IPLରୁ ବିଦାୟ ନେଲା କୋଲକାତା, ପଏଣ୍ଟ ତାଲିକାର ଦ୍ଵିତୀୟକୁ ଉଠିଲା ଲକ୍ଷ୍ନୌ

Pic - ndtv.in
ମୁମ୍ବାଇ ୧୯/ ୦୫: ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଆଉ ଅଳ୍ପକେରୁ ବୃଥା ହେବାରୁ ବଞ୍ଚିଗଲା ଡି କକ୍ଙ୍କ ଆଇପିଏଲର ସର୍ବଶ୍ରେଷ୍ଠ ଇନିଂସ। ଶେଷ ଓଭରରେ ଜିତିବାକୁ ୨୧ ରନ ଦରକାର ଥିବା ବେଳେ ୧୮ ରନ କରିବାରେ ସକ୍ଷମ ହୋଇଥିଲା କୋଲକାତା ନାଇଟ୍ ରାଇଡର୍ସ। ଆଉ ୨ ରନରେ ମ୍ୟାଚ୍ ଜିତିଗଲା ଲକ୍ଷ୍ନ। ରିଙ୍କୁ ସିଂହଙ୍କ ବିସ୍ଫୋରକଙ୍କ ୧୫ ବଲରୁ ୪୦ ରନ କୋଲକାତାକୁ ପରାଜୟରୁ ବଞ୍ଚାଇ ପାରିନାହିଁ। ଲକ୍ଷ୍ନୌ ଦ୍ଵାରା ଧାର୍ଯ୍ୟ ୨୧୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ୮ ଓ୍ଵିକେଟ୍ ବିନିମୟରେ ୨୦୮ ରନ କରିବାକୁ ସକ୍ଷମ ହୋଇଛି। ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଲା କୋଲକାତା ନାଇଟ୍ ରାଇଡର୍ସ। ଲକ୍ଷ୍ନୌ ୧୪ଶ ମୁକାବିଲାରୁ ନବମ ବିଜୟ ପରେ ୧୮ ପଏଣ୍ଟ ସହ ପଏଣ୍ଟ ତାଲିକାର ଦ୍ଵିତୀୟକୁ ଉଠିବା ସହ ପ୍ଲେ ଅଫରେ ପ୍ରବେଶ କରିଛି।
୨୧୧ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତା ବିନା ରନରେ ଭେଙ୍କଟେଶ ଆୟରଙ୍କ ଓ୍ଵିକେଟ୍ ହରାଇଥିଲା। ପୁଣି ୯ ରନ ସ୍କୋରରେ ଦଳ ଅଭିଜିତ ତୋମାର(୪)ଙ୍କ ରୂପେ ଦ୍ଵିତୀୟ ଓ୍ଵିକେଟ୍ ହରାଇଥିଲା। ହେଲେ ନୀତୀଶ ରାଣା କ୍ରିଜକୁ ଆସିବା ମାତ୍ରେ ବିସ୍ପୋରକ ବ୍ୟାଟିଂ କରି କୋଲାକତା ପାଇଁ ବିଜୟ ଆଶା ସଞ୍ଚାର କରିଥିଲେ। ସେ ମାତ୍ର ୨୨ ବଲରୁ ୯ ଚୌକା ସହ ୪୨ ରନ କରି ଆଉଟ୍ ହୋଇଥିଲେ। ସେ ଅଧିନାୟକ ଶ୍ରେୟସ ଆୟରଙ୍କ ସହ ତୃତୀୟ ଓ୍ଵିକେଟରେ ୫୬ ରନ ଯୋଡିଥିଲେ। ପୁଣି ଶ୍ରେୟସ ଆୟ ଏବଂ ସାମ ବିଲିଙ୍ଗ ଚତୁର୍ଥ ଓ୍ଵିକେଟ୍ ପାଇଁ ୬୬ ରନ ଯୋଡି ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଶ୍ରେୟସ ୨୯ ବଲରୁ ୪ ଚୌକା ଏବଂ ୩ ଛକା ସହ ୫୦ ରନ କରିଥିଲେ। ଶ୍ରେୟସଙ୍କ ଆଉଟ୍ ପରେ କୋଲକାତା ଶୀଘ୍ର ଦୁଇଟି ଓ୍ଵିକେଟ ହରାଇଥିଲା। ସାମ ବିଲିଙ୍ଗ ୩୬ ରନ ଏବଂ ଆନ୍ଦ୍ରେ ରସେଲ ୫ ରନ କରି ବିଦାୟ ନେଇଥିଲେ।
୧୫୦ ରନରେ ୬ ଓ୍ଵିକେଟ୍ ହରାଇବା ପରେ କୋଲକାତାର ବିଜୟ ଆଶା ମଉଳିବାରେ ଲାଗିଥିଲା। ହେଲେ ରିଙ୍କୁ ସିଂହ ଏବଂ ସୁନିଲ ନାରିନ ଛକା-ଚୌକା ବର୍ଷା କରିଥିଲେ। ଉଭୟ ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚରେ ରୋମାଞ୍ଚ ଭରିଥିଲେ। ଶେଷ ଓଭରରେ ୨୧ ରନ ଦରକାର ଥିବା ବେଳେ ୧୮ ରନ କରିବାକୁ ସକ୍ଷମ ହୋଇଥିଲା କୋଲକାତା। ରିଙ୍କୁ ସିଂହ ୧୫ ବଲରୁ ୨ ଚୌକା ଏବଂ ୪ ଛକା ଜରିଆରେ ୪୦ ରନ କରି ଶେଷ ଓଭରର ପଞ୍ଚମ ବଲରେ ଆଉଟ୍ ହେବା କୋଲକାତା ବିଜୟରୁ ଦୂରେଇ ଯାଇଥିଲା। ସୁନିଲ ନାରିନ ୭ ବଲରୁ ୩ ଛକା ସହ ୨୧ ରନ କରି ଅପରାଜିତ ଥିଲେ। କୋଲକାତା ୮ ଓ୍ଵିକେଟରେ ୨୦୮ ରନ କରିବାରେ ସକ୍ଷମ ହୋଇଥିଲା।
କ୍ଵିଣ୍ଟନ ଡିକକ୍ଙ୍କ ବିସ୍ଫୋରକ ଶତକ ଏବଂ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଆଇପିଏଲର ୬୬ତମ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ବିଶାଳ ବିନା ଓ୍ଵିକେଟ୍ରେ ୨୧୦ ରନ କରିଥିଲା ଲକ୍ଷ୍ନୌ। କ୍ଵିଣ୍ଟନ ଡି’ କକ୍ ଅପରାଜିତ ୧୪୦ ରନ କରିଥିଲେ। ସେ ୭୦ ବଲରୁ ୧୦ଟି ଲେଖାଏଁ ଚୌକା ଏବଂ ଛକା ମାରିଛନ୍ତି। ଆଇପିଏଲରେ ଏହା ହେଉଛି ତାଙ୍କର ଦ୍ଵିତୀୟ ଶତକ। କେଏଲ ରାହୁଲ ୫୧ ବଲରୁ ୩ ଚୌକା ଏବଂ ୪ ଛକା ସହ ୬୮ ରନ କରି ଅପରାଜିତ ଅଛନ୍ତି। ଡିକକ୍ ଏବଂ କେଏଲ ରାହୁଲ କୌଣସି ଭାଗିଦାରୀରେ ସର୍ବାଧିକ ରନ କରି ଆଇପିଏଲରେ ଇତିହାସ ରଚିଛନ୍ତି। ସୁନିଲ ନାରିନଙ୍କୁ ବାଦ୍ ଦେଲେ କୋଲକାତା ନାଇଟ୍ ରାଇଡର୍ସର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ।