ନୂଆଦିଲ୍ଲୀ : ଆଇପିଏଲ ୨୦୨୬ର ୨୯ତମ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ଲକ୍ଷ୍ନୌ । ଏକମାତ୍ର ଦଳ ଭାବେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍ ହାରି ନଥିବା ପଞ୍ଜାବ ଆଧିପତ୍ୟ ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିବାକୁ ପ୍ରୟାସ କରିବ । ଲକ୍ଷ୍ନୌ ସୁପର ଜାଏଣ୍ଟସ ଦଳର ଉତ୍ଥାନ ପତନ ଲାଗି ରହିଛି । ୫ଟି ମ୍ୟାଚରୁ ଇତି ମଧ୍ୟରେ ମାତ୍ର ୨ଟି ବିଜୟ ସହ ୪ ପଏଣ୍ଟ ଅର୍ଜନ କରିଥିବା ଏଲଏସଜି ଯଥା ସମ୍ଭବ ସହଳ ବିଜୟଧାରାକୁ ଫେରିବାକୁ ତତ୍ପର । ଯାହାଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ଲକ୍ଷ୍ନୌକୁ ବ୍ୟାଟିଂ ବିଭାଗରେ ଯଥେଷ୍ଟ ଉନ୍ନତି ଆଣିବାକୁ ହେବ । ମିଚେଲ ମାର୍ଶ, ଆଡେନ ମାରକ୍ରମ, ନିକୋଲାସ ପୂରନଙ୍କ ଭଳି ଦୁର୍ଦ୍ଧର୍ଷ ବିଦେଶୀ ବ୍ୟାଟରମାନେ ଏପର୍ଯ୍ୟନ୍ତ ନିରାଶ କରିଛନ୍ତି । ଫଳରେ ରିଷଭ ପନ୍ତଙ୍କ ଉପରେ ସବୁ ଦୋଷ ଲଦି ଦିଆଯାଉଛି । ଦଳର ବିଜୟ ପାଇଁ ଏହି ୩ ଖେଳାଳି ଫର୍ମକୁ ଫେରିବା ଜରୁରି ।

ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ପରସ୍ପରକୁ ୬ଥର ଭେଟିଛନ୍ତି ଓ ୩ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଗତ ସିଜନରେ ଉଭୟ ଦଳ ୨ଥର ସାମ୍ନା ସାମ୍ନି ହୋଇଥିଲେ ଓ ପଞ୍ଜାବ ଉଭୟ ମ୍ୟାଚ ଜିତିଥିଲା । ମୁଲନପୁର ସ୍ଥିତ ମହାରାଜା ୟାଦବିନ୍ଦ୍ର ସିଂହ ଷ୍ଟାଡ଼ିୟମର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ରାତ୍ରିରେ କାକର ପ୍ରଭାବ ରହୁଥିବାରୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।