ନୂଆଦିଲ୍ଲୀ,୧୮।୦୩: ଯୁଦ୍ଧ ସ୍ଥିତିରେ ଏଲ୍ପିଜି ଯୋଗାଣ ପ୍ରଭାବିତ । ଏହା ଗ୍ୟାସ ଚାହିଦାକୁ ମଧ୍ୟ ବାଧାପ୍ରାପ୍ତ କରିଛି । ଫଳରେ ମାର୍ଚ୍ଚର ପ୍ରଥମ ୧୫ ଦିନରେ ଏହା ଏଲପିଦଜି ଚାହିଦା ୧୭.୭% ହ୍ରାସ ହୋଇ ୧.୧୪୭ ନିୟୁତ ଟନରେ ପହଞ୍ଚିଛି । ଯାହା ଗତ ବର୍ଷ ସମାନ ଅବଧିରେ ୧.୩୮୭ ନିୟୁତ ଟନ୍ ଥିଲା ବୋଲି ପ୍ରାଥମିକ ଶିଳ୍ପ ଡାଟାରୁ ଜଣାପଡିଛି । ସେହିଭଳି ଫେବ୍ରୁଆରୀର ପ୍ରଥମ ୧୫ ଦିନ ତୁଳନାରେ ମଧ୍ୟ ଏଲ୍ପିଜି ଚାହିଦା ୨୬.୩% ଖସିଛି । ଏହି ଅବଧିରେ ୧.୫୫୭ ନିୟୁତ ଟନ୍ ଏଲ୍ପିଜି ଦେଶ ମଧ୍ୟରେ ବ୍ୟବହାର ହୋଇଥିଲା ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଏବେ ଏଲ୍ପିଜି ଯୋଗାଣ ଉପରେ ବଡ ମାତ୍ରାରେ ପ୍ରଭାବ ପଡିଛି । ଭାରତ ଏହାର ମୋଟ ଏଲ୍ପିଜି ଆବଶ୍ୟକତାର ୬୦% ଆମଦାନି ଜରିଆରେ ପୂରଣ କରିଥାଏ । ଏହା ମଧ୍ୟରୁ ଅଧିକାଂଶ ଭାଗ ଷ୍ଟ୍ରେଟ ଅଫ୍ ହୋର୍ମୁଜ ଦେଇ ଆସିଥାଏ । ମାତ୍ର ଆମେରିକା-ଇରାନ ଯୁଦ୍ଧ ଯୋଗୁ ଏହି ଜଳପଥ ଉପରେ କଟକଣା ଲାଗିଛି । ଯାହାର ପ୍ରଭାବ କେବଳ ଭାରତ ନୁହେଁ ସାରା ବିଶ୍ୱର ତେଲ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଛି । ସାଉଦି ଆରବ ଏବଂ ୟୁଏଇରୁ ଯୋଗାଣ ପ୍ରଭାବିତ ହୋଇଛି । ସରକାର ସାଧାରଣ ଖାଉଟିଙ୍କୁ ଗ୍ୟାସ ଯୋଗାଣକୁ ପ୍ରାଥମିକତା ଦେଇଛନ୍ତି । ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନିଙ୍କ ତଥ୍ୟ ମୁତାବକ, ମାର୍ଚ୍ଚର ପ୍ରଥମ ୧୫ ଦିନରେ ଗ୍ୟାସ ଚାହିଦା ୧୬% ନିମ୍ନରେ ରହିଛି । ସରକାରଙ୍କ ପଦକ୍ଷେପ ଯୋଗୁ ଏଲ୍ପିଜି ଚାହିଦା ବାର୍ଷିକ ଭିତ୍ତିରେ ୩ରୁ୪% ବୃଦ୍ଧି ହୋଇଥାଏ ।
ଅନ୍ୟପଟେ ବିମାନ ଚଳାଚଳ ପ୍ରଭାବିତ ହେବା ଯୋଗୁ ବାର୍ଷିକ ଭିତ୍ତିରେ ବିମାନ ଇନ୍ଧନ ବା ଏଟିଏଫ୍ ଚାହିଦା ୪% ଖସିଛି । ଗତ ମାସ ତୁଳନାରେ ଏହା ୧୨.୩% ହ୍ରାସ ହୋଇଛି । ସେହିଭଳି ପେଟ୍ରୋଲ ଚାହିଦା ୧୩.୨% ବୃଦ୍ଧି ହୋଇ ୧.୫ ନିୟୁତ ଟନ୍ ଛୁଇଁଛି । ଡିଜେଲ ଚାହିଦା ୮.୨% ବୃଦ୍ଧି ହୋଇ ୩.୩୮୪ ନିୟୁତ ଟନ୍ ରହିଛି । ମାସିକ ଭିତ୍ତିରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଯଥାକ୍ରମେ ୧୧.୨% ଏବଂ ୭.୭% ରହିଛି ।
ଇ-କେୱାଇସି ସମ୍ପୂର୍ଣ୍ଣ କରିବାକୁ ଗ୍ରାହକଙ୍କୁ ପରାମର୍ଶ:
ଗ୍ରାହକ ଇ-କେୱାଇସି କରାଇ ନ ଥିଲେ ଏଲ୍ପିଜି ସେବା ମିଳିବନି ବୋଲି ଏକ ଖବର ପ୍ରକାଶ ପାଇଥିଲା । ଏହାକୁ ନେଇ ସରକାର ସ୍ପଷ୍ଟୀକରଣ ରଖିଛନ୍ତି । ତେବେ ସବୁ ଗ୍ରାହକ ଇ-କେୱାସି କରାଇବା ଆବଶ୍ୟକତା ନାହିଁ । ଇ-କେୱାଇସି କରାଇ ନ ଥିବା ଗ୍ରାହକ ଏହା ସମ୍ପୂର୍ଣ୍ଣ କରିବାକୁ କହିଛି ପେଟ୍ରୋଲିୟମ ମନ୍ତ୍ରଣାଳୟ । ଏ ନେଇ କୌଣସି ନୂଆ ନିୟମ ଆସିନାହିଁ । ଏହା ପୁରୁଣା ଅଭିଯାନର ଅଂଶ ବୋଲି ସୋସିଆଲ ମିଡିଆରେ ମନ୍ତ୍ରଣାଳୟ ପ୍ରକାଶ କରିଛି । ଅଧିକରୁ ଅଧିକ ଉପଭୋକ୍ତାଙ୍କୁ ବାୟୋମେଟ୍ରିକ କରାଇବା ଲାଗି ଉତ୍ସାହିତ କରାଯାଉଛି । ଏହା ଦ୍ୱାରା ଜାଲିଆତି ରୋକିବା ଦିଗରେ ପ୍ରୟାସ କରାଯାଇଛି । ଇ-କେୱାଇସି କରାଇ ନ ଥିବା ଗ୍ରାହକ ନୂଆ କେୱାଇସି କରାଇବାକୁ ପଡିବନି । ରେକର୍ଡ ଅପଡେଟ୍ ହୋଇ ନ ଥିବା ଗ୍ରାହକ ଇ-କେୱାଇସି ସମ୍ପୂର୍ଣ୍ଣ କରିବାକୁ ହେବ । ଏଥିଲାଗି ଗ୍ୟାସ ଏଜେନ୍ସି ଯିବାକୁ ପଡିବନି । ଘରେ ବସି ମଧ୍ୟ କେୱାଇସି ହୋଇପାରିବ ବୋଲି କହିଛି ମନ୍ତ୍ରଣାଳୟ ।