ନୂଆଦିଲ୍ଲୀ : ପ୍ରସିଦ୍ଧ ଗୀତିକାର ପ୍ରସୂନ ଯୋଶୀଙ୍କୁ ମିଳିଲା ପ୍ରସାର ଭାରତୀ ଅଧ୍ୟକ୍ଷ ପଦ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଉଲ୍ଲେଖନୀୟ ଯେ, ପ୍ରସୂନ ଯୋଶୀ ଭାରତୀୟ ସିନେମା ଜଗତର ଜଣେ ଜଣାଶୁଣା ଚେହେରା। ସେ ସିନେମା, ବିଜ୍ଞାପନ ଏବଂ ସାହିତ୍ୟରେ ନିଜର ଛାପ ଛାଡିଛନ୍ତି । ପ୍ରସୂନ ଯୋଶୀଙ୍କ କଲମରୁ ଅନେକ ଚମତ୍କାର ଓ ସ୍ମରଣୀୟ ଗୀତ ଲେଖାଯାଇଛି।
ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରସୂନ ଯୋଶୀଙ୍କୁ ପ୍ରସାର ଭାରତୀ ବୋର୍ଡର ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଁ ମୋର ହୃଦୟପୂର୍ଣ୍ଣ ଅଭିନନ୍ଦନ। ସେ ଜଣେ ଅତ୍ୟନ୍ତ ସୃଜନଶୀଳ ବ୍ୟକ୍ତି, ଯାହାଙ୍କ ବିଜ୍ଞାପନ, ସାହିତ୍ୟ, କଳା ଏବଂ ସିନେମାରେ କାର୍ଯ୍ୟକୁ ବିଶ୍ୱବ୍ୟାପୀ ପ୍ରଶଂସା କରାଯାଇଛି । ଏହା ସତ୍ତ୍ୱେ, ତାଙ୍କ ହୃଦୟ ଭାରତ ପାଇଁ ନିରନ୍ତର ସ୍ପନ୍ଦିତ ହୋଇ ରହିଛି।
ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଯୋଶୀଙ୍କ ଶବ୍ଦରେ ମାଟିର ସୁଗନ୍ଧ ବାରି ହୋଇପଡ଼େ। ତାଙ୍କର ଦୃଷ୍ଟି ଭାରତୀୟ ସଂସ୍କୃତିର ସୁନ୍ଦର ଅତୀତର ଦର୍ଶନ କରାଇ ଥାଏ। ମନ୍ତ୍ରୀ ଆହୁରି ଲେଖିଛନ୍ତି , ପ୍ରସୂନ ଯୋଶୀଙ୍କ ନେତୃତ୍ୱରେ , ପ୍ରସାର ଭାରତୀ ନୂଆ ଶକ୍ତି , ଗୁରୁତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଓ ଏକ ତାଜା ସୃଜନାତ୍ମକ ସ୍ୱର ଖୋଜିବ। ତାଙ୍କ ପାଇଁ ଏକ ସ୍ମରଣୀୟ ଓ ସାର୍ଥକ କାର୍ଯ୍ୟକାଳ ପାଇଁ ମୋର ହାର୍ଦ୍ଦିକ ଶୁଭକାମନା । ସୂଚନାଯୋଗ୍ୟ ନବନୀତ ସେହେଗଲଙ୍କ ସ୍ଥାନ ନେବେ ପ୍ରସିଦ୍ଧ ଗୀତିକାର ଶ୍ରୀ ଯୋଶୀ। ଶ୍ରୀ ସେହଗଲ ଗତ ଡିସେମ୍ବରରେ ମାସରେ ପ୍ରସାରଭାରତୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।