ରାତି ପାହିଲେ ବିରାଜିବେ ମା’ ବାଗ୍ଦେବୀ

ଭୁବନେଶ୍ୱର, ୨୫।୧: ରାତି ପାହିଲେ ଆସନ୍ତା ଗୁରୁବାର ବିରାଜିବେ ମା’ ବାଗ୍ଦେବୀ । ରାସ୍ତାଘାଟରେ ବିକ୍ରି ହେଲାଣି ମା’ଙ୍କ ମୂର୍ତ୍ତି । ଖଡ଼ିରେ ଧଳା, ନୀଳ, ଗୋଲାପୀ, ସବୁଜ ପରି ଅନେକ ରଙ୍ଗରେ ମା’ଙ୍କୁ ସଜା ଯାଇଛି । ମା’ଙ୍କୁ ଦେଖିଲେ ଘଡ଼ିଏ ଅଟକି ଯିବାକୁ ମନେ ହେଉଛି । କୋଭିଡ କଟକଣା ଲାଗି ଗତବର୍ଷ ପୂଜା ଧୁମ୍ଧାମ୍ରେ ପାଳନ ହୋଇନଥିଲା । ହେଲେ ଏଥର ସେ କଟକଣା ନାହିଁ । ଗୋଟିଏ ଦିନରେ ସାଧାରଣତନ୍ତ୍ର ଦିବସ ଓ ସରସ୍ୱତୀ ପୂଜା ପଡ଼ୁଥିବାରୁ ପିଲାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ସ୍କୁଲ, କଲେଜରେ ସରସ୍ୱତୀ ପୂଜା ଲାଗି ପ୍ରସ୍ତୁତି କରି ସାରିଲେଣି । ଅଳ୍ପ ଦିନ ଥିବାରୁ ରାଜଧାନୀ ବଜାରରେ ମା’ ସରସ୍ୱତୀଙ୍କ ମୂର୍ତ୍ତି ମଧ୍ୟ ବିକ୍ରି ହେଲାଣି । ଏନେଇ ଏକ ନଂ ହାଟରେ ମା ସରସ୍ୱତୀଙ୍କ ବିଭିନ୍ନ ଆକାରର ମୂର୍ତ୍ତି ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ୱର ସିଆର୍ପି ଛକ, ଚନ୍ଦ୍ରଶେଖରପୁର, ଆଚାର୍ଯ୍ୟ ବିହାର, ଫାୟାର ଷ୍ଟେଶନ ଆଦି ସ୍ଥାନଗୁଡ଼ିକରେ ମା’ଙ୍କ ମୂର୍ତ୍ତି ବିକ୍ରି ହେଉଛି । ବଜାରରେ ଦୁଇ ପ୍ରକାର ମୂର୍ତ୍ତି ମିଳୁଛି । ଛଣ ତିଆରି ମୂର୍ତ୍ତି ଓ ଛାଞ୍ଚ ମୂର୍ତ୍ତି । ଦେଢ଼ ଫୁଟ୍ର ମୂର୍ତ୍ତିଠାରୁ ଆରମ୍ଭ କରି ସାଢ଼େ ୫ ଫୁଟ୍ ପର୍ଯ୍ୟନ୍ତ ମୂର୍ତ୍ତି ବିକ୍ରି ହେଉଛି । ସାଢ଼େ ପାଞ୍ଚ ଫୁଟର ଛଣ ମୂର୍ତ୍ତିର ଦାମ ୮ ହଜାର ରହିଥିବା ବେଳେ ସାଢ଼େ ତିନି ଫୁଟର ଛଣ ମୂର୍ତ୍ତିର ମୂଲ୍ୟ ୪୫ଶହ ଟଙ୍କା ରହିଛି । ଛଣ ଅପେକ୍ଷା ବେଶ୍ କମ୍ ଦାମ୍ରେ ମିଳୁଛି ଛାଞ୍ଚ ମୂର୍ତ୍ତି । ଏହାର ଦାମ୍ ୧୫୦ ରୁ ଆରମ୍ଭ କରି ୧୬ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ଦେଢ଼ ଫୁଟ ମୂର୍ତ୍ତିର ଦାମ୍ ୧୫୦ ଟଙ୍କା, ସାଢ଼େ ତିନି ଫୁଟ୍ ମୂର୍ତ୍ତିର ଦାମ୍ ୬ଶହ ଟଙ୍କା ଓ ସାଢ଼େ ପାଞ୍ଚ ଫୁଟ୍ ମୂର୍ତ୍ତିର ଦାମ୍ ୧୬ ଶହ ଟଙ୍କା ରହିଛି । ମାର୍କେଟ୍ରେ ଅଳ୍ପ ଦାମ୍ରେ ବିକ୍ରି ହେଉଥିବା ସମାନ ଡିଜାଇନର ଛାଞ୍ଚ ମୂର୍ତ୍ତିକୁ ଲୋକେ ଅଧିକ କିଣୁଛନ୍ତି । ଅନ୍ୟପଟେ ବଜାରରେ କୌଣସି ପ୍ଲାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତି ଦେଖିବାକୁ ମିଳି ନଥିଲା । ପ୍ଲାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତି ପ୍ରଦୂଷଣ ପାଇଁ ବିସର୍ଜନ ହୋଇପାରୁନାହିଁ । ତେଣୁ ବ୍ୟବସାୟୀମାନେ ଏହାକୁ ବିକ୍ରି କରୁନଥିବା କହିଛନ୍ତି । ଏଥର ପାଖାପାଖି ଦୁଇ ଲକ୍ଷ ଟଙ୍କାର ମୂର୍ତ୍ତି ଆଣିଥିବା କହିଛନ୍ତି ୧ନଂ ହାଟର ବ୍ୟବସାୟୀ ହରପ୍ରସାଦ ମହାପାତ୍ର । ଛାଞ୍ଚ ମୂର୍ତ୍ତିଗୁଡ଼ିକ ଆଠଗଡ଼, ଗୋଡ଼ିସାହି ଓ ଫୁଲପୋଖରୀ, ଜଗତସିଂହପୁର, ବାଳକାଟି ଆଦି ସ୍ଥାନରୁ ଆସୁଛି ।