତର କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଗୋଟିଏ ନିର୍ଦ୍ଦେଶରେ ନିର୍ଦ୍ଦିଷ୍ଟ କରି ୨୦୧୫ ପୂର୍ବରୁ ଯେଉଁ ପ୍ରକାର ସେବା ସ୍ୱତ୍ତ୍ୱ ପ୍ରଚଳନ ଥିଲା ତାକୁ କାର୍ଯ୍ୟକାରୀ କରିବାକୁ ଅଦାଲତ ପରାମର୍ଶ ଦେଇଥିଲେ । ଯାହା ଏଯାଏ ଅଲୋଡା ହୋଇ ରହିଛି । ଯଦି ଏବେକାର ସରକାର ଏ ଦିଗରେ ପ୍ରୟାସ କରିବେ ତା’ହେଲେ ଦୁଇ ମନ୍ଦିରକୁ(କପିଳେଶ୍ୱର ଏବଂ ଶ୍ରୀଲିଙ୍ଗରାଜ) ଦେବ ପରମ୍ପରାର ଗୌରବ ଫେରିବା ସହ ଶ୍ରଦ୍ଧାଳୁ ଆଶ୍ୱସ୍ତି ଅନୁଭବ କରିବେ ।

ହାଣ୍ଡିଭଙ୍ଗା ଯାତ

ଚନ୍ଦନ ଚାପ, ଶିବ ବିବାହ-ଶୀତଳ ଷଷ୍ଠୀ ଯାତ୍ରା ଓ ବାରୁଣେଶ୍ୱର ବୁଡରେ ଉଭୟ ପକ୍ଷଙ୍କ ମଧ୍ୟରେ ଯାଆସ ସ୍ୱାଭାବିକ ହୋଇଯିବ । ହାଣ୍ଡିଭଙ୍ଗା ଯାତ ପରମ୍ପରା ଅନୁଯାୟୀ, ମହାଶିବରାତ୍ରୀରେ କପିଳେଶ୍ୱରଙ୍କ ମଲିଆ ସେବାୟତମାନେ ଶ୍ରୀଲିଙ୍ଗରାଜଙ୍କଠାରେ ୧୦୮ ଗରା ତୀର୍ଥଜଳ ଲାଗି କରିଥାନ୍ତି । ପ୍ରତିବଦଳରେ ଜାଗର ପରବର୍ତ୍ତୀ ଶନିବାର ମହାପ୍ରଭୁ କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶନିଦେବଙ୍କ ଦର୍ଶନ ପୂଜାର୍ଚ୍ଚନା କରିବାକୁ ସମ୍ମତି ପ୍ରଦାନ କରନ୍ତି । ଏଥିସହ କପୀଳ ମୁନୀଙ୍କୁ ବିଷ୍ଣୁ ପ୍ରାୟ ମଣି ହରିହର ଭେଟ ପାଇଁ ମଧ୍ୟ ମନ ବଳାନ୍ତି । ଏହି ନୀତି ବଢିବା ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଦକ୍ଷିଣ ପଶ୍ଚିମରେ ଥିବା ଐଶାନେଶ୍ୱରଙ୍କ ସହ ଭେଟ ଆଳତୀ ସାରି ଶ୍ରୀଜିଉ ମନ୍ଦିରକୁ ଫେରିବାର ବିଧିକୁ ହାଣ୍ଡିଭଙ୍ଗା ଯାତ କୁହାଯାଏ ।