IPL ଏଲିମିନେଟର୍ ମ୍ୟାଚ୍: ଟସ୍ ଜିତି ସୁପର୍ ଜିଆଣ୍ଟସ୍ର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ବାଙ୍ଗଲୋର

କୋଲକାତା ୨୫/ ୦୫ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ଏଲିମିନେଟର୍ ମ୍ୟାଚରେ ସାମ୍ନାସାମ୍ନୀ ହେବାକୁ ଯାଉଛନ୍ତି ଲକ୍ଷ୍ନୌ ସୁପର୍ ଜିଆଣ୍ଟସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର । ଆଜି ମ୍ୟାଚ୍ର ବିଜେତା ଆସନ୍ତା ମେ ୨୭ ତାରିଖରେ ରାଜସ୍ଥାନ ସହ କ୍ବାଲିଫାୟର ମ୍ୟାଚ୍ ଖେଳିବ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଲୋକେସ୍ ରାହୁଲଙ୍କ ସୁପର୍ ଜିଆଣ୍ଟସ୍ । ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହୋଇଛି ଫାଫ୍ ଡୁ’ ପ୍ଲେସିସ୍ଙ୍କ ରୟାଲ ଚ୍ୟାଲେଞ୍ଜର୍ସ ।
କୋଲକାତାର ଇଡେନ୍ ଗାର୍ଡେନରେ ବର୍ଷା କାରଣରୁ ବିଳମ୍ବରେ ଟସ୍ ପଡିଛି । ନିୟମ ଅନୁଯାୟୀ ଟସ୍ ସନ୍ଧ୍ୟା ୭ଟାରେ ପଡିବାର ଥିଲା । କିନ୍ତୁ ବର୍ଷା ଯୋଗୁଁ ୭.୫୫ରେ ଟସ୍ ପଡିଛି ।
ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ସୁପରଜାଏଣ୍ଟ୍ସ ଚଳିତ ଆଇପିଏଲ୍ରେ ଉନ୍ନତ ପ୍ରଦର୍ଶନ କରିଥିଲା । ବ୍ୟାଟିଂ ବିଭାଗରେ ଛୋଟ ମୋଟ ତ୍ରୁଟି ରହିଥିଲେ ହେଁ ଦଳଗତ ପ୍ରଦର୍ଶନ ବଳରେ ସୁପରଜାଏଣ୍ଟ୍ସ ୯ଟି ଲିଗ୍ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା । ପଦାର୍ପଣରେ ଫାଇନାଲ୍ ଖେଳିବାର ସୁଯୋଗକୁ ହାତଛଡ଼ା କରିବାକୁ ସୁପରଜାଏଣ୍ଟ୍ସ ଚାହିଁବ ନାହିଁ ।
ତେଣୁ ଆଜି ଶ୍ରେଷ୍ଠ ପ୍ରଦର୍ଶନ ସହ ଟାଇଟଲ ଦୌଡ ଜାରି ରଖିବ । ରୟାଲ୍ ଚ୍ୟାଲେଞ୍ଜର୍ସ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରିନଥିଲେ ହେଁ ଅନେକ ତାରକା ଖେଳାଳି ରହିଥିବାରୁ ବିଜୟ ସମ୍ଭାବନା ଅଧିକ ରହିଛି । ରୟାଲ୍ ଚ୍ୟାଲେଞ୍ଜର୍ସ ଲିଗ୍ ପର୍ଯ୍ୟାୟରେ ମଧ୍ୟ ସୁପରଜାଏଣ୍ଟ୍କୁ ହରାଇ ସାରିଛି । ଅନେକ ଖେଳାଳି ଫର୍ମରେ ନ ଥିବାରୁ ରୟାଲ୍ ଚ୍ୟାଲେଞ୍ଜର୍ସ ରାଜୁତି କରିପାରି ନଥିଲା । ହେଲେ ବିରାଟ କୋହଲି ଫର୍ମକୁ ଫେରିଛନ୍ତି । କେବଳ ମ୍ୟାକ୍ସୱେଲ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରିଲେ ରୟାଲ୍ ଚ୍ୟାଲେଞ୍ଜର୍ସ ସହଜରେ ବିଶାଳ ସ୍କୋର ସଂଗ୍ରହ କରିବ । ଉଭୟ ଦଳର ବୋଲିଂ ବିଭାଗ ସୁଦୃଢ । ଜାସନ ହୋଲ୍ଡର, ଅଭେଶ ଖାନ, ମହସିନ ଖାନ, ରବି ବିଶ୍ନୋଇ ପ୍ରମୁଖ ସୁପରଜାଏଣ୍ଟ୍ସ ବୋଲିଂ ବିଭାଗ ସମ୍ଭାଳୁଛନ୍ତି । ରୟାଲ୍ ଚ୍ୟାଲେଞ୍ଜର୍ସ ଦଳରେ ଜୋସ ହାଜେଲଉଡ୍, ମହମ୍ମଦ ସିରାଜ, ୱାନିଣ୍ଡୁ ହସରଙ୍ଗା ଭଳି ବୋଲର ରହିଛନ୍ତି ।