ଲକ୍ଷ୍ନୌ ୦୨/୦୬: ପେଟ୍ରୋଲ ପମ୍ପରେ ଲୋକମାନଙ୍କୁ କିଭଳି ଠକେଇ କରାଯାଉଛି ତାର ଏକ ସଦ୍ୟତମ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁର ସହରରେ । କାର ଟାଙ୍କିର ସର୍ବାଧିକ କ୍ଷମତା ୪୫ ଲିଟର ହୋଇଥିଲା ବେଳେ ପେଟ୍ରୋଲ ପମ୍ପ କର୍ମଚାରୀ ୫୨ ଲିଟର ପେଟ୍ରୋଲ ପଡିଥିବାର ବିଲ୍ ଧରାଇଛନ୍ତି । ଯାହାକୁ ନେଇ କାର ମାଲିକ ଆପତ୍ତି ଉଠାଇବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ ଚରଣ ସିଂହ ନାମକ ଜଣେ ବ୍ୟକ୍ତି ଏକ ବ୍ରାଣ୍ଡ ନୂଆ କାର୍ କିଣିଥିଲେ । କିନ୍ତୁ କାର୍ରେ ତେଲ ନଥିବାରୁ ସେ ସିଧାସଳଖ ଏକ ପେଟ୍ରୋଲ ପମ୍ପକୁ ଯାଇଥିଲେ । ସେଠାରେ ଟାଙ୍କି ଫୁଲ୍ କରିଦେବାକୁ କହିଥିଲେ । ପେଟ୍ରୋଲ ପମ୍ପ କର୍ମଚାରୀ ୪୧ ଲିଟର ପକାଇବା ପରେ ଅଟକି ଯାଇଥିଲେ । ତେବେ କାର୍ ମାଲିକ ଅଟକିବାର କାରଣ ପଚାରିବାରୁ ସେ କହିଥିଲେ ଯେ ଏକଥରରେ ପଡିପାରିବ ନାହିଁ, ଦୁଇଥରରେ ପଡିବ । ଏହା ପରେ ସେ ପୁଣି ଅବଶିଷ୍ଟ ତେଲ ପକାଇଥିଲେ । ତେଲ ପଡିସାରିବା ପରେ ପେଟ୍ରୋଲ ପମ୍ପ କର୍ମଚାରୀ ଜଣକ ତାଙ୍କୁ ୫୨ ଲିଟର ତେଲ ପଡିଥିବା ନେଇ ବିଲ୍ ଧରାଇଦେଲେ ।
ବିଲ୍ ଦେଖିବା ପରେ କାର୍ ମାଲିକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ କାର ଟାଙ୍କିର ସର୍ବାଧିକ କ୍ଷମତା ୪୫ ଲିଟର ହୋଇଥିବାବେଳେ ସେଥିରେ ୫୨ ଲିଟର ତେଲ କିଭଳି ପଡିଲା ବୋଲି ଜାଣିବାକୁ ଚାହିଁଥିଲେ । ତେଣୁ ସେ ଠକେଇ କରାଯାଉଥିବା ସନ୍ଦେହ କରିଥିଲେ । ତୁରନ୍ତ ସେ କାର୍ କମ୍ପାନିର କର୍ମଚାରୀଙ୍କୁ ଘଟଣାସ୍ଥଳକୁ ଡକାଇଥିଲେ । କର୍ମଚାରୀ ଜଣକ ପହଞ୍ଚିବା ପରେ ସ୍ପଷ୍ଟ କରିଥିଲେ ଯେ କୌଣସି ପରିସ୍ଥିତରେ କାର୍ରେ ୪୫ ଲିଟରରୁ ଅଧିକ ତେଲ ଧରିପାରିବ ନାହିଁ । ଏକଥା ଜାଣିବା ପରେ ସେ ତୁରନ୍ତ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କର୍ତ୍ତୃପକ୍ଷ କେବଳ ଭୁଲ ହୋଇଥିବ କହି କଥା ଶେଷ କରିଦେଇଥିଲେ । ଏଥିରେ ଅସନ୍ତୋଷ ପ୍ରକାଶ କରି କାର୍ ମାଲିକ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ।
ଅଧିକ ପଢ଼ନ୍ତୁ :- International Sex Workers' Day: ମାଳିସାହିରର ମର୍ମକଥା, ସହମତିରେ ସମ୍ପର୍କ ବି ଦୁଷ୍କର୍ମ ପାଲଟିଯାଏ, ଟଙ୍କା ଦେଇ ରାକ୍ଷସ ପାଲଟିଯାଏ ପୁରୁଷ