ନୂଆଦିଲ୍ଲୀ ୧୯/୦୧: ଚନ୍ଦ୍ରପୃଷ୍ଠକୁ ଯିବା ଆଜି ମଧ୍ୟ କୋଟି କୋଟି ଲୋକଙ୍କ ଲାଗି ସ୍ୱପ୍ନ ହୋଇ ରହିଛି । ଅଦ୍ୟାବଧି କିଛି ହାତଗଣତି ଲୋକ ହିଁ ସେଠାକୁ ଯାଇପାରିଛନ୍ତି । ଏପରିସ୍ଥଳେ ଏବେ ଚନ୍ଦ୍ରପୃଷ୍ଠରେ ହୋଟେଲ୍ ନିର୍ମାଣ ହେବାକୁ ଯାଉଥିବା ଖବର ସାମ୍ନାକୁ ଆସିଛି । କାଲିଫର୍ନିଆର ଏକ ସ୍ପେସ୍ ଷ୍ଟାର୍ଟଅପ୍ କମ୍ପାନି ଗାଲାକ୍ଟିକ୍ ରିସୋର୍ସ ୟୁଟିଲାଇଜେସନ୍ ସ୍ପେସ୍ (ଜିଆରୟୁ) ଚନ୍ଦ୍ରପୃଷ୍ଠରେ ବିଶ୍ୱର ପ୍ରଥମ ସ୍ଥାୟୀ ହୋଟେଲ୍ ଖୋଲିବାକୁ ଘୋଷଣା କରିଛି । ୨୦୩୨ ମଧ୍ୟରେ ଏହି ବିଳାସମୟ ହୋଟେଲ୍ ଅତିଥିଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇଯିବ ବୋଲି କମ୍ପାନି ଲକ୍ଷ୍ୟ ରଖିଛି । ତେଣୁ ଏବେଠାରୁ ଜିଆରୟୁ ସେହି ହୋଟେଲରେ ରହିବାକୁ ବୁକିଂ ନେବା ଆରମ୍ଭ କରିଛି ।

ଜାନୁଆରୀ ୧୨ ତାରିଖରେ କମ୍ପାନି ପକ୍ଷରୁ ଏହି ଉଦ୍ଦେଶ୍ୟରେ ଏକ ୱେବସାଇଟ୍ ଲଞ୍ଚ କରାଯାଇଥିଲା । ସେଥିରେ ହୋଟେଲର ଡିଜାଇନ୍ ଏବଂ ପ୍ରଯୁକ୍ତି ସଂପର୍କରେ ବିସ୍ତୃତ ସୂଚନା ଦିଆଯାଇଛି । ସେହି ହୋଟେଲରେ ଗୋଟିଏ ରାତି ରହିବା ଲାଗି ଭଡ଼ା ଭାରତୀୟ ମୁଦ୍ରାରେ ସାଢ଼େ ୩ କୋଟି ଟଙ୍କାରୁ ଆରମ୍ଭ ହୋଇପାରେ । ମହାକାଶ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସହ ଏହି ଭଡ଼ା କମିବାର ଆଶା ରହିଛି । ଏହା ରୋମାଞ୍ଚପ୍ରେମୀ ଅତିଥିଙ୍କୁ ନିଆରା ଅନୁଭବ ପ୍ରଦାନ କରିବ ବୋଲି କମ୍ପାନିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଜିଆରୟୁ ଅନୁସାରେ, ସମସ୍ତ ବୈଷୟିକ ପରୀକ୍ଷଣ ଏବଂ ସରକାରୀ ମଞ୍ଜୁରି ପ୍ରକ୍ରିୟା ଶେଷ ହେବା ପରେ ୨୦୨୯ରୁ ଚନ୍ଦ୍ରପୃଷ୍ଠରେ ହୋଟେଲର ନିର୍ମାଣ ଆରମ୍ଭ ହେବ । ସେହିବର୍ଷ କମ୍ପାନି ଏକ ଟେଷ୍ଟ ମିସନ୍ ଲଞ୍ଚ କରିବାକୁ ଯୋଜନା କରୁଛି । ଚନ୍ଦ୍ରପୃଷ୍ଠରେ ମଜଭୁତ ଏବଂ ଦୀର୍ଘସ୍ଥାୟୀ ସଂରଚନା ବନାଇ ହେବ ବୋଲି ସାବ୍ୟସ୍ତ କରିବା ସେହି ମିସନର ଲକ୍ଷ୍ୟ ରହିବ । ଚନ୍ଦ୍ରରେ ହୋଟେଲ୍ ନିର୍ମାଣ ଲାଗି ସ୍ୱତନ୍ତ୍ର ପ୍ରଯୁକ୍ତି ବ୍ୟବହାର ହେବ । ଲୁନାର ସଏଲ୍ ଅର୍ଥାତ୍ ଚନ୍ଦ୍ର ମାଟିକୁ ନିର୍ମାଣ ସାମଗ୍ରୀ ଭାବେ ବ୍ୟବହାର କରାଯିବ । ଏହାଦ୍ୱାରା ପୃଥିବୀପୃଷ୍ଠରୁ ଭାରୀ ସାମଗ୍ରୀ ନେବାର ଆବଶ୍ୟକତା କମିବ । ଏଥିସହ ନିର୍ମାଣ ଖର୍ଚ୍ଚ ବି କମ୍ ହେବ । ସେହିପରି ଅଟୋମେଟେଡ୍ ମେସିନ୍ ଏବଂ ମଡ୍ୟୁଲାର୍ ୟୁନିଟ୍‌କୁ ଚନ୍ଦ୍ରପୃଷ୍ଠକୁ ପଠାଯିବ । ସେଠାରେ ତାକୁ ଯୋଡ଼ାଯାଇ ଏକ ଆତ୍ମନିର୍ଭର ଢାଞ୍ଚା ପ୍ରସ୍ତୁତ କରାଯିବ । ଏହି ପ୍ରଯୁକ୍ତି ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ରିସର୍ଚ୍ଚ ବେସ୍ ଓ ମଙ୍ଗଳଗ୍ରହରେ ପ୍ରାଥମିକ ବସତି ନିର୍ମାଣରେ ମଧ୍ୟ ଉପଯୋଗ ହୋଇପାରେ । ସବୁ କିଛି ଠିକ୍ ରହିଲେ ହୋଟେଲ୍ର ପ୍ରଥମ ପର୍ଯ୍ୟାୟ ୨୦୩୨ ମଧ୍ୟରେ କାର୍ଯ୍ୟକ୍ଷମ ହୋଇଯିବ ।

ଏହି ହୋଟେଲ୍ ଅଲ୍ଟ୍ରା ଲକ୍ସଜରି ବର୍ଗରେ ଆସିବ । ଧନୀ ମହାକାଶପ୍ରେମୀ, ପୂର୍ବରୁ ମହାକାଶ ପର୍ଯ୍ୟଟନର ଅନୁଭବ ଥିବା ଲୋକେ ସେଠାରେ ରାତି ବିତାଇବାକୁ ଇଚ୍ଛୁକ ହେବେ ବୋଲି କମ୍ପାନି ଆଶା କରୁଛି । ହନିମୁନ୍ ପାଇଁ ମଧ୍ୟ ଦମ୍ପତି ସେହି ହୋଟେଲକୁ ବାଛିପାରନ୍ତି । ୨୧ ବର୍ଷୀୟ ଯୁବ ଇଞ୍ଜିନିୟର ସ୍କାୟଲର ଚାନ୍ ଜିଆରୟୁର ସ୍ଥାପନା କରିଛନ୍ତି । ସେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ଏବଂ କମ୍ପ୍ୟୁଟର ସାଇନ୍ସ ପାଠ୍ୟକ୍ରମ ପଢ଼ିଛନ୍ତି । ଚନ୍ଦ୍ରପୃଷ୍ଠରେ ହୋଟେଲ୍ର ଏହି ପ୍ରକଳ୍ପ ଲାଗି ଜିଆରୟୁକୁ ଏନଭିଡିଆ, ସ୍ପେସ୍ ଏକ୍ସ, ୱାଇ କମ୍ବିନେଟର ସହ ଜଡି଼ତ ନିବେଶକ ସହାୟତା କରୁଛନ୍ତି ।